Unknown

 

 

 

 

 

 

 

 

 

 

ଗୋବିନ୍ଦଚନ୍ଦ୍ର

ସନ୍ଥକବି ଯଶୋବନ୍ତ ଦାସ

 

ବନ୍ଦଇଂ ଯେ ଲମ୍ବୋଦର ଗଉରୀ ନନ୍ଦନ

ମନୁଷ୍ୟ ଶରୀର ଯାର ଗଜେନ୍ଦ୍ର ବଦନ ।

ଭଗ୍ନଦନ୍ତ ପରଶୁ ଅମୃତ ଲଡ଼ୁ କର

ଯୋଗେଶ୍ୱର ପୁରୁଷ ଦକ୍ଷିଣ ଦ୍ଵାରପାଳ ।

କପାଳେ ଶୋଭଇ ଚିତା ଶିରେ ଏକ ଜଟା

ଇନ୍ଦୂର ବାହନ ନାଥ ସୁରଗଣ ଶ୍ରେଷ୍ଠା ।

ଚାରିଯୁଗ ଗଲେ ଯାକୁ ନିମିଷେକ ହୋଇ

ଇନ୍ଦ୍ର ଚନ୍ଦ୍ର ଦିବାକର ମାୟା ନ ଜାଣଇ

କପିଳାସବାସୀ ତୁମ୍ଭେ ପରମ ଈଶ୍ୱର ।

ଅବ୍ୟକତ ପୁରୁଷ କହିବ ଲମ୍ବୋଦର ।

ତୋହର ଚରଣ ତଳେ ଲୁଳୁ ମୋର ମାଥ

ପ୍ରସନ୍ତି ଅଜ୍ଞାରେ ପଦ କରିବା ଭକତ

ଏଥୁ ଅନନ୍ତରେ ଯେ ପରମ ସ୍ୱର୍ଗବାସୀ

ଦୁର୍ବାସାଙ୍କ ପାଦତଳେ ମସ୍ତକ ନିବେଶି ।

ଭୋ ମୁନି ଗୋବିନ୍ଦଚନ୍ଦ୍ର ରାଜା ଯେହୁ ଥିଲେ

କାହାକୁ ସେ ସେବାକରି ଅମର ହୋଇଲେ ।

ଶୁଣିମାକୁ ଇଚ୍ଛା ମୋତେ କହିବା ବିସ୍ତାରି ।

ଯୋଗ ଗ୍ୟାଂନ ଶୁଣି ତୋଷ ହୋଇବ ଶରୀରୀ ।

ଦୁର୍ବାସା ବୋଇଲେ ବାବୁ ଶୁଣ ଶୁଦ୍ଧହିଆ

ତୁ ଯେ ପଚାରିଲୁ ସାବଧାନେ ଶୁଣ ତାହା ।

ଶୂରଚନ୍ଦ୍ର ବୋଲିକରି ବଙ୍ଗଦେଶ ରାୟ

ତାରାଚନ୍ଦ୍ର ବୋଲି ହେଲା ତାହାର ତନୟ ।

ଏହାର ନନ୍ଦନ ନାମ ବ୍ରହ୍ମଚନ୍ଦ୍ର ରାଜା

ଗୋପୀଚନ୍ଦ୍ର ନାମେ ତା’ର ହୋଇଲା ତନୁଜା ।

ମେରୁଚନ୍ଦ୍ର ବୋଲିକରି ତାହାର କୁମର

ବିଷ୍ଣୁଚନ୍ଦ୍ର ବୋଲି ନାମ ହୋଇଲା ତାହାର ।

ବିଷ୍ଣୁଚନ୍ଦ୍ରର ନନ୍ଦନ ହେଲା ରିପୁଚନ୍ଦ୍ର

ତାହାଠାରୁ ଉତପନ୍ନ ଶ୍ରୀ ଗୋବିନ୍ଦଚନ୍ଦ୍ର ।

ମହା ପରତାପୀ ରାଜା ବଳେ ବଳୀୟାର

ତିନି କ୍ରୋଶ ଆୟତନ କଟକ ତାହାର ।

ତିନିପୁର କାଙ୍ଗୁଲା ଯେ ପଥର ପାଚେରୀ

ତିନି ତାଳ ଗଭୀର ବିଳାସ ଖଣା ଝରି ।

ଜଗତୀ ଅଟ୍ଟାଳି ମେଢ ମଣ୍ଡପ ନବର

ଉପରେ ଶଙ୍ଖୁଆ ଢାଳ ଭିତରେ ହିଙ୍ଗୁଳ ।

ଚନ୍ଦ୍ରଶାଳା ପୁରେ ଦିବ୍ୟ ମନ୍ଦିର ଉପମା

ଅଷ୍ଟରତ୍ନ ମିଶାଇ ଗଢ଼ିଲା ବିଶ୍ୱକର୍ମା ।

କୂଅ ତଡ଼ାଗ ଅନେକ ବାମ୍ଫୀ ସରୋବର

ଗଭୀର ସୁସ୍ୱାଦୁ ଜଳ ଅତି ପରିମଳ ।

ମେଢ଼ କାଠଘରମାନ ଅତି ବିତପନ

ଶୟେ ବଖରାରେ ପୋଷା ପକ୍ଷୀଗଣମାନ ।

ବସନ୍ତ କାବେରୀ ଯେ ଆବର ରାଜହଂସ

ଚକୁଆ ଚକୋଇ ବଗ ସଂଚାଣ ସାରସ ।

କୁମ୍ଭା ଦହିୟା ଯେ ମର ମୟୂର ମୟୂରୀ

ଶାମଳା ପଲ କାମରି ତେଣ୍ଟୋଇ ତିତ୍ତିରୀ ।

ଶୁଆ ଶାରୀ ସାତଭାଇ ଗୁଣ୍ଡରୀ କାପତୀ ।

ରାଜବଣି ରାଜହଂସ ପାରୁଆ ଭାରତୀ ।

ଚନ୍ଦ୍ରଚୂଡ଼ କୁକ୍‌କୁଟ ଯେ ପଙ୍କୁପତ୍ର ଖାଇ

ଲମ୍ବା ଥଣ୍ଟ କୋଦମୁଖୀ ପକ୍ଷୀଚଟା ବାଇ ।

ଗୋଖଣିଆ ପଦ୍ମକାଙ୍କ ପାଣିକୁଆ ପକ୍ଷୀ

ଗଙ୍ଗାଇ ଡୁବାଇ କାଠହଣା ପକ୍ଷୀ ଅଛି ।

ହଂସ ହଂସରାଳି କୁଜି ରାଜବଣୀ ପକ୍ଷୀ

କାପଉଡ଼ି ଶଙ୍ଖଚିଲ ହୁତଡେଣା ଟେକି ।

ଅଗ୍ନିଗିଳା ହରିଡ଼ା କଙ୍କାଳି ଯେ ତେଣ୍ଟୁଆ

ପାଣିକୁଆ ଗୁଣ୍ଡରିଆ ଜୁଣ ବଣଆ |

ବଡ଼ସାନ କାଙ୍କ ଯେ କୋଇଲି କୁମ୍ଭାଟୁଆ
ଦନ୍ତବକ୍ର ସାଡ଼ଙ୍ଗା ଯେ ଗୋଳେହା ପୋଳେହା ।
ବଡ଼ବଙ୍କା ତାମ୍ରଚୂଡ଼ ସମୁଦ୍ର ଘାଟୁଆ ପୁଲକ
ବେଦୁର ବୁଡ଼ି ଅଧରୀ ଯେ କୁଆ ।

ଘରଚଟା ବାଇଆ ଯେ ପାଟବାଲି ଶୁଆ
ଅମୃତୀ ଅମୃତ ଯେ ଚିଲୋଳ ପାଟଶୁଆ ।

ଏବିଧି ଅନେକ ପକ୍ଷୀ ପୋଷଇ ରାଜନ

ଭୂମିରେ ବସଇ କେହୁ ମଞ୍ଚାରେ ବନ୍ଧନ ।

ଧାଡ଼ି ଧାଡ଼ି ପଞ୍ଜରୀ ଭିତରେ ଥୋକେ ଥାନ୍ତି

ଯେ ଯହିଂକି ଭାଜନ ସେ ଆହାର ଭୁଞ୍ଜନ୍ତି ।

ଦୁଧଭାତ ମତ୍ସ୍ୟମାଂସ ଆଧାର କେ ଖାଇ

ବେନିଶତ ପରିବାରୀ ୟେହାଙ୍କୁ ଜଗାଇ ।

ମୃଗ ସମ୍ବର ହରିଣ ଆଦି ବାହୁଟିଆ

ବ୍ୟାଘ୍ର ଯେ ଭଲ୍ଲୁକ ରାଜା ପୋଷେ ହୋଇ ସ୍ନେହା ।

ନବଲକ୍ଷ ବଙ୍ଗବଳ ତେରଲକ୍ଷ ହସ୍ତୀ

ଷୋଳଶତ ତୁରଙ୍ଗମ ଓଟ ଶତେ ଛନ୍ତି ।

ଅତି ପରିମଳ ରାଜ୍ୟ ପଟାନ୍ତର ନାହିଁ

ବଙ୍ଗମତୀ ନଦୀତୀରେ ନବର ବସଇ ।

ଅବସନ୍ତେ ବସନ୍ତ ବହଇ ନିରନ୍ତର

ବିଦ୍ୟାଧର ପ୍ରାୟେ ତହିଂ ପୁରୁଷେ ସୁନ୍ଦର ।

ରୋଗ ଶୋକ ଚିନ୍ତା ନାହିଂ ଅଚିନ୍ତା ଭୁବନ

ଜନ ପ୍ରଜାମାନ ଅର୍ଜି କୁବେର ସମାନ ।

ବାଟିକେ ଚିନାୟେ କର ଭିଆଣ ପ୍ରମାଣ

କର ଶୁଝି ପ୍ରଜାୟେ ଅର୍ଜନ୍ତି କୋଟିଧନ ।

ଖଣି ମରାଇ ବହୁତ ଅଟେ ଧାନ ଘର ।

ଖାଇ ବୋହି ନସରଇ ଅତି ଅଗୋଚର ।

ଜଣେ ନାହିଂ ଦରିଦ୍ର ଯେ ସମସ୍ତେ ପୁଂରୁଣା

ହରିନାମ ଗାୟନ କରନ୍ତି ବଜ୍ରଗୁଣା ।

ସୁବର୍ଣ୍ଣର ଚୁଡ଼ି ହସ୍ତେ କଣ୍ଠେ କଣ୍ଠିମାଳ

ପାଟନେତ ଆଭରଣେ ହୁଅନ୍ତି ଉଜ୍ଜ୍ୱଳ ।

ଶୁକ୍ଳବସ୍ତ୍ର ମାନ ମଣ୍ଡି ହୁଅନ୍ତି କିଞ୍ଚିତ

ଅନ୍ନଦାନ ବସ୍ତ୍ରଦାନ ଦିଅନ୍ତି ବହୁତ ।

ମାଗିଲେ ଦିଅନ୍ତି ମିଥ୍ୟା ନ ଆସଇ ମୁଖେ

ବଳବନ୍ତ ନାହିଂ ଯେଣୁ ବିହରନ୍ତି ସୁଖେ ।

ୟେମନ୍ତେ ଅଚଳାଚଳ ବଙ୍ଗଦେଶ ସୀମା ।

ଯୋଦ୍ଧାଙ୍କର ଅଚିନ୍ତା ଯେ ସମସ୍ତେ ବଡ଼ିମା ।

ଅନ୍ନଦାନ ବସ୍ତ୍ରଦାନ ଦିଅନ୍ତି ରାଜନ

ଦରିଦ୍ର ସାଧବ ହେଳେ ସନ୍ତୋଷ ବ୍ରାହ୍ମଣ ।

ଆପଣ ରାଜ୍ୟକୁ କିଛି ଭୟଭୀତ ନାହିଂ

ଆବର ସମର ସେ କରିବ କାହିଂ ପାଇଂ ।

ରିପୁମାନେ ଶରଣ ପଶନ୍ତି ଭୟେ ଆସି

ନିଷ୍କଣ୍ଟକ ରାଜ୍ୟକୁ କରଇ ବଙ୍ଗବାସୀ ।

ଗର୍ଭଧାରୀ ଜନନୀ ମୁକୁତା ମହାଦେଈ

ମହା ପୁଣ୍ୟବତୀ ସେହୁ ଶୁଦ୍ଧ ତାର ଦେହି ।

ଅବଧୂତ ଗୋରେଖନାଥର ସେହୁ ଚେଲୀ

ସ୍ତ୍ରୀଜନ୍ମ ପାଇଣ ଯୋଗ ସାଧିଲା ଅବନୀ |

ୟେକ ପୁତ୍ର ଯେ ଗୋବିନ୍ଦଚନ୍ଦ୍ରହିଂ ତାହାରି

ଅନେଶ୍ୱତ ନାରୀ ତାର ସମସ୍ତେ ସୁନ୍ଦରୀ ।

ସବୁଙ୍କର ମୋକ୍ଷସ୍ଥାନ ରୋଦମା ଗୋଦମୀ

ରାଜାର ସେ ପାଟବଂଶୀ ଶଚୀ ପ୍ରାୟେ ସୀମା ।

ଚାରିଶତ ପରିବାରୀ ୟେହାଙ୍କୁ ଖଟନ୍ତି

ଦୁହେଂ ଯୁବାନାରୀ ୟେକ ପ୍ରାଣ ହୋଇଥାନ୍ତି ।
ପତିଭକ୍ତା ନାରୀ ସେହି ଦୁହେଂ ଚାରୁହଂସୀ

ଦୁଃଖ ସୁଖ ନଜାଣନ୍ତି ସର୍ବଦା ହରଷୀ ।

ଫଗୁଣ ଶୁକଳ ପକ୍ଷ ଦଶମୀର ଦିନ

ବସିଛି ଗୋବିନ୍ଦଚନ୍ଦ୍ର ଜଗତୀ ଆସ୍ଥାନ ।

ସିଦ୍ଧେଶ୍ଵର ନାମେ ମନ୍ତ୍ରୀ ବସିଛି ପାରୁଶେ ।

ସୁବୁଦ୍ଧି କରିଣ ଆଗେ କହଇ ବିଶ୍ବାସେ ।

ନିତ୍ୟକର୍ମ ସାରି ରାୟ ପଲଙ୍କରେ ବସି

ଜପମନ୍ତ୍ର ସାରି ଆଗେ ଶରୀର ପ୍ରଶଂସି ।

ମନେ ମନେ ଭାବି ରାୟ ହୁଅନ୍ତି ଯେ ଭୋଳି

ଚମ୍ପାର ବରଣ ପ୍ରାୟେ ମୋହ ଦେହ ଝଳି ।

ଭଲା ବିଚାରଇ ମୁଂ ଯେ ଅତ୍ୟନ୍ତ ସୁନ୍ଦର

ସୃଜିଲା ବିହି ରୂପ ଦେଖି ଦେଖି ମୋର ।

ୟେକେତ ସୁନ୍ଦର ରୂପ ଦୁତୀୟେ ରାଜନ

ଦେବତାଙ୍କ ସଙ୍ଗରେ ହେବି ସରିସମ ।

ଯେତେ ବୋଲି ଚଞ୍ଚଳ ଦର୍ପଣ ଘେନି କର

ଆପଣେ ଦେଖଇ ରାଜା ବଦନ କମଳ ।

ନିଷ୍କଳଙ୍କ ଶରୀର କଳଙ୍କ ନାହିଁ କିଛି

ମନେ ମନେ ଆନନ୍ଦ ହୋଇଲା ରାଜାବତ୍ସି ।

ସିଦ୍ଧେଶ୍ଵର ବୋଲେ ସ୍ଵାମୀ ତୁମ୍ଭେ କାମଦେବ

ଭୋଗ କଉତୁକେ ମର୍ତ୍ତ୍ୟେ ହୋଇଛି ଉଦ୍ଭବ ।

ପୂର୍ଣ୍ଣିମାର ଚନ୍ଦ୍ର ପ୍ରାୟେ ବିରାଜଇ ଜ୍ୟୋତି

ଆପଣାକୁ ଚାହିଁ ଆପେ ପ୍ରଶଂସା କରନ୍ତି ।

ସୁବୁଦ୍ଧି ସହିତେ ତହୁଂ କହିଲେ ମଣାଇ

ତଥାପି ଦର୍ପଣେ ଚାହିଂ ଅଛି ବଙ୍ଗ ସାଇଂ ।

ଏସନ ସମୟେ ଯେ ମୁକୁତା ଦେଈ ମାୟେ

ପୁତ୍ରର ସନ୍ତି ଯାଇ କଲେକ ବିଜୟେ ।

ଦେଖିଲେ ଦର୍ପଣେ ମୁହଂ ଚାହିଂଛି କୁମର

କ୍ରୋଧଭରେ ମହାସତୀ ଶୋକ ଗୁରୁତର ।

କିମ୍ପାଇ କୁମରମଣି ହୃଦୟ ନିରେଖୁ ।

ସିଦ୍ଧପୁରୁଷଙ୍କ ସଙ୍ଗେ ଲେଖ ଆପଣାକୁ ।

ଦିଗପାଳମାନେ ବାବୁ ହୋଇ ଅବତାର

ମାୟାଦେହ ଘେନି ସର୍ବେ ଗମନ୍ତି ସଂସାର ।

ବ୍ରହ୍ମା ବିଷ୍ଣୁ ହେଉଛନ୍ତି ଦଶ ଅବତାର

ରଖି ନ ପାରନ୍ତି ପିଣ୍ଡ ପ୍ରାଣ ୟେକବାର ।

ତୋହର ପିଅର ଥିଲା ରିପୁଚନ୍ଦ୍ର ରାୟ

ତୋହ ତହିଂ ଶତେଗୁଣ ସୁନ୍ଦର ତା କାୟ ।

ଅନ୍ଧାର ଦିଶେ ଆଲୋକ ମାଣିକ୍ୟର ତ୍ରାସ

ସେହି କାଳେ ନ ରହି ହୋଇଲା ପ୍ରାତେ ନାଶ ।

ଅଗ୍ନିରେ ଦହିଣ ପିଣ୍ଡ ହୋଇଲାକ ଧୂଳି

ତୁ କି କାରଣେ କୁମର ଶରୀର ନିରୋଳି ।

ଯମରାଜା ଗଣନା କରୁଛି ବସି ଦିନ

ସମୟେକ ପୁତ୍ର ତୁ ରେ ହୋଇବୁ ନିଧନ ।

ୟେତେ ବୋଲି ଅଶ୍ରୁଜଳ ନୟନୁ ଗଳାଇ

ଶୁଣିକରି ଚକିତ ହୋଇଲେ ନରସାଇଂ ।

ହସ୍ତରୁ ଦର୍ପଣ ପକାଇଲା ଭୂମିଗତ

କି କହିଲ ମାୟେ ତୁମେ ମୋହର ଅଗ୍ରତ ।

ଅନୁଦାନ ବସ୍ତଦାନ ଦେଇଅଛି ମୁହିଂ

ଦାନେଶ୍ଵର ମୋର କୀର୍ତ୍ତି ଜଗତେ ଶୁଭଇ ।

ପ୍ରଜାଙ୍କୁତ ପୀଡ଼ା ନାହିଂ ଶରଣ ରଖଇ

ଅପ୍ରାଧ ଅର୍ଜିଲା ପ୍ରାଣୀ ଦୋଷ ମୁଂ ଛାଡ଼ଇ ।

ଦେବତା ବ୍ରାହ୍ମଣେ ସେବା ମୋର ନିରନ୍ତର

ଲକ୍ଷେ ଚମ୍ପା ଚଢ଼ାଏ ମୁଂ ଈଶ୍ୱରଙ୍କ ଶିର ।

ଶ୍ରୀବିଷ୍ଣୁ ପୁରାଣ ଶୁଣେ ପାଞ୍ଚଦଣ୍ଡ ଯାଏ

ସୂର୍ଯ୍ୟ ଦେବତାଙ୍କୁ ମୁଇଂ ଦୁଇଦଣ୍ଡ ଧାୟେ ।

ତୁମ୍ଭେ ଗର୍ଭଧାରୀ ମାତା ଅଟଗୋ ମୋହର

ତୁମ୍ଭ ପାଦରଜ ନିତ୍ୟ ଘେନଇଂ ଶରୀର ।

ପିତୃପିତା ମାନଙ୍କର କାରଣ ନିମିତ୍ତେ

ପିଣ୍ଡଶ୍ରାଦ୍ଧ ଦେଉଅଛି ବ୍ରାହ୍ମଣଙ୍କୁ ହସ୍ତେ ।

ପାପ ବାଧା ନିମନ୍ତେ ସମର ନ କରଇ

ଆବର ମରଣ ମୋତେ ହୋଇବ କିମ୍ପାଇଂ ।

ଦେବୀଙ୍କି ଶୀତଳ ଭୋଗ ଦିଅଇ ସମସ୍ତ

ଧର୍ମ ଥିଲେ କାଳ କିମ୍ପା ନ ଘୁଞ୍ଚିବ ମାତ ।

ମାତାୟେ ବୋଇଲେ ବାବୁ ଶୁଣରେ କୁମର

ୟେତେ ଧର୍ମ କରୁଅଛୁ ସମସ୍ତ ନିଷ୍ଫଳ ।

ପିଣ୍ଡ ମୋକ୍ଷ କରିଣ ଯେବେ ଧର୍ମ କର

ଚିର ଆୟୁଷ ତୋହର ହୋଇବ କୁମର ।

ତୁ ମହାଗୁରୁଙ୍କୁ ସେବା କରୁନାହିଂ ବାବୁ

ନାମବ୍ରହ୍ମ ଶୁଣିଥିଲେ କାରଣ ପାଇବୁ

ତାରଇ ମାରଇ ଗୁରୁ ବଚନ ପ୍ରମାଣ

ପିତା ମାତାଠାରୁ ଗୁରୁ ବଡ଼ ବୋଲି ଜାଣ ।

ମନ ଦୃଢ଼ କରି ଖଟ ଶ୍ରୀଗୁରୁ ଚରଣ

ତେବେ ସିନା ବଳା ରେ ତୁ ପାଇବୁ କାରଣ ।

ଶିଷ୍ୟ ହୋଇ ଗୁରୁଠାରେ ଯେବେ ଅବିଶ୍ୱାସୀ

ଦୁଇକୂଳ ଅଲଗା ମଧ୍ୟରେ ଭେଳା ଭାସି ।

କୋଟିୟେ ହିରଣ୍ୟ ଦାନ ଦେଲେ ଧର୍ମ ଯେତେ

ଗୁରୁ ପାଦ ରଜ ଧୂଳି ଘେନୁଥିବୁ ନିତ୍ୟେ ।

ଅଷ୍ଟରତ୍ନ ଗୋଧନାଦି ଦାନ ଯେତେ ଦେବା

କେବେହେ ଗୁରୁଙ୍କୁ ତିଳେ ଶୁଝି ନ ପାରିବା ।

ପ୍ରାତଃ କାଳୁ ଗୁରୁପାଦ ପଖାଳିବୁ ଜଳେ

ଥୋକାୟେ ଭକ୍ଷିଣ ଥୋକେ ପକାଇବୁ ଶିରେ ।

ଗୁରୁ ଯାହା କହିବେ ଘେନିବୁ ଦୃଢ଼କରି

ତିରଣ ଜାଳି ହୋଇବ ଯେହ୍ନେ ମେରୁଗିରି ।

ଭଲମନ୍ଦ ଦୁଇକଥା ବିଚାରି କହିବ

ଅଜାତି ହୋଇଲେ ତାଙ୍କ ଚରଣ ଧୋଇବ |

ଦେବ ଯାହା ଦେଲି ବୋଲି ନ ବୋଲିବ ତୁଣ୍ଡେ

ବଜ୍ରଶିଳା ଘେନି ଯମ ପିଟିବଟି ମୁଣ୍ଡ ।

ଗୁରୁର ବଚନ ବାବୁ ପାଷାଣର ଗାର

ଗୁରୁଙ୍କୁହିଂ ସେବାକଲେ ଯମଦଣ୍ଡୁ ପାର ।

ଗୁରୁ ଅକଲ୍ୟାଣେ ବଳା ନର୍କଗତି ପାଇ

ସପତ ପୁରୁଷ ଯାୟେ ଜନମ ହୁଅଇ ।

ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣସି ଗୋ ମାୟେ

ଆଗହୁଂ ନ କହିଲୁ ଯେ ୟେତେ ଦିନ ଯାୟେ ।

ପିଣ୍ଡ ରହିବାକୁ ମାତା କହ ସଦବୁଦ୍ଧି

କେଉଂ ଗୁରୁ ସେବାକଲେ କାୟା ହୁଏ ସିଦ୍ଧି ।

ବ୍ରାହ୍ମଣ ହେଉ କି ବା ଚାଣ୍ଡାଳ ହେଉ କିନା

ଯେ ରଖିବ ପିଣ୍ଡ ତାକୁ କରିବ ମାନନା ।

ବୋଲଇ ମୁକୁତା ଦେଈ ଶୁଣରେ ନନ୍ଦନ

ରାଜ୍ୟ ସୁଖ କି ତେଜିବୁ କହରେ ବହନ ।

ହସ୍ତୀ ଘୋଡ଼ା ଓଟ ତୋର ସମ୍ପଦ ବହୁତ

ୟେହା ଛାଡ଼ି ପାରିବୁ କି କହ ତୁ ରେ ସତ ।

ନବଲକ୍ଷ ବଳ ତୋର ଅନେଶ୍ୱତ ରାଣୀ

ୟେହା ତେଜିଲେକ ସିଦ୍ଧ ହେବୁ ତୁ ଅବନୀ ।

ଗୋବିନ୍ଦଚନ୍ଦ୍ର ବୋଇଲେ ମୁଚ୍ଛିଲି ମୁଂ ୟେହା

ଗୁରୁକେ ହୋଇବ ମୋତେ ବତାଅ ଗୋ ତାହା ।

ସତ୍ୟ ସତ୍ୟ ମାତା ମୋର ବଚନ ପ୍ରମାଣ

ତେଜିଲି ସମ୍ପତ୍ତି ଛୁଏଂ ତୁମ୍ଭର ଚରଣ ।

ମାତାୟେ ବୋଇଲେ ବାବୁ ଶୁଣରେ ଗୋବିନ୍ଦ

ମିଥ୍ୟା ସଂସାରେ ତୁ ପଡ଼ି ନୁହ ବନ୍ଦୀ
ଯେବଣ ହାଡ଼ିପାରେ ଖଟଇ ବାଡ଼ିତାଟି

ତାକୁ ସେବା କରିବୁ ଚରଣ ତଳେ ଲୋଟି ।

ଯେବେ ସେ ପ୍ରସନ୍ନ ତୋତେ ହୋଇବେ କୁମର

ଯମ କାଳପାଶରୁ ବଞ୍ଚିବୁ ଚିର କାଳ ।

ନୃପତି ବୋଇଲେ ଯେବେ ସିଦ୍ଧ ସେ ପୁରୁଷ

ନୀଚ୍ଚ କୁଳେ ଜାତ କିମ୍ପା କହ ସେ ସନ୍ଦେଶ ।

ପୂର୍ବ କର୍ମ ବଳୁ ରହି ମୃତ୍ୟୁ ମଣ୍ଡଳର

ପ୍ରଭାତହୁଂ ବାଡ଼ିତାଟି ଖଟଇ ମୋହର ।

ତାହାର ଚରଣେ ମାତା କେମନ୍ତ ତରିବି

ଅକାରଣେ ହେଳେ ପ୍ରାଣ କେମନ୍ତେ ନାଶିବ ।

ମୁକୁତା ଦେଈ ବୋଇଲେ ଶୁଣ ବାପ ତୁହି

ଶାପ ଅନୁକ୍ରମେ ମର୍ତ୍ତ୍ୟେ ଅବତାର ସେହି ।

ସତ୍ୟ ଯୁଗେ ଅତିଶୟ ତପ ଯେଣୁ କଲା

ଇନ୍ଦ୍ରପଦେ ବସିବାକୁ ମନ ବଳାଇଲା ।

ବ୍ରହ୍ମାଙ୍କୁ ମଣାଇ ବର ମାଗିଲାକ ଯହୁଂ

ବେଦବର ନାଥ ହେଲେ ପ୍ରସନ୍ନ ଯେ ତହୁଂ ।

ବୋଇଲେ ହେ ବ୍ରହ୍ମରଷି ଘୋର ତପେ ଥିବୁ

ଷାଠିଏ ସହସ୍ର ବର୍ଷ ଅଗ୍ନିରେ ପଶିବୁ ।

ଶତେ ଧୂଳି ମାଂସ ଯେବେ କରାଇବୁ ଦେହୀ

ବସିବୁ ଅମର ପଦେ କେ କରିବ ନାହିଂ ।

ବ୍ରହ୍ମାର ବଚନେ ରଷି ଘୋର ତପ କଲା

ଷାଠିଏ ସହସ୍ର ବର୍ଷ ଅଗ୍ନି ଲଗାଇଲା ।

ପ୍ରଥମେ ଯେ ଦୁଇପାଦ ଭରିଲା ଅନଳେ

ଜଳିଲା ଶରୀର କ୍ଷୟେ ନୋହିଲା ବିକଳେ ।

ନାଭି ମଣ୍ଡଳରେ ଯହୁଂ ଅନଳ ଲାଗିଲା ।

ଆତ୍ମା ବୈକଲ୍ୟ ରଷିର ବହୁତ ହୋଇଲା ।

ଆଗ୍ୟାଂଦେଲେ ବେଦବର ନିସତ ହୋଇଲୁ ।।

ତୋର ପରା ଋଷି ଅଗ୍ନି ସହି ନ ପାରିଲୁ ।

ଘେନ ଘନ ଶାପ ବୋଲି ବୋଇଲେ ବିଧାତା

ବଙ୍ଗଦେଶେ ଧନାହାଡ଼ି ଘରେ ହୁଅ ଜାତ ।

ଗୋବିନ୍ଦଚନ୍ଦ୍ର ରାଜାର ଖଟ ବାଡ଼ିତାଟି

ଶୁଣି ବ୍ରହ୍ମ ଋଷି ପାଦେ ପଡ଼ିଲେ ଯେ ଲୋଟି ।

ମୁକ୍ତିର କାରଣ ଯେ କହିବା ମୋତେ ୟେବେ

ବେଦବର ବୋଇଲେ ତୁ ଜାତ ହୁଅ ବେଗେ ।

କାହ୍ନୁ ପା ଚେଲାଙ୍କ ହୋଇବ ମହାଗ୍ୟାଂନ

ତୋ ବୋଲେ ମରଡ଼ାଶାଳ ଖଟିବେକ ଆନ ।

ଗୋବିନ୍ଦଚନ୍ଦ୍ର ରାଜାକୁ କହିବୁ ସୁବୁଦ୍ଧି

ତହିଂପରେ କ୍ରମେ ତୋର ହୋଇବ ଯେ ସିଦ୍ଧି ।

କେତେହେକ ଦିନ ରହି ଆସିବୁ ବହନ

ଦେବତାଙ୍କ ସଙ୍ଗେ ନିଶ୍ଚେଂ ହେବୁ ତୁହି ସମ ।

ବେଦବରଙ୍କ ବଚନେ ଜନ୍ମି ନୀଚକୁଳେ

ତାହାର ଜନମ କଥା ମୁଂ ଜାଣଇ ଭଲେ ।

ତୁ ଯେ ବୋଲୁ ଖଟଇ ମରଡ଼ାଶାଳ ମୋର

ତାହାର ଆଗ୍ୟାଂରେ ଆନ କରଇ ନିର୍ମଳ ।

ପ୍ରତକ୍ଷରେ ଦେଖ ବାବୁ ବେନି ନୟନର

ଦେଖିଲେତ ପ୍ରତେ ଯିବୁ ତୁହିଟି କୁମର ।

ଏତେ ବୋଲି ନବର ଭିତରେ ବିଜେକଲେ

ଚଉରାଶି ମଢଫୁଲି ମଣୋହି ସାରିଲେ ।

ଦିନଶେଷ ରଜନୀ ହୋଇଲା ଗୋବିନ୍ଦାଇ

ରାତ୍ର ବେନି ପ୍ରହରରୁ ଉଜାଗର ହୋଇ ।

ହୀରାର କଉଠି ମାଡି ମରଡା ଶାଳର

ପ୍ରବୃତ୍ତି ସଂସ୍କାର ସାରି ହୋଇଲା ବାହାର ।

ରତ୍ନଗଡୁ ଜଳରେ ଶଉଚ କଲା କାୟେ

ଖଣ୍ଡେ ଦୂରେ ଅନାଇଛି ଅନ୍ତର ପରାୟେ |

ୟେମନ୍ତ ସମୟେ ଯେ ରଜନୀ ପାହିଗଲା

କାକରଡି ଦ୍ୟନ୍ତେ ଦିଗ ନିର୍ମଳ ଦିଶିଲା ।

ହାଡିପାଏ ବାହାର ହୋଇଲେ ଧାତିକାରେ

ପଛରେ ଗୋଡ଼ାଇ କାନ୍ଦେ ବାଳୁତ କୁମରେ ।

ହାଡିପାଏ ବୋଲେ ବାବୁ କାନ୍ଦ କାହିଂ ପାଇଂ

ଏହିକ୍ଷଣି ଆସିବି ମନ୍ଦିରେ ଥାଅ ତୁହି ।

ନରହି ବାଳୁତ ଗୋଟି ଗୋଡ଼ାଇଲା ଯହୁଂ

ମରଡ଼ା ଶାଳ ନିକଟେ ବିଜେକଲା ତହିଂ ।

ଧାଡ଼ି ଧାଡ଼ି ରଙ୍ଗଲତା ବୃକ୍ଷ ତୋଟାମାନ

ଫଳଭରା ହୋଇଣ ଯେ ରହିଅଛି ପୁଣ ।

ବାୟେଣ ବରଡ଼ା ପତ୍ର ଶବଦ କରଇ

ପଇଡ କାନ୍ଦିକି ଚାହିଂ କୁମର ବୋଲଇ ।

ଭୋ ପିତା ବୃକ୍ଷରୁ ମୋତେ ପଇଡ଼ ତୋଳି ଦିଅ

ହାଡ଼ିପା ବୋଇଲା ବାବୁ ୟେମନ୍ତ ନକହ ।

ରାଜାଙ୍କର ପଇଡ଼ ଯେ ଆଣିଲେ ଅସାର

ତୋଟାଳିଆ ଜାଣିଲେ କରିବେ ମହାଗୋଳ ।

ତଥାପି କୁମରମଣି କାନ୍ଦେ ଗଡ଼ଘାଲି

ଦିଅ ପିତା ପଇଡ଼ ବୃକ୍ଷରୁ ମୋତେ ତୋଳି
ପୁତ୍ରର ବିକଳ ଦେଖ୍ ହାଡ଼ିପା ବୋଇଲେ
ଆସ ହୋ କତିକି ବୋଲି ବୃକ୍ଷକୁ ରାଇଲେ
ଗୁରୁଙ୍କ ବଚନ ପାଇ ନାରିକେଳ ଗଛ

ଆକାଶୁଂ ଖସିଣ ଆସି ହୋଇଲାକ ମଞ୍ଚ ।

ଆପଣେ ହାଡ଼ିପା ଫଳ ଗୋଟିୟେ ତୋଳିଲେ

ବାଳୁତ ହସ୍ତରେ ନେଇ ନାରିକେଳ ଦେଲେ ।

କୁମର ବୋଇଲା ପିତା ଦିଅ ଆଉ ଗୋଟି

ନାସ୍ତି କଲେ ହାଡ଼ିପା ବହନ ଗଲା ଉଠି ।

ଆକାଶେ ରହିଲା ଯାଇ ନାରିକେଳ ଗଛ

ଫଳ ଘେନି କୁମର ଲେଉଟିଗଲା ପଛି ।

କୋଦାଳ କୁଣ୍ଢୋଇକି କୋମଳେ ଆଗ୍ୟାଂଦେଲେ

ବେଗେ ଯାଇଂ ବାଡ଼ିତାଟି ଖଟରେ ବୋଇଲେ ।

ଆଗ୍ୟାଂ ପରମାଣେ ଯେ କୋଦାଳ ଚଳିଗଲା

ମରଡ଼ା ଶାଳେ ପଶି ସବୁ ନିର୍ଭାକଲା ।

କୁଣ୍ଢୋଇରେ ପୂରାଇ ସେ ଦେଲା ତତକ୍ଷଣ

ନଗ୍ରରୁ ବାହାର କରି ପକାଇଲା ପୁଣ ।

ହାଣ୍ଡିନେଇ ଗୋମୟ ପକାଇ ପୁଣି ଗୋଳି

ନବୋଲୁଂ ପହଂରା ପଛେ ନେଲା ସେ ପହଂରି ।

ଯେ ଯାହା ଠାବରେ ଯାଇ ରହିଲେ ତ୍ୱରିତ

ହାଡ଼ିପାଏ ବିଜେ କଲେ ନିଜ ଗୃହପ୍ରାନ୍ତ ।

ଖଣ୍ଡିୟେକ ଦୂରେ ଯେ ଗୋବିନ୍ଦଚନ୍ଦ୍ର ଥିଲେ

ହାଡ଼ିପା ଚରିତମାନ ନୟନେ ଦେଖିଲେ ।

ନଗର ଭିତରେ ଯାଇ ପଶିଲେ ବହନ

ମାତାଙ୍କର ସନ୍ନିଧିରେ ବିଜୟ ବହନ ।

ଅବଧାନେ ଶୁଣ ମାତା ଆଗ୍ୟାଂ ଦେଲେ ଯାହା

ମରଡ଼ାଶାଳାରେ ରହି ଦେଖୁଲି ମୁଂ ତାହା ।

ହାଡ଼ିପାର ପୁତ୍ରଗୋଟା ସଂଗତରେ ଥିଲା

ନାରିକେଳ ଫଳରୁ ସେ ଗୋଟିୟେ ମାଗିଲା ।

ତକ୍ଷଣେ ହାଡ଼ିପା ଆଜ୍ଞା ଦେଲାକ ବୃକ୍ଷକୁ

ଆକାଶୁଂ ଓହ୍ଲାଇ ବୃକ୍ଷ ଅଇଲା ତଳକୁ ।

ତହିଂରୁ ଗୋଟିଏ ଫଳ ତୋଳି ପୁତ୍ରେ ଦେଲା ।

ଯା ବୋଲନ୍ତେ ବୃକ୍ଷଯାଇ ଆକାଶେ ଲାଗିଲା ।

କୋଦାଳ କୁଣ୍ଢୋଇ ଯାଇଂ ଖଟେ ବାଡ଼ି ତାଟି

ପ୍ରତକ୍ଷ୍ୟେ ଦେଖିଲା ମାୟେ ମୋର ବେନି ଆଖୁ ।

ଜନନୀ ବୋଇଲେ ବାବୁ ଦେଖିଲୁ ପ୍ରତକ୍ଷ

ସଦଗୁରୁ ପୂଜାକଲେ ପିଣ୍ଡ ହୋୟେ ମୋକ୍ଷ ।

ଜନମ ହୋଇଲେ ଦେହ କ୍ଷୟ ହୋୟେ ବାବୁ

ନାମବ୍ରହ୍ମ ଶୁଣିଥିଲେ କାରଣ ପାଇବୁ ।

ଜଉ ସଜଳସ ଯେହେ ଅଗ୍ନିପାଶେ ଜାଣି

ପୁରୁଷ ଦେହକୁ ଅଗ୍ନି ପରାୟେ ତରୁଣୀ ।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ନପାରନ୍ତି ଯାଇ

ପୁନ ପୁନ ଅବତାର ହୋନ୍ତି ଦେହଛାଡ଼ି ।

ଇନ୍ଦ୍ରଜାଲ ମାୟା କେହି କାହାର ନୁହନ୍ତି

ବିଜୁଳି ପବନ ପ୍ରାୟେ ଜୀବ ଘଟ ସ୍ଥିତି ।

ସର୍ବଜ୍ଞାନ ଆଦିମୂଳ ଗୋବିନ୍ଦର ନାମ

ଗୋବିନ୍ଦ ଚିନ୍ତିଲେ ପାଇ ପରମ କାରଣ ।

ଗୋବିନ୍ଦର ନାମ ମହାମନ୍ତ୍ର ବୋଲି ଜାଣି

ସେହି ନାମ ଘୋଷୁଥଲେ ପାଇବୁ କାରେଣୀ ।

ବରଷାରେ ପାଣିଥୋପା ଯେସନେ ଉତ୍ପନ୍ନ

କେଣେ ଭାସିଯାଇ ନ ଦିଶଇ ରେଖି ବର୍ଣ୍ଣ ।

ସେହିମତି ଦେଖ ଯେ ଶରୀର ଗୋଟି ବାବୁ

କାଳକୁ ଜିଣିଲେ ଚାରିଯୁଗେ ରହିଥିବୁ ।

କରେ ମଦୁରା ଲାଇ କାଇକଛା ହୃଦେ

ସର୍ବାଙ୍ଗ ବିଭୂତି ଘଷି ରହିବ ଆନନ୍ଦେ ।

ଶିଙ୍ଗା ଶକତି ତ୍ରିଶୂଳ କଣେ ଘେନିଥିବୁ ।

ଥୋଲିକତ୍ସା ଲାଉଥାଳ ନିରତେ ବହିବୁ ।

ଦେଉକି ନ ଦେଉ ପୁଣ ଯେ ଯାହାର ଇଚ୍ଛା !

ପାଇଲେ ଆନନ୍ଦ ମୟେ ନ ପାଇଲେ ତୋଷ

ତହିଂକି ତୋହର ମନେ ନ ଧରିବୁ ରୋଷ ।

ଜାଗିଲାରେ ମାତା ବୋଲି ଶିଙ୍ଗାନାଦ ଦେବୁ ।

ଭିକ୍ଷାଦେଲା କନ୍ୟାର ବଦନ ନ ଚାହିଁବୁ ।

ଆସନ୍ତୋଣ ଭୂମିକୁ ତୁ ଦେଉଥବୁ ଦୃଷ୍ଟି

କଦାଚିତେ ଭ୍ରମି ତୁ ନ ଚାହିଁବୁ ଲେଉଟି ।

ପୁରୁଷଙ୍କୁ ବାବା ବୋଲିବୁରେ ବାପ ଭାଇ

ସ୍ତ୍ରୀ ଜନମାନଙ୍କୁ ବୋଲିବୁ ଆଈ ମାଇଂ ।

ବାଳୁତେ କାଟିବୁ ହିଂସା ଅହଂକାର ମାନ

କୋଟିସ୍ତେ ପୁରୁଷ ଚିରେ ଉଦ୍ଧାରିବା ପୁଣ ।

ପାଞ୍ଚଠା ଭିକ୍ଷାରୁ ବାବୁ ଅଧୁକ ଘେନିଲେ

ଦେଲେଣ ଧରମ ନାହିଁ ନ ଘେନିମ୍ନ ଥାଳେ ।

ଆଣିଲେ ହେଁ କାରଣ ତୁ ନପାଇବୁ ପୁଣ

ବିଳମ୍ବ ନକରି ପୁଣ ଲେଉଟିବ ରଣ ।

କାମ କ୍ରୋଧ ନିଦ୍ରାତ୍ୟାଗ ନ କରିବୁ ଯେବେ

ପିନ୍ଧିଲାର ବସ୍ତ୍ର ଧୋବି ଘେନିଯିବ ତେବେ ।

ରତି ଉପେକ୍ଷିଣ ତୁ ଆହାର ବଞ୍ଚାଅ

ନିଶାରେ ଜଗିବସିବୁ ମନେ ହେଜିଥାଅ ।

ସେ ସିଦ୍ଧ ହୋଇଲେ ଜଳେ ନବୁଡ଼ଇ ପାଦ

ଚଉରାଶି କାଠି ସିନ୍ଧୁ ଗଭୀର ଅଗାଧ ।

ଷୋହଳ ଡମ୍ବରୁ ଶିଖେ ସରୋବର ପୂରି

ବନ୍ଧ ନିଭାଜିବ ମନ କରିବ ଲହରୀ ।

ତେବେ ସେ ତରିବ ଗୁରୁ ହୋଇବେ ପ୍ରସନ୍ନ

ଯେବେ ଚାଇ ଶ୍ରୀଗୁରୁଙ୍କ କରିବା ଦ୍ରଶନ ।

ୟେତେ ବୋଲି ପୁତ୍ରକୁ ଘେନିଣ ମହାଦେଶ

ନିଶାରେ ବାହାର ହେଲେ ସଙ୍ଗେ କେହି ନାହିଁ ।

ପୟର ପୂଜାକୁ ଅଷ୍ଟରତ୍ନ ଚାଙ୍ଗୁଡ଼ାୟ

ପୁଷ୍ପମାଳ ଚନ୍ଦନ ଯେ କର୍ପୂର ପୂରାୟେ ।

ତୁରିତେ ମିଳିଲେ ଯାଇ ହାଡ଼ିପାଙ୍କ ଦ୍ବାର

ଜାଣିଣ ହାଡ଼ିପା ଘରୁ ହୋଇଲେ ବାହାର ।

ମାତାଙ୍କର ଆଗ୍ୟପ୍ରାଇ ରାଜା ଗୋବିନ୍ଦାଇ

ଅଷ୍ଟରତ୍ନ ଚାଙ୍ଗୁଡ଼ି ଥୋଇଲେ ତଳେ ନେଇ ।

ହାଡ଼ିପା ଚରଣ ଧରି ଓଳଗି ଶୁତିଲେ

ଦେଖିଣ ହାଡ଼ିପା ମନେ ତରସ୍ତ ହୋଇଲେ ।

ଧାତିକୀରେ କୋଳକରି ଧଇଲେ ରାଜାଙ୍କୁ

କି ନିମନ୍ତେ ରାଜନ ଅଇଲୁ ମୋହଠାକୁ ।

ଛତିଶ କୁଳ ପାଟକ ଚାରି ଜାତି ସାର

ଶୂଦ୍ର ବଶ୍ୟ କ୍ଷତ୍ରିୟ ଆବର ଦ୍ୱିଜବର ।

ସର୍ବତନ୍ଦୁ ପାପୀ ହୀନ ହାଡ଼ି ଜାତି ଗୋଟି

ମୋହର ଚରଣ ତଳେ କିମ୍ପା ତୁରେ ଲୋଟି ।

ବାଡ଼ିତାଟି ଖଟିଣ ତୁମ୍ଭଙ୍କୁ କରେ ସେବା

ଅପ୍ରାଧ ଉଚିତ ଜାଣି ଶାସ୍ତିମୋତେ ଦେବା ।

ପ୍ରଭାତରୁ ଚାନ୍ଦିବ ଯେ ମୋହର ବଦନ ।

ତାହାକୁ ଲାଗଇ ଦୋଷ ଶୁଣ ହେ ରାଜନ ।

ମୁକୁତା ଦେଈଙ୍କ ମୁଖ ଚାହିଁଲେ ହାଡ଼ିପା

ତୁମ୍ଭେ ଜାଣୁ ଜାଣୁ ୟେହା ବିଚାରିଲ କିମ୍ପା

ବୋଲଇ ମୁକୁତା ଦେଶ ଶୁଣ ହେ ମହାଗୁରୁ

ଗୋବିନ୍ଦଙ୍କୁ ମନ୍ତ୍ରଦିଅ ମାୟା ମୋହ ତରୁ ।

ହାଡ଼ିପା ବୋଇଲେ ତୋର ଏକଇ ନନ୍ଦନ

ୟେହାକୁ ତୁ ସିଦ୍ଧ ଯେବେ କରିବୁ କାରଣ ।

ରାଜ୍ୟ ରାଜ୍ୟ କରିବାକୁ କେହୁ ଅଛି ତୋର

କେ ପାଳିବ ବଙ୍ଗଦେଶ ଚତୁରଙ୍ଗ ବଳ ।

ଅନାଥ ହୋଇବେ ଜନ ପରଜା ବିପଦେ

ରିପୁଭୋଗ କରିବେ ଯେ ଯେଡ଼େକ ସମ୍ପଦେ ।

ଅନେଶ୍ୱତ ରାଣୀ ବେନି ପାଟ ମହାଦେଶ

ୟେହାଙ୍କ ଭାଙ୍ଗିବ ଆଶା ବିଶ୍ରାମିବେ କାହିଁ ।

ୟେତେକ ସମ୍ପତ୍ତି କରିପାରିବଟି ତେଜ୍ୟ

ମତ୍ତଗର୍ବ ବୟସରେ ହୋଇଅଛି ରାଜା ।

ବଡ଼ଇ ଦୁର୍ଗମ ପଥ ତପ ସାଧୁବାର

ନ ବୋଲ ମୁକୁତା ଦେଈ ଯେମନ୍ତ ବେଭାର ।

ମାହାଦେଈ ବୋଇଲେ ସେକଥା ଛାଡ଼ିଦିଅ

ଯୁଗ ଯୁଗାନ୍ତରେ ସିଦ୍ଧ ହେଉ ମୋର ପୁଅ ।

ରାଜ୍ୟ ଆବୋରିଣ ମୁହଁ ରାଜା ହୋଇଥିବା

ରାଉତ ମାହୁନ୍ତ ସର୍ବ ପ୍ରକାନ୍ତ ପାଳିବି ।

ହାଡ଼ିପା ବୋଇଲେ ରାଜା ଶୁଣ ଗୋବିନ୍ଦାଇ

ମନ ଦୃଢ଼କରି କଷ୍ଟ ପାରିବୁ କି ସହି ।

ଲବଣୀଠାରୁ କୋମଳ କାୟା ଅତି ସୁଖ

ଅରଣ୍ୟ ଡିଙ୍ଗରେ ବୁଲି ପାଇବୁ ତୁ ଦୁଃଖ ।

ଭୂମିରେ ଶୋଇଣ ପୁତା ଅଭକ୍ଷ୍ୟ ଭକ୍ଷିବୁ ।

ଶ୍ମଶାନ ଭୂମିରେ ପୁତା ଯେକାନ୍ତେ ବୁଲିବୁ ।

ଗ୍ରାମେ ନ ଭୁଞ୍ଜିବୁ ପୁତା ଯାନେ ନ ଚଢ଼ିବୁ ।

ଭୋଜନ ଶେଷକୁ ପୁତା ପାଣି ନ ଥିବୁ ।

ଛପନ କୋଟି ଜୀବର ମୃତ୍ୟୁ ଅଟେ ସାର

ସର୍ବ ଘଟେ ନାରାୟଣ କେହି ନାହିଁ ପର ।

ପବନକୁ ନିରୋଧବୁ ଦଶଦ୍ୱାର ବାଟେ

ଶୋଷିଣ ଯେ ନିଶ୍ବାସ ତୁ ଚଳାଅ ଉଚ୍ଚାଟେ ।

ଅମନ ମନ୍ଦିରେ ପଶି ମନ କର ଦୃଢ଼

ଯୋଗ ସାଧୁବାର ପୁତା ଅତି ମହାଗାଢ଼ ।

ନାଭିପାଶେ ନାସାଦଣ୍ଡ ଯେବେଟି ଲାଗିବ

ତେବେ ସେ ପ୍ରାଣକୁ କେବେ ପିଣ୍ଡ ନ ଛାଡ଼ିବ ।

ମୂଳ କମଳକୁ ପୁତାରେ ପାରିବୁକି ସାଧୁ

ନସାଧୁଲେ ଅକାରଣ ହୋଇବ ଯେ ବିଧ ।

ବୋଇଲେ ଗୋବିନ୍ଦଚନ୍ଦ୍ର ଶୁଣ ମହାଗୁରୁ

ପାଇଲି କାରଣ ଆଶ୍ରେ କରି ମହାମେରୁ ।

ତୁମ୍ଭ ଶ୍ରୀଚରଣରେଣୁ ପରସାଦେ ପୁଣି

ସାବି ଫୁ ଯୋଗଧାନ କପଥେ ଶୁଣି ।

ଛାଡ଼ିବି ସଂସାର ଦୁଃଖ ଦଣ୍ଡ ସିଂହାସନ ।

ରାଜ୍ୟ ଦେଶକୁ ମୋହର ନରୁଚଇ ମନ ।

ମାୟାରେଣ ପଶିଲେ କାୟା ହୋୟେ କ୍ଷୟ

ନୋହୁ ସେ ପଣ ସମ୍ପରି ରହିବା ସମୟ ।

ମନ ଦୃଢ଼ କରାଇଲେ ହାଡ଼ିପା ଗୋସାଇଂ

ଆସ କର୍ଣ ମହାମନ୍ତ୍ର ହେବି ଗୋବିନ୍ଦାଇ ।

ମହାମନ୍ତ୍ର ଉଚ୍ଚାରିଲେ ଦକ୍ଷିଣ କର ଗୁରୁ

ଆଖ୍ୟାଦେଲେ କାୟା ହେଉ ତୋ ଅଜର ।

କରେ ମୁଦୁରାଦେଇ ବୋଲି ନାଦଦେଲେ

ଅକ୍ଷୟ ହୋଇଣ ଥାଅ କଲ୍ୟାଣ ବାଥିଲେ ।

ଦୀକ୍ଷାପାଇ ଆନନ୍ଦ ହୋଇଲା ରାଜା ମନ

ପୁଣି ସେ ଗରୁଙ୍କ ପାଦେ କଲାକ ପ୍ରଣାମ)

ନିର୍ମଳ କଳିରେ ପାଦ ପଖାଳି ବେଗରେ

ଗର୍ଭକୁ କ୍ଷେପିଣ ଅର୍ବେ ପକାଇଲା ଶିରେ ।

ମାତାଙ୍କୁ ଓଳଗି ହୋଇ ଉଠିଲା ତୁରିତ

ଉଜ୍ଜଳ ଦିଶିଲା ତାକୁ ଧୁବ ପରିଯନ୍ତ ।

ସମରାଜ୍ୟ ପାଶୋରିଲା ନରୁଚିଲା ମନେ

ମନ ବଳାଇଲା ନେଇ ଶ୍ରୀଗୁରୁ ଚରଣେ ।

ପୁତ୍ରକୁ ହିଂ ଯୋଗୀକରି ମୁକୁତା ଜନନୀ

ଅସମ୍ଭାଳେ ନୟନରୁ ବହୁଅଛି ପାଣି ।

କିସ ପାଇଂ ୟେକୁ ବୁଧୁ କଲି ମୁହଁ ନାରୀ

ଏକଇର ବଳା ମୋର ହେଲା ତପଚାରୀ ।

ଦଶମାସ ଗର୍ଭଧରି ହେଲି ଅପୁତ୍ରିକ

କୁଳ ଭାସିଗଲା ମୋର ହୋଇଲି ନିରକ୍ଷ ।

ଦଇବ ପୁରୁଷ ଯେହା ବିଚାରୁଛି ପୁଣି

ମାତା ପୁତ୍ର ଭିନ୍ନ ଭିନ୍ନ କରାଇଲୁ ଆଣି ।

ବଙ୍ଗରାଜ୍ୟ ସମ୍ପରି ମୋ କେ ଭୋଗ କରିବା

ମୁହଁ ସେ ଗୋବିନ୍ଦ ମନ କଲି ଉଦବେଗ ।

ହାଡ଼ିପା ବୋଇଲେ ତୁମ୍ଭେ ବିକଳ କିମ୍ପାଇ

ଅନେକ ପ୍ରକାରେ ବୁଦ୍ଧି କହିଲି ମଣାଇ ।

ଆପଣୀ ଇଚ୍ଛାରେ ପୁତ୍ର ଯୋଗୀ କରାଇଲୁ ।

ବାଳୁତ ସ୍ୱଭାବେ ମନ କିମ୍ପା ବଳାଇଲୁ ।

ଯେବେକି ଲୋଡ଼ିଲେ ଆଉ ପାଇ ସେହୁ କଥା

ମିଥ୍ୟରେ ରୋଦନକରି ମନକରୁ ବ୍ୟଥା ।

ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣସି ଗୋ ମାୟେ ।

ସାଧୁତ ମେଲିଣ ପୂର୍ବେ ବୋଇତ ଗୋଟିଏ ।

ସିନ୍ଧୁର ଲହରୀ ଘୋତେ ଭାସିଲା ବୋଇତ

କୁଳରେ ନ ଲାଗି ସର୍ବ ଦ୍ରବ୍ୟଗଲା ହତ ।

ମୋତେ ସେହିମତ କରି ମୁରୁଛି ଗୋ ମାୟୁ

ସମୁଦ୍ରେ ଭାସିଲା ଭେଳା ଲୋଡ଼ିଲେକି ପାଏ ।

ତୁମ୍ଭେ ସେ କାରଣ ମୋତେ କଲ ଗର୍ଭଧାରୀ

ମୋହକର୍ମ ବଳେ ମୁଁ ସଂସାରୁ ଯିବି ତରି ।

କୁମର ବଚନେ ମାୟେ ଗଲେ ନବରକୁ

ଗୁରୁଆଗ୍ୟ ଦେଉଛନ୍ତି ଗୋବିନ୍ଦଚନ୍ଦ୍ରକୁ ।

ନବରକୁ ନ ଯା ବାବୁ ବସ ମଣ୍ଡପର

ଦିନଚାରି ରହି ଫେରିଯିବୁ ଦେଶାନ୍ତର ।

କୁମର ବଚନେ ମାୟେ ନବରକୁ ଚଳି

ମଣ୍ଡପେ ବସିଲା ରାଜା ମୃଗଛାଇ ମାଡ଼ି ।

ୟେମନ୍ତ ସମୟେ ଯେ ଶୁଭିଲା ଶଙ୍ଖଧ୍ୱନି

ପିକରାବ ଦେଲା ଯହୁ ପାଇଲା ରଜନୀ ।

ନଗ୍ର ନରନାରୀ ଯେ ବାହାର ହେଲେ ଘରୁ

ଦେଖିଲେ ବସିଛି ରାଜା ଅନାଇଲେ ଦୁର୍ବୁ ।

ସର୍ବାଙ୍ଗ ବିଭୂତି ମୟ ହୃଦେ ଶୋହେ କଛି ।

ଦେଖିଣ ଆଶ୍ଚର୍ଯ୍ୟ ଯେ ପାଇଲେ ମହାବ୍ୟଥା ।

ମୁଦୁସୁଲୀ ଗଣ ୟେହା ଦେଖିଲେକ ଯହୁ ।

ଅନ୍ତେପୁର ପୁରକୁ ସେ ଧାଇଂଗଲେ ତହୁ ।

ଯେଭ୍ୟଠାରେ ବସିଛନ୍ତି ରୋଦମୀ ପୋଦମା

ବାରତା କହନ୍ତି ଯାଇ ମୁଦୁସୁଲୀ ବାମା ।

ଶୁଣ ପାଣ୍ତ ଠାକୁରାଣୀ ଦେଖିଲଇଂ ଯାହା

ଯୋଗୀ ବେଶ ହୋଇଛନ୍ତି ତୁମ୍ଭ ପ୍ରାଣନାହା ।

ମଣ୍ଡପରେ ବସିଛନ୍ତି ବିଭୂତି ଭୂଷଣ

କରେ ମୁଦୁରା ହୃଦେ କାଇ କନ୍ଥାମାନ ।

ନଗ୍ର ନାରନାରୀମାନେ ବେଢ଼ି ଦେଖୁଛନ୍ତି ।

ହାଡ଼ିପା ଯେ ଉଚ୍ଚାଟିଲା ୟେମନ୍ତ ବୋଲନ୍ତି ।

ରୋଦମା ପୋଦମା ବେନି ସପତଣୀ ଶୁଣି

ଆତ୍ମା ବିସର୍ଜିଲେ କି ବାଳୁତ ମତି ଜାଣି ।

ମୂଳରୁ ଛେଦିଲେ ଯେହ୍ନେ ତରୁ ତଳେ ପଡ଼େ

କେଶବାସ ଅସମ୍ଭାଳ ହୃଦୟ ଆକୁଳେ ।

ଘଡ଼ିକେ ଚେତନା ପାଇ ଉଠିଲେକ ରାଣୀ

ପ୍ରିୟସଖୁମାନେ ମୁଖେ ସିନ୍ଧୁଛନ୍ତି ପାଣି ।

ନବରୁ ବାହାର କେଶ ଅସମ୍ଭାଳ ହୋଇ

ଯେହ୍ମଠାରେ ବସିଛନ୍ତି ରାଜା ଗୋବିନ୍ଦାଇ ।

ସେଠାରେ ପ୍ରବେଶ ହେଲେ ରୋଦମୀ ପୋଦମା

ଉର୍ବମୁଖ ହୋଇ ରଡ଼ି ଦେଲେ ଦୁଇ ବାମା ।

ତାହାଙ୍କ ପଛରେ ଅନେଶ୍ୱତ ପରିବାରୀ

ରାଜାଙ୍କର ମୁଖ ଚାହିଁ ପାଡ଼ନ୍ତି ବୋବାଳି ।

ଆହା ପ୍ରାଣନାଥ କେ ତୁମ୍ଭଙ୍କୁ କଲା ବାଇ

କାହାଠାରୁ ହୀନବୁଦ୍ଧି ଶିଖିଲ ଗୋସାଇଂ ।

ନବଲକ୍ଷ ବଳ ତୋର ଅନେଶ୍ୱତ ରାଣୀ

ଷୋହଳଶତ ହସ୍ତୀ ମୂଳଦନ୍ତୀ ଶତ ତିନି ।

ଚାରିଶତ ସିନ୍ଧୁଜାତି ଶତେକ ଖଇର

ବେନିଶତ ଟାଙ୍ଗଣ ଅଟଇ ନରେଶ୍ଵର ।

ସେହିମତେ ଷୋହଳଶତ ତୋହର ପାରୁଶ

ତହିଂର ଉପରେ ଦଣ୍ଡସିଂହାସନେ ବସ ।

ଯେଡ଼େ ବଡ଼ ପଣଛାଡ଼ି ଯିବୁ ଦେଶାନ୍ତର

ବାହୁଡ଼ି ଗୋସାଇଂ ଆମ୍ଭ ବୋଇ ଶୀଘ୍ରକର ।

କର୍ଷରୁ ମୁଦୁରା କାଢ଼ି କନ୍ଥା ଦୂର କର ।

ବିନୟରେ କହୁଅଛୁ ବାରେ ରକ୍ଷାକର ।

ହୀନ ବିଡ଼ମ୍ବଣ ରୂପ ହୋଇଇ କି ଅର୍ଥ

କେ ତୁମ୍ଭଙ୍କୁ ବୁଦ୍ଧିଦେଲା ନକହ ଅଗ୍ରତେ ।

ରାଣୀଙ୍କୁ ନଚାହିଁ ରାଜା ଚାହିଂଲା ମେଦିନୀ

ଶୁଣସିଗୋ ରୋଦମା ପୋଦମା ବେନିରାଣୀ ।

ମାୟାମୋହ ତେଜି ଆମ୍ଭେ ଦେଶାନ୍ତର ଯିବ୍ରୁ

ମୃଭିକା ଶରୀର ଗୋଟି ଅକ୍ଷୟ କରିବ୍ୟୁ ।

କୋଟିୟ ପୁରୁଷ ମୋର ପାଇବେ କାରଣ

କାଳି ଲଗାଇବୁ ଆମ୍ଭେ ଯମର ମୁଖେଣ ।

ଦଣ୍ଡ ସିଂହାସନେ ମୋର ନରୁଚଇ ମନ

ମୟେ କହିଛନ୍ତି ମୋତେ ୟେହି ବ୍ରହ୍ମଗ୍ୟାନ ।

ହାଡ଼ିପା ବୋଲିଣ ଗୁରୁ ଦୀକ୍ଷା ଦେଲେ ମୋତେ

ଯେ ପାପ ଶରୀର ମୁକ୍ତି ହୋଇବ ଯେମନ୍ତେ ।

ତୁମେତ ବିପୁଳ ଭୋଗ ଭୁଞ୍ଜିବ ସମୟ

ଯେବେ ମନୁ ମୁଛି ମୋତେ ଧଉର୍ଯ୍ୟଧର କାୟେ ।

ନିରାଶ ହୋଇଣ ରାଣୀ ନବରକୁ ଯାଆ ମାତା

ମୁକୁତା ଦେଈକି ସେବା କରୁଥାଅ ।

କାନ୍ତର ବଚନ ଶୁଣି ହୋଇଲେ ବିକଳ

ମୁଖ ଟେକି ଯାହା ପ୍ରଭୁ ନ କହିଲ ଉତ୍ତର ।

କେମନ୍ତେ ବଳିବ ସତ ଆମ୍ଭଙ୍କୁ ଛାଡ଼ିବା

ଧର୍ମଦେବତା ତୁମ୍ଭଙ୍କ କେମନ୍ତେ ସହିବ ।

ବୋଲନ୍ତି ଗୋବିନ୍ଦଚନ୍ଦ୍ର ଶୁଣସି ଗୋ ରାଣୀ

ତୁମ୍ଭଙ୍କୁ ଚାହିଁଲେ ମୋର ଯୋଗହୋୟେ ହାନି ।

ମାସ ଦୁଇ ଚାରି ଫେରି ଆସିବୁ ଲେଉଟି

ଯେହି ବଙ୍ଗଦେଶରେ ହୋଇବା ଭେଟାଭେଟି ।

କାନ୍ତର ବଚନେ ରାଣୀ ହୋଇଲେ ବିକଳ

ମୁଖଟେକି ଚାହିଁ ପ୍ରଭୁ କହସି ଉତ୍ତର ।

ପୂର୍ବେ ଈଶ୍ୱରଙ୍କୁ ଆମେ ମାଗିଥିଲୁ ବର

ତପ ବଳେ ତୁମ୍ଭଙ୍କୁ ପାଇଲୁ ଦଣ୍ଡଧର ।

କୋଡ଼ିୟେ ବରଷର ଗୋବିନ୍ଦଚନ୍ଦ୍ର ରାଜା

ଷୋଳବରଷର ରୋଦମା ପୋଦମା ଭାରିଯା ।

ୟେମନ୍ତ ସମୟ ରାଜା ଦେଶାନ୍ତର ଗଲେ ।

ଦଇବ ପୁରୁଷ ତୋତେ ନସହିବ ଭଲେ ।

ଆମ୍ଭେ ତୋ ଅଦ୍ଧ ଅଙ୍ଗ ମହାପାଟରାଣୀ

କଳିଙ୍ଗରାଜା ଦୁହିତା ବିରହ କାମେନୀ ।

ଆଶା ଥାଇଂ ନିରାଶ କରନ୍ତି ଯେହ୍ମ ଜନ

ମହାପାପୀ ସଙ୍ଗେ କରେ ନରକ ଗମନ ।

ରୋଦମା ପୋଦମାକୁ ଯେ ବୋଲେ ମହୀଧର

କାହିଂକି ଗୋ ରାଣୀ ତୁମ୍ଭେ କରୁଅଛି ଗୋଳ ।

ଦଇବ ପୁରୁଷମାନେ କରନ୍ତି ବିଚ୍ଛେଦ

କେ ଆନ କରିବ ସୂଚୀମୁନେ ନାହିଁ ଭେଦ ।

ମଦନବାଣକୁ ଯେବେ ନ ପାରିବ ସହି

ଚୋରିରତି କରାଇବ ସପତଣୀ ଦୁଇ ।

ଅତିହିଂ ଅଗ୍ୟାନ ଯେବେ ହୋଇବାକୁ ମନ

ଦେଉଳେ ସମ୍ପ୍ରଦା ତୁମ୍ଭେ ହୁଅ ଗୋ ବହନ ।

ନିରାଶେ ବୋଲଇ ରାଜା ଛାଡ଼ିଲି ସେନେହ

ଆମ୍ଭଙ୍କୁ ଅନାଇ କିମ୍ପା କରୁଅଛି କୋହ ।

ହୋଇବଇଂ ଯୋଗୀବେଶ ସାଧୁବଇଂ ଯୋଗ

ଆବର କିସ କରିବି ରତିରସ ଭୋଗ ।

ଶୁଣି ପ୍ରତ୍ୟୁତ୍ତର ଦେଲେ ରୋଦମା ପୋଦମା

ପୂର୍ବ ଅପରାଧ ଆୟ କେ କରିବ କ୍ଷମା ।

ଆହୋ ମହୀପତି ବଢ଼ି କହିବ୍ରୁ ଯେ କେତେ

ମଣ୍ଡପରେ ମଠକରି ଯୋଗ ସାଧ ନିତ୍ୟେ ।

ସୁବର୍ଣ ଭାଉରେ ଆସ୍ତେ ମାଗୁଥବଂ ଭିକ୍ଷା

ଦଳବଳ ଲୋକ ଆସ୍ତେ ଖଟିଚ୍ୟୁ ଇଚ୍ଛା |

ଅଗୁରୁ ଚନ୍ଦନ ଚୁଆ ଚନ୍ଦନର ଶ୍ରେଣୀ

ୟେହାପରେ କରିଦେବଂ ଝିଙ୍କର ଛାଉଣୀ ।

ୟେକାନ୍ତ ଶୟନେ ନିଦ୍ରା ମାଡ଼ିବ କେମନ୍ତେ ।

ଗୁପତେ ଖଟାଇ ଭିକ୍ଷା ତୁମ୍ଭର ଅଗ୍ରତେ ।

ଶୁଣ ହୋ ରାଜନ ତୋତେ ସଂଛେପି କହିବା

ବଡ଼ଯୋଗୀ ବୋଲାବନ୍ତି ଅନାଦି ମହାଦେବା ।

ବିଷ୍ଣୁ ପ୍ରଳୟରେ ଯାର ନୋହେ ନିଦ୍ରାଭଙ୍ଗ

ତାହାର ରମଣୀ ଯେ ପାର୍ବତୀ ଥାଇ ଅଙ୍ଗ ।

ଚଉଷଠି ସିଦ୍ଧ ଆଦି ମୀନ ଯେ ଗୋରେଖ

ୟେମାନେହିଁ ନ ଛାଡ଼ନ୍ତି ତରୁଣୀର ସୁଖ ।

ତହୁନିକି ବଡ଼ଯୋଗୀ ହୋଇବୁ ରାଜନ

କାଳେ ଯେତେ ଯୋଗ ନରହିବ ଯୋଗୀପଣ ।

ମଦନରାୟ ବାଣକୁ ନ ପାରୁ ଯେ ସହି

ନପୁଣ ହସନ୍ତି ସବୁ ନାକେ ହସ୍ତଦେଇ ।

ଦନ୍ତରେ ତିରଣ ଧରି ମାଗୁଅଛୁ ଆସ୍ତେ

ସମୟେକ ରହି ରାଜା ଭୋଗକର ତୁମ୍ଭେ ।

ମନକୁ ବୋଧହୁ ସୁଖ ଛାଡ଼ିଦେଙ୍କୁ ଆସ୍ତେ

ବଳେନିକି ସୁଖଭୋଗ କରାଇବ ତୁମ୍ଭେ ।

ବୋଇଲ ହେ ମଠ ତୋଳିଦେବ ପାଟନେତ

ସେସବୁ ବିଷୟ ନରୁବଇ ମୋର ଚିର ।

ମଣ୍ଡପ କୋଣରେ ଯୁବି ଯେହୁ ମୋର ଇଚ୍ଛା

ତ୍ରିପୁତି ହୋଇବି ମୁଠାଏ କରିଣ ଭିକ୍ଷା ।

ରୋଦମା ବୋଇଲେ କୋପେ ପ୍ରଜ୍ଜଳିତ ହୋଇ

ଆରେ ରେ ହାଡ଼ିପା ଯେଡ଼େ କର୍ମ କଲୁ ତୁହି ।

ତୋହର ମୁଣ୍ଡରେ ବଜ୍ର ପଡୁରେ ପାମର ।

ଯମ ତୋତେ ଠାବଦେଉ ଗୌରବ ନର୍କର ।

ନର୍କ ଆଶ୍ରେକରି ତୋ ସର୍ବଦା ଯାଉଦିନ

ନୁହ ତୁ ମୁଚ୍ଚତ ପୃଥୀ ଥୁବ ଯେତେଦିନ ।

ତୁ ତ ଜନ୍ମ ହୋଇକରି ଭେଡ଼େକ ଅଗ୍ୟାନ

ଯେଡ଼େ ବଡ଼ ରାଜା ଯେ ହୋଇଲା ଯୋଗୀପଣ ।

ରାଜାର କୁମାରୀ ଆମ୍ଭେ ଶତ ସପତଣୀ

ସବୁରି ନିଃଶ୍ୱାସ ପଡୁ ତୋହର ମଧ୍ୱନୀ ।

କୁଳଦୀପ ଲିଭାଇ ଅନ୍ଧାର କଲୁ ଘର

ରାଜା ଥାଉ ରାଣୀ ରାଣ୍ଡ କଲୁ ତୁ ନିକର ।

ୟେତେ ବୋଲି ପାଷାଣ ଉପରେ ଯାଇଂ ପଡ଼ି

ହସ୍ତରୁ କାଢ଼ିଲେ ଶଙ୍ଖା ସ୍ଵର୍ଣଖଡୁ ଚୁଡ଼ି ।

ଧାତିକାରେ ପରିବାରୀ ଧଇଲେକ ତୋଳି

କେଶବାସ ଅସମ୍ଭାଳ ହୃଦରେ ବିକଳି ।

ତୁମ୍ଭେ ଲୋ ପରର ଝିଅ ଆସ୍ତେ ପର ପୁଅ

ସଂସାର ଆଚାରେ ତୁମ୍ଭ ଆନ୍ତରଟି ସ୍ନେହ ।

ଛାଡ଼ିଲାର ଭାରିଯା ଯେ ବାପର- ବଇରି

ଯେତେ ଇଚ୍ଛା ଆସଙ୍କୁ ଲୋ ଦେଇଯାଅ ଗାଳି ।

ରାଣୀ ବୋଲେ ଅବଧାନେ ଶୁଣିମା ଗୋସାଇଂ

ପୂଜନୀୟ ଜନେ ଗାଳି ଦେବୁ କିସ ପାଇଂ ।

ଯେବେ ଆନ୍ତର କର୍ମରେ ଅଛଇ ବିଧବା

ମହୁରା ଗୋଳି ପିଇବା କି ଅର୍ଥ ଜୀଇଂବା ।

ନୃପତି ବୋଇଲେ ତୁମ୍ଭେ ଜୀଅ ଅବା ମର ।

ନୋହିଲେ ନ ମରି ତୁମ୍ଭେ ଭିନ୍ତେ ଘର କର ।

ସୁଖମନେ ତୁମ୍ଭଙ୍କୁ ଆନ୍ତର ଶୋକ ନାହିଁ।

ଇଛାହେଲେ ସମ୍ପଦ ଭଣ୍ଡାର ନିଅ ବହି ।

ହାଡ଼ିଘରେ ପଶଯାଇ ଦାଣ୍ଡ କର ଘର

ୟେଠାରୁ ବହନ ଚଳ ନକର ଚହଳ ।

ଆଜଠାରୁ ମଲାବୋଲି ଲେଖିବ ଆମ୍ବଙ୍କୁ

ଇଚ୍ଛାହେଲେ ରହି ସେବା କରିବ ମାତାଙ୍କୁ ।

ୟେହା ଶୁଣି ରୋଦନ କରନ୍ତି ଶତେବାଳୀ ।

ସମସ୍ତେ ଯୁବତୀ ଜଣେ ନାହିଁ ମଧ୍ୟ ଭଳି ।

ଚନ୍ଦ୍ରମାକୁ ତାରାଗଣ ଯେହ୍ନେ ବେଢ଼ିଥାନ୍ତି

ସେହିମତି ଗୋବିନ୍ଦଚନ୍ଦ୍ରକୁ ଶୋଭା ପାନ୍ତି ।

ପୁଣିହିଁ ନିଜ ହୋଇ ବୋଲୁଛନ୍ତି ବାଳୀ

ଦିନ ନ ସରଇ ରାଜାଙ୍କର ଗୁଣ ଭାଳି ।

ଛଡ଼ ମାସ ରାଜାଙ୍କର ମଣ୍ଡପରେ ରହି

ଆମେ ସେ ମୁକତି ପାହଁ ବଙ୍ଗଦେଶ ସାଇଂ ।

ଅମୃତ ମଣୋହି ଖଟିଥିବୁ ବେନି ବେଳ

ଛାର ଶଯ୍ୟ ଛାଡ଼ି ଶୁଅ ପଲଙ୍କ ଉପର ।

ଗୋବିନ୍ଦଚନ୍ଦ୍ର ବୋଲେ ନ କହ ବଢ଼ିକରି

ଭିକ୍ଷା ଭଜେ ଆନନ୍ଦ ମୋ ମନ ଶୀଘ୍ର କରି ।

ମଢ଼ଫୁଲି ଅନ୍ତି ମୋତେ ଲାଗେ ବିଷ ପିତା

ପାଟ ନେତ ପଲଙ୍କକୁ ନାହିଁ ମୋର ଚିନ୍ତା ।

ଭୂମିଗତ ଶଯ୍ୟ ରାଣୀ ସୁଖ ଯେ ଅଟଇ ।

ପବନ ଆଇଟେ ଦେହ ଉଶ୍ୱାସ କରଇ ।

ପଲକେ କାଟଇ ଦେହ ଶୁଣସି ଗୋ ରାଣୀ

ଶରୀରକୁ ନିଦ୍ରା ମୋର ନମାଡ଼େ ରୟଣୀ ।

ରାଣୀ ବୋଇଲେ ଯେ ତୁମ୍ଭେ ଯୋଗୀ ହୋଇଯିବା

ରୋଦମା ପୋଦମା ତୁମ ସଙ୍ଗେ ଘେନିଥିବ ।

ପ୍ରବାସରେ ସେବା କରିଥିବୁ ମନ ଜାଣି

ଶଯ୍ୟ ଛାଡ଼ି ଆନଠାରେ ଶୁତିବୁ ରୟଣୀ ।

ଆମ୍ଭେ ଯେ ପତିରେ ଭକ୍ତା ଅଟୁ ବେନି ବାମା

ଅନ୍ୟପୁରୁଷର ଛାଇ ନଦେଖୁ ଯେ ସୀମା ।

ନିଜ କାନ୍ତ ବିନୁ ଆନ୍ତ ଅନ୍ୟ ଗତି ନାହିଁ

ତେଣୁ ସେ ହୃଦୟ ଫାଟି ଯାଉଛି ଗୋସାଇଂ ।

ଶୟନ ଶଯ୍ୟରେ ପିଠି ନ ଦେଉ ଆମ୍ଭଙ୍କୁ

ୟେତେକ ବିରାଷ କିମ୍ପା କରଛି ଏବକ ।

ଗୋବିନ୍ଦଚନ୍ଦ୍ର ରାଜନ ବୋଲଇ ବଟନ

ନକହି ବୋଇଲେ କହ ସେହି କଥାମାନ ।

ତୁମ୍ଭଙ୍କୁ ଘେନିଣ ଆମେ ଗଲେ ଦେଶାନ୍ତରେ

ଯୋଗ ପଥ ଅପ୍ରାପତ ହୋଇବ ମୋହରେ ।

ତୁମେ ଯେ ମଦନ ବାଣ ନପାରିବ ସହି

ବିଜୁଳି ପବନ କାହିଂ ହସ୍ତେ ଧରାହୋଇ ।

ରାଜରାଣୀ ସୁଖ ଭୋଗ ଆଜଠାରୁ ଗଲା

ଦଇବ ପୁରୁଷ ୟେହା ଭିନ୍ନ ଭିନ୍ନ କଲା ।

ଗୁରୁ ମନ୍ତ୍ର ଦେଲାଠାରୁ ଅଙ୍ଗେ ନାହଁ ଖେଦ

ଦଶଦ୍ଧାରେ ମହାବନ୍ଧ ନୋହିବାକୁ ଭେଦ ।

ରାଜାର ବସନ ତେଜି ବହିବୁ ଯେ କଚ୍ଛା

ଆଖ୍ୟା ଦେଇଛନ୍ତି ମୋ ମୁକୁତାଦେଶ ମାତା ।

ରାଣୀ ବୋଲେ ଆହେ ରାଜା ତୁମ୍ଭେ ତ ମହତ

ମହତକୁ ଆଶ୍ରେକରି ହୋଇଲୁ ଅନାଥ ।

ଦୁଇକୂଳ ଛାଡ଼ି ମଧେ ଭାସିଲୁ ଜଳର

ମାତା ପିତା ଭାଇ ବନ୍ଧୁ ଛାଡ଼ିଲୁ ନିଜର ।

ଜଳ ଶୁଖିଗଲେ କାହିଂ ମୀନ ଜୀବ ରକ୍ଷା

ଚନ୍ଦ୍ରମା ନଥିଲେ ତାରା ନୋହିବେ ଯେ ଲେଖା ।

ପତିର ବିହୀନେ ପତ୍ନୀ କି କରି ବଞ୍ଚଇ

ଭୋ ଦଇବ ପୁରୁଷ ବିଚାରୁ କିନା ତୁହି ।

କପାଳରେ କର ମାରି ଚାହାନ୍ତି ଆକାଶ

ରାଜାକୁ ଚାହିଂ ବୋଲନ୍ତି ନ କରି ନିରାଶ ।

ଭଲା ସେ ଶାଶୁ ଅଟନ୍ତି ପୁର ଗୁରୁଜନ

ଯୋଗୀକରି ଦେଉଛନ୍ତି ପ୍ରେକଇ ନନ୍ଦନ |

କାହା ଘେନି ରାଜ୍ୟ ସେ କରିବ ମହାଦେଶ

ଆୟେ ଶୋକ କଲେ ତାକୁ ଚିନ୍ତା ନମାଡ଼ଇ ।

ପୀମାନଙ୍କ ବେଦନା ସେ ନପାରନ୍ତି ଜାଣି

ସବୁଅଙ୍ଗ ୟେତ ନୁହଇ ଭିନ୍ନ ପୁଣି ।

ଯେବେ ହୋ ରାଜନ ଆମ୍ଭ ବୋଇ ନ କରିବୁ

ସମସ୍ତେ ପରିବୁ ତୋ ଉପରେ ହତ୍ୟାଦେବୁ ।

ଯଗତେ ତାହାର ଭଗୀ ସମୟେ ପଡ଼ିଛି ।

ବିକଳେ ଯୁବତୀମାନେ ବାତୁଳେ କହନ୍ତି ।.

ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣସି ଗୋ ରାଣୀ

ମନ ମହାପ୍ରଭୁ କେତେ କଥା କରେ ଆଣି ।

ଯହିଂକି ବଳାଇ ମନ ତହିଂକି ବଳଇ

କାହାରି ବଳରେ ଆନ କରିତ ନୁହଇ ।

ୟେତେଦିନ ଯାୟେ ଲୋ ଭାରିଯା ହୋଇଥିଲ

ଆଜଠାରୁ ଧର୍ମମାତ ନିଶ୍ଚୟ ହୋଇଲ ।

ମାତାପୁତ୍ର ଭେଟ କାହିଁ ଅଛି ଗୋ ରୋଦମା

ଅଗାଧେ ଭାସିଲେ ଭେଳା କାହୁତ ଆଣିମା ।

ଯେଣୁ ସେ ଗୋବିନ୍ଦଚନ୍ଦ୍ର କରିଲେ ନିରାଶ

ରୋଦମା ପୋଦମାଙ୍କର ଉଡ଼ିଲା ସାହସ ।

ୟେମନ୍ତ ସମୟେ ଯେ ରାଉତ ଷୋଳଣତ

ତେରତ ଶାବେଳି ଆବର ଶତେ ଓଟ ।

ନବଲକ୍ଷ ବଙ୍ଗବଳ ଆସିହେଲେ ରୁଣ୍ଡ ।

ମୁଖରାବ ଶବଦରେ କମ୍ପିଲା ବ୍ରହ୍ମାଣ୍ଡ ।

ବାରୁଆଳ ବୁଆଳ ଘଡ଼ଇ ଘଡ଼ିତାଳ

ପ୍ରକୃତି ସେବକଠାରୁ ଯେତେ ବାଦ୍ୟକାର ।

ସମରାଜ୍ୟରେ ପ୍ରଜାୟ ମିଳିଲେ ସକଳ

ବେଢ଼ିଲେ ମଣ୍ଡପ ତଳେ ତିଳେ ନାହିଂ ସ୍ଥଳ ।

ଶିରେକର ଦେଇ ସର୍ବେ କଲେ ନିଉଛାଳି

ଉଠି କରପତ୍ର ଯୋଡ଼ି ପକାନ୍ତି ବୋବାଳି ।

ରାଉତେ ବୋଇଲେ ହୋ ଗୋବିନ୍ଦଚନ୍ଦ୍ର ରାୟ

ଲକ୍ଷବଳଯାକ ଆୟେ ଅଇଲୁ ସଭିର୍ୟ୍ଯ ।

ଯେତେ ସୈନ୍ୟପରେ ଯାହାଙ୍କର ଅଛି ପଣ

ସେ ରାଜାକି ତ୍ୟାଗକରେ ଦଣ୍ଡ ସିଂହାସନ ।

ଆମ୍ଭଙ୍କୁ ହୁଡ଼ିଣ ତୁମ୍ଭେ ନ ଯାଅ ଗୋସାଇଂ

ବହୁତ ବଚନ ଭାଙ୍ଗିଲେ ତ କାର୍ଯ୍ୟ ନୋହି ।

ରାଜୀହୋଇ ଦ୍ୱାରେ ଦ୍ୱାରେ ମାଗୁଥିବ ଭିକ୍ଷା

ପଞ୍ଚୁକୋଳି ଅନ୍ନକୁ ବଳିଲା ତୁମ୍ଭ ଇଚ୍ଛା ।

ବର ଶୁଣଇକି ସେ କମ୍ବୁରସ ବାଣୀ ।

ନଶୁଣଇ ରାଜା ହେଠମାଥେ ଅଛି ପୁଣି ।

ପୁଣିହେଁ ମାହୁନ୍ତମାନେ ଜଣାଇଲେ ଛାମୁ

ସାବଧାନେ ଶୁଣ ରାଜା ହୋଇ ଅବଧାନ୍ତି ।

ଯୋଗୀ ହେଲେ ରାଜ୍ୟେକ କରି ବଇଭୋଗ

ନାହିଂ ଭ୍ରାତ୍ ପୁତ୍ର ରିପୁ କଳନା କରିବ ।

ଅନେଶ୍ୱତ ମହାଦେଶ ବେନି, ପାଟରାଣୀ

ୟେହାଙ୍କୁ କେ ସମ୍ଭାଳିବ କହବୁଦ୍ଧି ପୁଣି ।

ଗର୍ଭଧାରୀ ମାତା ପୁଣି ଅଛନ୍ତି ନବର

କେମନ୍ତେ ଧରିବ ହିଆ ଜଳିବ ଅଚଳ ।

ଆୟଙ୍କୁ ଅନାଥ ନକର ହେ ବଙ୍ଗସାଇଂ

କେ ଆସ୍ତଙ୍କୁ ପାଳିବ ପୋଷିବ ଅନ୍ନଦେଇ ।

ବାହୁଡ଼ି ଗୋବିନ୍ଦଚନ୍ଦ୍ର ନବରକୁ ଆସ ।

ହାଡ଼ିପା ଛାର ପାଗଳ କଥାରେ ବିଶ୍ୱାସ ।

ମଉନ ହୋଇଣ ବସିଥିଲା ନୃପମଣି

ଗୁରୁଙ୍କର ନିନ୍ଦ ବାଣୀ କପଥେ ଶୁଣି ।

ଆହେ ଇକ୍ଷବଳ ତୁମ୍ଭେ ତୁନି ହୋଇଯାଅ

ନ ଜାଣି ନ ବୁଝି ଯେ ଗୁରୁଙ୍କୁ ଗାଳିଦିଅ ।

ନାହିଁ ଆମ୍ଭର ଯେ ଇଚ୍ଛା ନ ଯୋଗାଇ କିଛି

ନ ଯୋଗାଇ ନବର କେବଣ ସୁଖ ଅଛି ।

ନ ଯୋଗାଇ ରାଣୀ ପାଟ ମହାଦେଈ ମାନ

ଯୋଗୀ ହୋଇଇଇଂ ମାତ ଆଗ୍ୟ ପରମାଣ ।

ତୁମ୍ଭେ ଲକ୍ଷବଳ ହୋଇଥିଲଟି ଆନ୍ତର

ଆଜଠାରୁ ନିଶ୍ଚୟ ହୋଇଲ ତୁମ୍ଭେ ପର ।

ଇଚ୍ଛା ହେଲେ ମାତାଙ୍କ ପଦେ ଖଟିଥାଅ

ତୁମ୍ଭମାନଙ୍କ ଇଚ୍ଛାରେ ଅନ୍ୟ ନଗ୍ରେ ଯାଅ ।

ମାତା ଯେବେ ବୁଝିବେ ତୁମ୍ଭର ହାନିଲାଭ

ଆମ୍ଭଙ୍କୁ କିମ୍ପାଇଂ କହିଆସ ସଦଭାବ ।

ଲେଛିଲାର କଥା କି ଲୋଡ଼ିଲେ ' ଆଉପାଇ

ବ୍ରହ୍ମାବିଷ୍ଣୁ ଶିବ ବିନୁ ଅନ୍ୟ କେ ନୋହଇ ।

ତହୁ ଦଳବଳମାନେ ହୋଇଲେ ନିରାଶ

ରାଉତଙ୍କ ସେନାପତି ସେବାକାରୀ ବଂଶ ।

ଶିରେ କରଦେଇ ସର୍ବେ କହନ୍ତି ବିନୟୀ

ଯେବେ ଯୋଗୀ ହୋଇବଟି ବଙ୍ଗଦେଶ ସାଙ୍ଗ ।

ତୁମ୍ଭର ନିରାଶେ ଆସ୍ତେ କାହାକୁ ଓପ୍ରୋଧ

ଗତବାକୀ ଲେଖାକରି ଦିଅ ମହାରାଜ ।

କ୍ଷତ୍ରମାନଙ୍କର ଲାଗି ଯିବା ନ ଯୋଗାଇ

ଦଳ ଲୋକଙ୍କର ଲେଖି ନ ଦିଅ କିମ୍ପାଇଂ ।

ଯେବେ ତୁମ୍ଭେ ନଗରକୁ କରିବ ଗମନ ।

ନ ମାଗିବୁ ଗତ ବାକୀ ଭାତ ବରତନ ।

ୟେମନ୍ତ ବଚନ ଯହୁ ରାଉତ ବୋଇଲେ

ଶୁଣିଣ ଗୋବିନ୍ଦଚନ୍ଦ୍ର ହରଷ ହୋଇଲେ ।

ବେଭାରେତ ଦେଶାନ୍ତର କରୁଅଛି ମୁଲ୍ୟ

ଦଳଲୋକଙ୍କର ଲାଗି ଯିବ କାହିଂ ପାଇଂ ।

ପଛଆଡ଼େ ନାନା ଗାଳି ଦେଉଥିବେ ମୋତେ

ଅଧର୍ମ କାହାଣୀ କିମ୍ପା ଶୁଭିବ ଜଗତେ ।

ଯେତେ ବୋଲି ଆଖ୍ୟା ଦେଲେ ମହତ ରାଜନ

ଦଳକରଣକୁ ରାଇ ଆଣରେ ବହନ ।

ତତକ୍ଷଣେ ଡଗରା ଯେ ଆଣିଲେ ହକାରି

ଆଗ୍ୟ ବୋଲି ଦେଲେ ଯେ ଗୋବିନ୍ଦ ଦଣ୍ଡଧାରୀ ।

ତୁହୋ ଦଳକରଣ ଲେଖାରେ ଦିଅ ମନ

ରାଉତ ମାହୁନ୍ତ ମୋର ଯେତେକଟି ସୈନ୍ୟ ।

ଗତ ବାକୀ ବରତନ ଅଛି ଯାର ଯେତେ

ସବୁ ଗୋଟା କରିଣ ବହନ କହି ମୋତେ ।

ଦଇବେ ପ୍ରତାପୀ ସେ ଗୋବିନ୍ଦଚନ୍ଦ୍ର ରାୟ

କରଣ ବୋଇଲା ସ୍ବାମୀ କହିବି କଥାୟେ ।

ଲେଖାରେ ବସିଲା ଯାଇଂ ସୁବୁଦ୍ଧି କରଣ

ଆଗହୁ ଜଣାଏ ଯାର ଯେତେ ବରତନ ।

ପଡ଼ିହତ ଚଭକତ କରଣଟି ଯେତେ ।

ସବୁଙ୍କୁ ବସାଇ ଲେଖାଇଲାକ ତୁରିତେ ।

ରାଉତ ମାହୁନ୍ତ ଯେ ପଦାରି ଭୃତ୍ୟଙ୍କର

ବ୍ରାହ୍ମଣ ଚାଣ୍ଡାଳ ଯେ ଘଡ଼ଇ ଘଡ଼ିତାଳ ।

ସବୁ ୟେକ ଠାବକଲା ସୁବୁଦ୍ଧି ମହାନ୍ତି

ଗୋବିନ୍ଦଚନ୍ଦ୍ର ସନ୍ନିଧେ ମିଳିଲା ତଡ଼ତି ।

ସାବଧାନ ହୋଇ ତୁମ୍ଭେ ଶୁଣିମା ଗୋସାଇଂ

ଗତ ବାକୀ ବରତନ କହିବି ବୁଝାଇ ।

ସମରାଜ୍ୟ ଆୟର ଯେତେକ ଦଳବଳ

ପ୍ରକୃତି ସେବକଠାରୁ ଯେତେ ବାଦ୍ୟକାର ।

ସବୁୟେକ ଠୁଳକରି ଜଣାଉଛି ମୁହଁ ବେନି

ପଦ୍ମ ପନ୍ଦର ମର୍ଭୁତ ଟଙ୍କା ହୋଇ ।

ଗତ ବରତନ ଯେଯେ ଟଙ୍କା ଆସ୍ତେ ଲାଗି

ଶୁଣି ବଡ଼ ସନ୍ତୋଷ ହୋଇଲେ ମହାଯୋଗୀ ।

ଆହେ ପଟ୍ଟନାୟକ ବହନ ହୋଇ ଯାଆ

ମାତାଙ୍କର ଛାମୁରେ ଯେ ବହନ ଜଣାଅ ।

ଭଣ୍ଡାର ଘର ଫେଡ଼ି ବହନ ଟଙ୍କା ଆଣ

ପାଇକ ରାଉତମାନେ ଯାଆନ୍ତୁ ବହନ ।

ଗୋବିନ୍ଦଚନ୍ଦ୍ର ବଚନେ ଚଳିଲା କରଣ

ମାତାଙ୍କ ଛାମୁରେ ଯାଇଂ କହିଲା ବହନ ।

ଶୁଣ ମାୟେ ଆଗ୍ୟତୋଳି ଦେଲେ ମହାରାୟ

ଲକ୍ଷ ବଳଯାକ ସବୁ ଅଛନ୍ତି ସମୂହେ ।

ଯେତେ ଗତ ବାକୀ ବରତନ ଥିଲା ରହି

ସମସ୍ତେ ଆସ୍ଥାନ ତଳେ କହିଲେ ଗୋସାଇଂ ।

ମୋତେ ରାୟେ ଲେଖାକର ବୋଲି ଆଖ୍ୟାଦେଲେ

ଗତ ବାକୀ ବରତନ ଲେଖାକଲି ଠୁଳେ ।

ବେନିପଦ୍ମ ଟଙ୍କା ଯେ ପନ୍ଦର ମରଭୃତ

ଭଣ୍ଡାରୁ ଯେତେକ ଗଣି ଦିଅସି ତୁରିତ ।

ତକ୍ଷଣେ ମୁକତା ଦେଶ ହୋଇଲେ ବାହାର

ବେଗରେ ମିଳିଲେ ଯେ ଭଣ୍ଡାର ସିଂହଦ୍ଵାର ।

ଭଣ୍ଡାର ନାୟକକୁ ବୋଇଲେ ମହାଦେଈ ।

ଭଣ୍ଡାର ବହନ ଫେଡ଼ି ଦିଅସିରେ ତୁହେଁ ।

ଆଗ୍ୟପାଇ ବହନ ଫେଡ଼ିରେ ରକ୍ଷାପାଳେ

ସିନ୍ଦୁକରୁ ଫେଡ଼ିଣ ଯେ ଦେଲେ ଧାତିବାରେ ।
ବେନିପଦ୍ମ ପନ୍ଦର ମର୍ଭୁତ ଟଙ୍କା ଦେଲେ

ଆସ୍ଥାନର ତଳେ ନେଇ ସବୁକୁଢ଼ କଲେ ।

ବୋଇଲେ ଗୋବିନ୍ଦଚନ୍ଦ୍ର ଶୁଣ ଲକ୍ଷବଳ

ସେ ଯାହା ବର୍ତ୍ତନ ବାକୀ ନିଅସି ତୁମ୍ଭର ।

ୟେକକୁ ଆରେକ ଚାହିଂ ବୋଲନ୍ତି ରାଉତେ

ରାଜାଯୋଗୀ ହୋଇଛି ଯେ ବୋଲନ୍ତି ଜଗତେ ।

ଯେଣୁକରି ବିକଳ ଯେ ମାଡ଼ିଲା ସବୁନ୍ତି

ବିନୟେ କହନ୍ତେ ଆମ ବୋଲ କଲା ନାସ୍ତି ।

ବର୍ତ୍ତନ ମାଗିଲେ ଗଣି ଦେଲା ଦଣ୍ଡଧାରୀ ।

ଓପ୍ରୋଧ ଛାଡ଼ିଲା ଯିବ ଦେଶାନ୍ତର କରି ।

ୟେକା ଜଣକରେ ସୁସ୍ଥ ହୋଇଥିଲା ସୀମା

ରାଜା ନଥିଲେ ଯେ କେହୁ କରିବ ଗଣନା ।

ବାବୁୟେ ଷୋଡ଼ଶ ବର୍ଷ ସୁନ୍ଦର ମୂରତି

ପାଶୋର ନଯାଇ ହୃଦ ହେଉଚି କରତି ।

ଏମନ୍ତ ସମୟେ ଯେ ମୁକୁତା ଦେଈ ରାଣୀ

ପୁତ୍ରକୁହିଂ ଯୋଗାଇଲେ ଅନ୍ନଭିକ୍ଷା ଆଣି ।

ସୁବର୍ଣ୍ଣ ଥାଳିରେ ଅନ୍ନ ଶାକର ମିଶାଇ

ଭୁଞ୍ଜରେ ଗୋବନ୍ଦଚନ୍ଦ୍ର ବିହି ଯାହା ଲିହି ।

ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣଗୋ ଜନନୀ

ସୁବର୍ଣ୍ଣ ଥାଳିରେ ଅନ୍ନଦେଲ କିମ୍ପା ଆଣି ।

ଗୁରୁଆଗ୍ୟାଂ ଦେଇଛନ୍ତି ଲାଉରେ ଭୁଞ୍ଜିବୁ

ତେବେସେ ସଂସିଦ୍ଧ ଗୁଣ କାରଣ ପାଇବୁ ।

ଶୋକେ ଗଦଗଦ ହୋଇଲେକ ଗର୍ଭଧାରୀ

ସୁବର୍ଣ୍ଣ ଥାଳିରୁ ଅନ୍ନ ଲାଉଥାଳେ ଭରି ।

ଭୁଞ୍ଜିଣ ଗୋବିନ୍ଦଚନ୍ଦ୍ର ମନଯେ ଆନନ୍ଦ

ମୁଖ ବିକାଶଇ ତାର ପୂର୍ଣ୍ଣିମାର ଚନ୍ଦ୍ର ।

ଲକ୍ଷବଳ ମୁଖ ଚାହିଂ ହେଠମାଥ କରି

ନବ ଲକ୍ଷ ବଳଯାକ ପାଡ଼ିଲେ ବୋବାଳି ।

ଆହେ ମହୀପତି ତୁଯେ ଅପୁତ୍ରିକ ଜନ

ସନ୍ତାନ ସନ୍ତତି ହଉ ଲେଉଟ ବହନ ।
ଅପୁତ୍ରିକ ବଦନ ଚାହିଂବା ବଡ଼ ଦୋଷ

କୁଳରକ୍ଷା ହେଉ ଶୋଭା ପାଉ ବଙ୍ଗଦେଶ ।

ଗୋବିନ୍ଦଚନ୍ଦ୍ର ବୋଇଲେ ପୁତ୍ର କି କରିବି

ମାୟା ମୋହ ଥାଇ ନିକି ଘର କରୁଥିବି ।

ସଂସାରେ ବାଛନ୍ତି ସିନା ଅପୁତ୍ରିକ ଦୋଷ

ମନରଖି ପାରିଲେ କୁମର ହେବ କିସ ।

ମୂଳଥିଲେ ଡାଳ ତହୁଂ ପଲ୍ଲବଇ ସିନା

ମୂଳ ଗଲେ ଡାଳର ପ୍ରଳୟ ହୋୟେ କିନା ।

ଆହେ ଲକ୍ଷବଳ ତୁମ୍ଭେ ତୁନି ହୋଇ ଯାଅ

ମାତାଙ୍କ ଚରଣତଳେ ସେବା କରୁଥାଅ ।

ସୁଖ ଭୋଗ କରୁଥିବ ନକରିବ ଆନ

ୟେମନ୍ତ କହିଲେ ଯହୁଂ ଗୋବିନ୍ଦରାଜନ ।

ନିରାଶ ହୋଇଣ ଦଳବଳ ଲେଉଟିଲେ

ମାତାଙ୍କୁ ଚାହିଂଣ ରାଜା ବଚନ ବୋଇଲେ ।

ରୋଦମା ପୋଦମା ଲାଗନ୍ତିଟି ତୋତେ ମାୟେ

ମନ ମୂରୁଛଇ ଗୋ ଧଇର୍ଯ୍ୟ ଧର କାୟେ ।

ଦେଶ ରାଷ୍ଟ୍ର ପାଳି ତୁମେ ରାଜ୍ୟକରୁଥିବ

ଶୁଭ ଆଚରିଣ ମୋତେ କଲ୍ୟାଣ ବାଞ୍ଛିବ ।

ବହନ ମେଲାଣି ଦିଅ ଯିବି ଦେଶାନ୍ତର

ମାତାୟେ ବୋଇଲେ ସିଦ୍ଧ ହୁଅରେ କୁମର ।

ମିଳିଲେ ମୁକୁତା ଦେଈ ବେନିରାଣୀ କତି

ଅସାଷ୍ଟମ ହୋଇଣ ସେ ପଡ଼ିଛନ୍ତି ଖିତି ।

କରଧରି ତୋଳିଲେ ମୁକୁତା ମହାଦେଈ

ଉଠଗୋ ନବରେ ଯିବା ବୋଲି ଆଗ୍ୟାଂଦେଇ ।

ଚାରିମାସେ ଆସିବେ ଗୋବିନ୍ଦଚନ୍ଦ୍ର ରାଜା

ସେ ହୋଇବେ କାନ୍ତ ତୁମ୍ଭେ ହୋଇବ ଭାରିଯା ।

ପ୍ରବୋଧ କହନ୍ତେ ରାଣୀ ଉଠିଲେ ବହନ

ଅନ୍ତଃପୁରକୁ ସେ ଶୀଘ୍ର କଲେ ଯେ ଗମନ ।
ରୋଦମା ପୋଦମାକୁ ମୁକୁତାଦେଈ ନେଇ

ବେନି ସପତଣୀ କର୍ଣ୍ଣେ ମହାମନ୍ତ୍ର କହି ।

ଗ୍ୟାଂନ ପାଇ ରୋଦମା ପୋଦମା ହେଲେ ତୋଷ

ପାଶୋରିଲେ କାମଚେଷ୍ଟା ରତିରଙ୍ଗ ରସ ।

ମାତାଙ୍କ ଅଗ୍ରତେ ରାଣୀ ବୋଲନ୍ତି ବଚନ

ଦେଶୀନ୍ତରେ ଯାଉ ରାଜା ସାକ୍ଷୀହେଉ ଧର୍ମ ।

ଜଳ ସ୍ଥଳ ଅନଳେ ରଖନ୍ତୁ ମହାମାଈ

ଦିବାନିଶି ଜଗନ୍ନାଥେ ସାହେଥିବେ ହୋଇ ।

ୟେତେ ବୋଲି ଯେ ଯାହାରେ ହୋଇଲେକ ତୁନି

ୟେଥୁ ଅନନ୍ତରେ କଥା ଶୁଣ ଆନ ବାଣୀ ।

ସୁଧର୍ମା ଯେ ପୁଚ୍ଛାକଲେ ଦୁର୍ବାସାଙ୍କୁ ଚାହିଂ

ୟେଥୁ ଅନନ୍ତରେ କିସ ହୋଇଲା ଗୋସାଇଂ ।

ଦୁର୍ବାସା ବୋଇଲେ ଶୁଣ ଗନ୍ଧର୍ବ ନନ୍ଦନ

ପିଠିଦେଇ ମଣ୍ଡପରେ ବସିଲେ ରାଜନ ।

ବାଳବୃଦ୍ଧ ତରୁଣ ସମସ୍ତେ ଦେଖୁଥିଲେ

ଯଥା ସମୟେ ଯେ ଯାହା ଘରକୁ ସେ ଗଲେ ।

ଗୁରୁଯାଇ ମିଳିଲେ ଗୋବିନ୍ଦଚନ୍ଦ୍ର କତି

ବହୁତ ଗ୍ୟାଂନ ଗୋଚର ବୁଝାଇ କହନ୍ତି ।

ଶୁଣ ବାବୁ ଗୋବିନ୍ଦରେ ନଗ୍ର ବୁଲିଯିବା

ବନାନ୍ତ କନ୍ଦର ନଦୀ ସମୁଦ୍ର ଦେଖିବା ।

ନୃପତି ବୋଇଲେ ଯେ ମୋହର ଇଚ୍ଛାୟେହି

ତୁମ୍ଭ ଆଗ୍ୟାଂ ହେବ ଯାହା ତାହା କରିବଇଂ ।

ଗୁରୁ ଆଗ୍ୟାଂଦେଲେ ବାବୁ ଆମ୍ଭେ ଦେଲୁ ଦୀକ୍ଷା

ୟେଥକୁ କି ଦକ୍ଷିଣା ଦେବାକୁ ତୋର ଇଚ୍ଛା ।

ବୋଲଇ ଗୋବିନ୍ଦଚନ୍ଦ୍ର ବଙ୍ଗଦେଶ ମୋର

ଦକ୍ଷିଣାକୁ ଦେଲୁ ଆମ୍ଭେ ମହୀ ଭୋଗକର ।

ହାଡ଼ିପା ବୋଇଲେ ବାବୁ କି କରିବି ତାହା

ରାଜ୍ୟଦେଶ ମାଗୁଣି ମୋ ନାହିଂ ନରନାହା ।

ଗୋବିନ୍ଦଚନ୍ଦ୍ର ବୋଲଇ ଲକ୍ଷେ ସୁନା ଦେବି

ଅପୂର୍ବ ନୁହଇ ଧନ କିସ ମୁଂ କରିବି ।
ହାଡ଼ିପା ବୋଇଲେ ବାବୁ ଦ୍ରବ୍ୟ କି କରିବା

ଠୁଳ ଛଡ଼ାଇଲେ ସୁଖେ ମଣ୍ଡପେ ବସିବା ।

ବୋଇଲେ ଯେ ଗୋବିନ୍ଦ ଆବର କିସ ଦେବା

ଜାଣି ନପାରିଲି ମନୁ ଫେଡ଼ିଲେ ଜାଣିବା ।

ହାଡ଼ିପା ବୋଇଲେ ଯେବେ ତୁ ପାଇଲୁ ଦୀକ୍ଷା

ପଞ୍ଚଦ୍ୱାର ଫେରିଣ ତୁ ବେଗେ ଆଣ ଭିକ୍ଷା ।

ନ କରିବୁ ଲାଜ ବାବୁ କର୍ମକୁ ଆଦର

ସୁଖ ଛାଡ଼ିକରି ଦେହେ ଦୁଃଖ ଭୋଗକର ।

ପଞ୍ଚକୋଳି ଅନ୍ନ ଯେବେ ହୋଇବୁ ତୁ ଭୋଗୀ

କାମ କ୍ରୋଧ ନିଦ୍ରା ତେଜି ବୋଲାଇବୁ ଯୋଗୀ ।

ଅଳପ ଅଳପକରି ତୁଟାଇବୁ ଅନ୍ନ ।

ତୁଟାଇଲେ ଦେହ ତୋର ନଜାଳିବ କାମ ।

ଚଉଷଠୀ ରୋଗ ଦେହେ ନକରିବ ପୀଡ଼ା

ଶ୍ମଶାନରେ ବୁଲୁଥିବୁ ଅନିଦ୍ରା ଅମଡ଼ା ।

ଯେଉଂ ଲାଉ ଥାଳ ଆମ୍ଭେ ଦେଇଅଛୁଂ ତୋତେ

ବେଢ଼ାଏ ଲେଖାଏଂ ନିତ୍ୟେ ଘୋରୁଥିବୁ ପଥେ ।

ଯେତେ ସମ୍ଭାଇବ ଅନ୍ନ ତେତେକ ଖାଇବୁ

ତିଅଣ ଲବଣଙ୍କର ପାଶକୁ ନ ଯିବୁ ।

ଲାଉଆ ତୁଟିବା ଦିନ ଅନ୍ନ ନଖାଇବୁ

ଶାକ କାଞ୍ଜି ଆମ୍ବିଳ ଆମିଷ ନଭୁଞ୍ଜିବୁ ।

ୟେକମାତ୍ର ଆଧାରକୁ ଦୁଗ୍ଧଅନ୍ନ ମାଗ

ବାଳବୃଦ୍ଧ ତରୁଣେ ହୋଇବୁ ୟେକ ଅଙ୍ଗ ।

ଶୁଣି ମାନ ବିସର୍ଜିଲା ବଙ୍ଗଦେଶ ସାଇଂ

କେମନ୍ତ ପ୍ରକାରେ ମୁଂ ଯେ ଅନ୍ନ ମାଗିବଇ ।

ମୋହର ଅଧମପଣ ଅଟେହେ ବେଭାରେ

ଗୁରୁଆଗ୍ୟାଂ ମେଣ୍ଟିତ ନୋହଇ କେତେବେଳେ ।

ୟେତେ ବୋଲି ମେଖଳି ଦେହରେ ପୂରାଇଲା

ବାମ କନ୍ଧେ ଦୋଳାଇଣ ଲାଉକୁ ଖଞ୍ଜିଲା ।
ବିଭୂତି ବଟୁଆ ଗୋଟି ହସ୍ତରେ ଘେନିଲା

ମଣ୍ଡପରୁ ଓହ୍ଲାଇ ଗୁରୁଙ୍କୁ ସୁମରିଲା ।

ଜାଗିଲାରେ ମାତା ବୋଲି ନଗରେ ଜଣାଇ

ଦ୍ଵାରେ ଦ୍ୱାରେ ଜଣାଇ ଗୋ ଭିକ୍ଷାଦିଅ ମାଇ ।

କାଇ ବସ୍ତ୍ର ଦେଖି ଆସି ବେଢ଼ିଲେ କୁକୁର

ବାଡ଼ି ଉଞ୍ଚାଇଣ ରାଜା ହୁଅଇ କାତର ।

ରାଜା ଭିକ୍ଷା ମାଗିବାର ଦେଖି ନଗ୍ରଜନ

ବାଳବୃଦ୍ଧ ରୋଦନ କରନ୍ତି ଘନ ଘନ ।

ଆହୋ ମହୀପତି ୟେଡ଼େ ସୁଖ ତ୍ୟାଗ କଲୁ ।

ଦୂରେ ଦୂରେ ଭିକ୍ଷା ମାଗି ୟେହା ଅରଜିଲୁ ।

ୟେବେହେଂ ତୁମ୍ଭକୁ କେହି ନାହିଂ ବଳୀୟାର

କର୍ଣ୍ଣରୁ ମୁଦୁରା କାଢ଼ି କନ୍ଥା ଦୂରକର ।

ବେଗେ କନ୍ଥା ପକାଇ ନଗ୍ରରେ ଯାଅ ଚଳି

ଗୁରୁ ତୋର କି କରିବ ଶୁଣ ଦଣ୍ଡଧାରୀ ।

ଛାର ୟେ ହାଡ଼ିପା ବାଡ଼ିତାଟି ଖଟୁଥିଲା

କେଉଂ ଗ୍ୟାଂନ କହିଣ ତୁମ୍ଭଙ୍କୁ ବାଇକଲା ।

କାହାରି କଥା ସେ କର୍ଣ୍ଣପଥେ ନ ଶୁଣଇ

ଭିକ୍ଷାଦିଅ ମାୟେ ବୋଲି ବଚନ ବୋଲଇ ।

ପଞ୍ଚଦ୍ୱାର ତଣ୍ଡୁଳେ ପୂରିଲା ଥାଳଗୋଟି

ବେଗବେଗ ହୋଇ ରାଜା ଆସଇ ଲେଉଟି ।

ଗୁରୁଙ୍କ ଅଗ୍ରତେ ଯାଇ ମଣ୍ଡପେ ବସିଲା

କି କରିବି ତଣ୍ଡୁଳ ଗୁରୁଙ୍କୁ ପଚାରିଲା ।

ହାଡ଼ିପା ବୋଇଲେ ବାବୁ ଦୁଇ ଭାଗକର

ତଳ ବିଲୋପନ କରି ଅନ୍ତି ଦିଅ ଖର ।

ତତକ୍ଷଣ ଅଗ୍ନି ଆଣିଲାକ ମଣ୍ଡପର

ହାଣ୍ଡି ବସାଇଣ ପୁଣ ପୂରାଇଲା ନୀର ।

ଗୁରୁ ଆଗ୍ୟାଂ ଦେଲେ ବାବୁ ଶୁଣ ନୃପମଣି

ଅନ୍ନ ରାନ୍ଧିବାର ମନ୍ତ୍ର କର୍ଣ୍ଣେ ଥାଅ ଶୁଣି ।

ବିଷ୍ଣୁ ଯୋଗାଡ଼ିଲେ ପାଣି ଅଗ୍ନି ଦେଲେ ବ୍ରହ୍ମା

ପାକ ସମ୍ପାଦିଲେ ତହିଂ ରୁଦ୍ରଙ୍କର ବାମା ।
ବିଷ୍ଣୁ ଦେଲେ ବିଭୂତି ଆଦିତ୍ୟ ଦେବେ ଥାଳ

କୁମ୍ଭ ଗୋଟି ଯେ ଅନାଦି ନାଥ ଗୋରେଖର ।

ଆବର ସନ୍ଦେହ କଥା ଶୁଣ ମହୀଭୋଗୀ

ଦଶ ପନ୍ଥ ସନ୍ଥ ଶତ ପନ୍ଥ ଛନ୍ତି ଯୋଗୀ ।

ଗୁରୁ ଆଗ୍ୟାଂ ପାଇ ରାଜ୍ୟ ମନ୍ତ୍ର ଉଚ୍ଚାରିଲା

ବେଦପତି ନାମ ଧରି ଅଗ୍ନି ଜାଳି ଦେଲା ।

ତତକ୍ଷଣି ପାକସିଦ୍ଧ ହୋଇଲା ଯେ ଅନ୍ନ

ଓହ୍ଲାଇ ଶୀତଳ କଲେ ଗୋବିନ୍ଦ ରାଜନ ।

ହାଡ଼ିପା ବୋଇଲେ ବାବୁ ଖାତ ଖୋଳ ମହୀ

ଭାତହାଣ୍ଡି ପୋତି ଆମ୍ଭେ ଯିବା ଶୀଘ୍ର ହୋଇ ।

ଅକଟା ଅବଛା ଫଳ ଅଖାଦ୍ୟ ଅଭକ୍ଷ୍ୟ

ସମୟରେ କରିବାଟି ରିପୁଚନ୍ଦ୍ର ବତ୍ସ ।

ଗୋବିନ୍ଦଚନ୍ଦ୍ର ରାଜା ଯେ ଖଣତିୟେ ଘେନି

ଚାରିହସ୍ତ ଗଭୀରରେ ଖୋଳିଲେ ମେଦିନୀ ।

ତିଅଣ ରାନ୍ଧି ଲୋଡ଼ଇ ଅତି ବ୍ୟଗ୍ରକରି

ମୁଖରେ ପଶଇ ଧୂଆଂ ବେନି ଚକ୍ଷୁ ମଳି ।

ଅଗ୍ନି ଲିଭିଯାଏ ପୁଣ ଫୁଙ୍କଇ ଲେଉଟି

ହୁଅଇ ଅବସ୍ଥା ତାର ପଞ୍ଚପ୍ରାଣ ଗୋଟି ।

ଅତି ଗର୍ବେଶ୍ୱର ରାଜା ସୁକୁମାର ଦେହୀ

ଯେଉଂ ଶରୀରକୁ ସୂର୍ଯ୍ୟ ତେଜ ନ ଲାଗଇ ।

ୟେଡ଼େ ବଡ଼ ପ୍ରଭୁପଣ ଛାଡ଼ିଲାକ ଯେହୁ

ଅଣାୟତ ଗୁରୁଆଗ୍ୟାଂ ମେଣ୍ଟିବାକ କାହୁଂ ।

ରାଜା ହାଣ୍ଡି ଗାତରେ ଥୋଇଲା ଧାତିକାର

ଉପରେ ତିଅଣ ହାଣ୍ଡି ଥୋଇଲା ନିକର ।

ଢାଙ୍କୁଣି ଦେଇଣ ମାଟି ଘୋଡ଼ାଇଲା ରାୟେ

ନ ଜାଣନ୍ତି ନରନାରୀ ରଜନୀ ସମୟେ ।

ହରିତକୀ ବୃକ୍ଷମୂଳେ ଭାତହାଣ୍ଡି ପୋତି

କହୁଂ କହୁଂ ତିଶିରା ପହର ହେଲା ରାତି ।
ପାହାନ୍ତା ସମୟେ ଶୁଭିଲାକୁ ଶଙ୍ଖଧ୍ୱନି

ବିଭୂତି ବୋଳି ହୋଇଲେ ଗୁରୁଶିଷ୍ୟ ବେନି ।

ସମରସ ଜାଣି ଭଇରବ ବଜାଇଲେ

ନବରେ ମୁକୁତା ଦେଈ କର୍ଣ୍ଣରେ ଶୁଣିଲେ ।

ଧାତିକାରେ ବାହାର ହୋଇଲେ ମହାସତୀ

ଗମନ କରଇ ରାତ୍ର କେହି ନାହିଂ କତି ।

ଗୋବିନ୍ଦଚନ୍ଦ୍ର ସନ୍ନିଧେ ବିଜେକଲେ ମାୟେ

ତାହାଙ୍କୁ ଦେଖି କୁମର ଲୋଟିଲାକ ପାୟେ ।

କଲ୍ୟାଣ କରନ୍ତି ଯେ ମୁକୁତା ଦେଈ ମାୟେ

ଜଳେ ସ୍ଥଳେ ଅନଳେ ରଖନ୍ତୁ ମହାମାୟେ ।

ନିରାକାର ବିଷ୍ଣୁ ତୋତେ ହୋଇଥାନ୍ତୁ ସାହା

ଗୁରୁ ଅନୁଗ୍ରହେ ତୋର ସିଦ୍ଧ ହେଉ କାୟା ।

ସୁସେବା କରିବୁ ଗୁରୁ ବଚନ ପାଳିବୁ

ସୁସ୍ୱାଦକୁ ନଇଚ୍ଛିବୁ ମନେ ନ ହେଜିବୁ ।

ହାଡ଼ିପା ବୋଲେ ମୁକୁତା ଦେଈଙ୍କି ଯେ ଚାହିଂ

ୟେତେ ରାତ୍ରେ ୟେଠାକୁ ଅଇଲ କିସପାଇଂ ।

ପୁତ୍ରକୁ ନେବାକୁ ମନ ଅଛିକି ତୋହର

କଣ୍ଠିରୁ ମୁଦୁରା କାଢ଼ କନ୍ଥା ଦୂର କର ।

ପାସୋରିଲା କଥା କିମ୍ପା ସୁମରଣା କରୁ

ତୋତେ ଦେଖି ମୋହର ମନଟି ବଡ଼ ଗରୁ ।

ମାତା ପୁତ୍ରେ ଦେଖିଲେ ଯେ କ୍ରୋଧଜାତ ହୋଇ

ଅଗ୍ରପଶ୍ଚାତ କଥାକୁ ବିଚାରୁ ତ ନାହିଂ ।

ଅତି ନିରାଶ ପନ୍ଥା ତୁ ବୋଲିକି ନ ଜାଣୁ

ଛାଡ଼ିଲା ମୁହାଂସ କିମ୍ପା ଲେଉଟାଇ ଆଣୁ ।

ତୋର ଗୁରୁ ଗୋରେଖନାଥ ମୋ ଗୁରୁ କାହ୍ନୁପା

ସେବାରେ ସୁଦୟା କଲେ ଆମ୍ଭେ ସାର୍ଦ୍ଧ ଶାଖା ।

ଜାଣୁ ଜାଣୁ କିଗୋ ବଣା ହେଉ ମହାଦେଈ

ପୁତ୍ରକୁ ମୁର୍ଚ୍ଛିଣ ଶୋକ କରୁ କାହିଂ ପାଇଂ ।
ମୁକୁତା ଦେଈ ବୋଇଲେ ଗର୍ଭଧାରୀ ମୁହିଂ

ଏକଇର ବଳା ମୋର ଯିବ ଯୋଗୀ ହୋଇ ।

ଚକ୍ଷୁ ପୂରାଇ ଆଜକ ଦେଖିଥାଏ କିନା

ଆଜଠାରୁ ବଙ୍ଗଦେଶ ଶୂନ୍ୟ ହେବ ସିନା ।

ଛାର ୟେ ଜୀବନ ମୋର କି କାରଣେ ରହେ

କୁମରମୁଖକୁ ଚାହିଂ ଶୋକେ ମାତା କହେ ।

ବୋଲଇ ଗୋବିନ୍ଦଚନ୍ଦ୍ର ଶୁଣ ଗୋ ଜନନୀ

ଯିବା ସମୟକୁ କିମ୍ପା ଶୋକ କରୁ ପୁଣି ।

ତୁମ୍ଭେ ସିନା କହିଦେଲ ଯୋଗପଥ ବାଟ

ୟେବେ କାହିଂ ପାଇଂ ଶୋକ କରୁ ଗରୁ କଷ୍ଟ ।

ହରାଇବା ଧନ ଆଉ ଲୋଡ଼ିଲେକି ପାଇ

ଗଲା ମଲା ଦୁଇ କଥା ଭୋଟାଭେଟି ନାହିଂ ।

ନବରକୁ ଯାଅ ମାତ ଦେଇଣ ମେଲାଣି

ପୁତ୍ରର ବଚନ ଶୁଣି ହସିଲେକ ରାଣୀ ।

ବାବୁ ଲେଉଟି ଚାହିଂଦେ ହୃଦ ହେଉ ଶାନ୍ତି

ଖଣ୍ଡେ ଦୂର ଅନାଇ କୁମର ପ୍ରଣମନ୍ତି ।

ଲେଉଟ ମୁକୁତାଦେଈ ଆମ୍ଭେ ଯିବୁଂ ଦୂର

ମନରେଣ ମହାସତୀ କିଛି ନ ବିଚାର ।

ହରଷେଣ ମହାସତୀ ନବରକୁ ଗଲେ

ଗୋବିନ୍ଦଚନ୍ଦ୍ରକୁ ଚାହିଂ ଗୁରୁ ଆଗ୍ୟାଂ ଦେଲେ ।

ବାବୁ ଘେନ ୟେବେ କନ୍ଥା ଲାଉ ଥାଳମାନ

ନଗ୍ରଜନେ ନଜାଣୁ ଚଳିବା ପଥ ଗ୍ରାମ ।

କଠାଉ ମାଡ଼ିଲେ ଦେବ ଘେନିଲେ ଖଣତି

ମାୟାଘର ପ୍ରାୟେକ ଯେ ମଣିଲେ ସବୁନ୍ତି ।

Unknown

କଟିରେ ଗୋବିନ୍ଦଚନ୍ଦ୍ର ମେଖଳା ଭରିଲେ

ବିଭୂତି ବଟୁଆଗୋଟା ହସ୍ତରେ ଘେନିଲେ ।

ଝୋଲିକନ୍ଥା ଘେନି ସଜ ହୋଇଲେ ରାଜନ

ଆଗରେ କଢ଼ାଇ ଗୁରୁ ପଛରେ ଗମନ ।

ନବରୁ ବାହାର ହୋଇ ଗମନ କରନ୍ତି

କୁମ୍ଭ ପୂର୍ଣ୍ଣିମାର ଯାତ୍ରୀ ସେଦିନ ହୋଇଛି ।
ବହୁତ ଯେ ବାଟ ରାଜା ନପାରଇ ଚାଲି

ବେନି ତଳିପାରୁ ସେ ରୁଧିର ଗଲା ଗଳି ।

ଶୋଣିତ ଦେଶରେ ଯାଇ ପ୍ରବେଶ ହୋଇଲେ

ଗୋବନ୍ଦିଚନ୍ଦ୍ରକୁ ଚାହିଂ ଗୁରୁ ଆଗ୍ୟାଂ ଦେଲେ ।

ବାବୁ ନଗ୍ର ଫେରି ଭିକ୍ଷା ଆଣରେ ବହନ

ଉଚ୍ଛୁର ହେଉଛି ବେଳ କରିବୁଂ ଭୋଜନ ।

ଗୁରୁ ଆଗ୍ୟାଂ ନିରାଧାରେ ଶିରଗ୍ରତେ ଘେନି

ଗୁରୁଙ୍କୁ କହିଣ ରାଜା ଚଳିଲା ବହନି ।

ଜାଗିଲାରେ ମାତାବୋଲି ଡାକିଲେକ ରାୟେ

ଜାଣନ୍ତେ ନବର ନାରୀ ଭିକ୍ଷା ନେଇ ଦିଏ ।

ଗୁରୁଙ୍କ ଅଗ୍ରତେ ନେଇ ରଖିଦେଲେ ଭିକ୍ଷା

ହାଡ଼ିପା ବୋଇଲେ ଭୁଞ୍ଜ ଯେ ତୋହର ଇଚ୍ଛା ।

ଗୋବିନ୍ଦଚନ୍ଦ୍ର ବୋଇଲେ ତୁମେ ଭକ୍ଷ କର

ପଛକୁ ଯେତେକ ଥିବ ହୋଇବ ମୋହର ।

ଜାଣିଲେ ଗୋବିନ୍ଦ ମନ ହାଡ଼ିପା ଗୋସାଇଂ

ଅର୍ଦ୍ଧେକ ଥୋଇ ଅର୍ଦ୍ଧେକ ଦେଲେକ ବଢ଼ାଇ ।

ଭୁଞ୍ଜଇ ଗୋବିନ୍ଦଚନ୍ଦ୍ର ଚଉଦିଗ ଚାହିଂ

ତିଉଣ ଲବଣ ଦୁଗ୍ଧ ଭକ୍ଷିବାକୁ ନାହିଂ ।

ନରୁଚଇ ଅନ୍ନ ରାଜା ମନରେ ବିରସ

ଗୋଟି ଗୋଟି କରିଣ ଭୁଞ୍ଜଇ ଅନ୍ନରସ ।

ଅର୍ଦ୍ଧେକ ପକାଇ ରାଜା ଅର୍ଦ୍ଧେକ ଭୁଞ୍ଜିଲେ

ଆଚମନ ସାରି ରାଜା ଗୁରୁପାଶେ ଗଲେ ।

ଆସନ ମାଡ଼ିଣ ଗୁରୁ କଲେକ ଶୟନ

ପଦ ମଞ୍ଚାଳିଲେ ବସି ଗୋବିନ୍ଦ ରାଜନ ।

ୟେହିମତି ଷୋଳ ଘଡ଼ି ନିଶି ଶେଷଗଲା

ଉଜାଗର ହୋଇ ରାଜା ଅଗ୍ରତେ ବସିଲା ।

ସୂର୍ଯ୍ୟୋଦୟ ହେଲାରୁ ସେ ତହୁଂ ଉଠିଗଲେ

ଗୌହାଟ ପାଟଣା ଦେଶେ ପ୍ରବେଶ ହୋଇଲେ ।

ବେଳ ପ୍ରହରକେ ଗୁରୁ ଶୌଚ ସ୍ନାନ ସାରି

ଶିବ ସ୍ଥାନେ ବସିଲେ ହାଡ଼ିପା ଜପକରି ।

ସେ ସ୍ଥାନେ କମଳ ପତ୍ର ପିନ୍ଧନ୍ତି ମନୁଷ୍ୟ

ଅନ୍ନ ନ ମିଳଇ ଯହୁଂ ପିଅନ୍ତି ଗୋରସ ।

ସେ ନଗ୍ରେ ରହିଣ ଭିକ୍ଷା ମାଗିଲା ରାଜନ

ଦୁଗ୍ଧ ଭିକ୍ଷା ବାହାର ହୋଇଲା ତତକ୍ଷଣ ।

ମୋହନ ମଙ୍ଗଳପୁର ଯଦୁ ରାଷ୍ଟ୍ର ଦେଶ

ବେଳକାଳ ମଙ୍ଗଳ ବୁଲିଲେ ସେ ହରଷ ।

କାହିଂ ଚୌର ତସ୍କର ବା କାହିଂ ବ୍ୟାଭ୍ରଭୟ

ନିତ୍ୟେ ଉଜାଗର ହୋନ୍ତି ଗୁରୁଚେଲା ଦୁହେଂ ।

ୟେମନ୍ତେ ଅନେକ ଦେଶ ବୁଲିଲେକ ଯହୁଂ

ଭୃଙ୍ଗଦେଶେ ପ୍ରବେଶ ହୋଇଲେ ଯାଇଂ ତହୁଂ ।

ମନେ ମନେ ଗୁରୁଦେବ ବିଚାର କରନ୍ତି

ଯୋଗୀକରି ଆଣିଲି ମୁଂ ବଙ୍ଗଦେଶ ପତି ।

କୋଡ଼ିୟେ ବରଷ ରାଜା କାମଦେବ ବର୍ଣ୍ଣ

ଶତେ ପାଟମହାଦେଈ ଉପରେ ରତନ ।

ରତ୍ନ ଗଜପଲଙ୍କ ଉପରେ ଯେହୁ ଶଯ୍ୟା କରି

ଭୋଗକରି ନାହିଂ ଯେ ଅଇଲା ଦଣ୍ଡଧାରୀ ।

ଆବର ସ୍ତିରୀ ମୁରୁଛି ପାରଇକି ନାହିଂ

ଜାଣିମା ୟହାର ମନ କେମନ୍ତ ପାଳଇ ।

ୟେତେ ବୋଲି ଶିଷ୍ୟକୁ ଘେନିଣ ତହୁଂ ଗଲେ

ଗଣିକାଦ୍ୱାରରେ ଯାଇଂ ପ୍ରବେଶ ହୋଇଲେ ।

ରମ୍ଭା ନାମେ ତରୁଣୀ ଯେ ଅଟେ ନବ ଯୁବା

ଦେଖିଲେ ଢଳିବେ ମୁନି ଚନ୍ଦଜ୍ୟୋତିପ୍ରଭା ।

ହାଡ଼ିପାକୁ ଦେଖି ରମ୍ଭା ଉଠିଲେ ବହନ

ବୋଲନ୍ତି ଗୋସାଇଂ କେଉଂ ଦେଶରୁ ଗମନ ।

ଗୁରୁଆଗ୍ୟାଂ ଦେଲେ ଆମ୍ଭେ ଉତ୍ତରୁ ଅଇଲୁଂ

ଦେଶାନ୍ତର କରିବାକୁ ମନ ବଳାଇଲୁଂ ।

ଆମ୍ଭର ଯେ ଚେଲାଗୋଟି ନପାରିଲା ଚାଲି

ବାଳୁତ ଶିଷ୍ୟ ଗମନେ ହେଲା ଦୁଃଖ ଭାରି ।
ରମ୍ଭାକନ୍ୟା ବୋଇଲା ବିଶ୍ରାମ କର ରହି

ଯେତେଦିନ ଯାୟେ ଯୁବ ଭିକ୍ଷା ଦେବି ମୁହିଂ ।

ହାଡ଼ିପା ବୋଇଲେ ମାଗୋ ଯଦି ଦେବୁ ଭିକ୍ଷାଂ

ୟେ ଚେଲାଗୋଟିକ ଛାଡ଼ିଯିବି ତୋର କକ୍ଷା ।

ଚୁତର୍ମାସ୍ୟା ଯାୟେ ଭିକ୍ଷା ଖଟିବୁ ୟେହାକୁ

ୟେହାକୁ ଖଟିଲେ ସେବା ଲାଗିବ ଆମ୍ଭଙ୍କୁ ।

ବୋଲଇ ସୁନ୍ଦରୀ ରମ୍ଭା ରହୁ ଚେଲାଗୋଟି

ଯେତେକ ଲାଗଇ ଅନ୍ନ ଦେବି ନିତ୍ୟେ ଖଟି ।

ଗୁରୁଆଗ୍ୟାଂ ଦେଲେ ଯେ ଗୋବିନ୍ଦଚନ୍ଦ୍ରେ ଚାହିଂ

ରମ୍ଭାକନ୍ୟା ଘରେ ଦିନାକେତେ ଥାଅ ରହି ।

ଆମେ କପିଳାସ ଯାଇଂ ଆସିବୁଂ ବହନ

ଦିବାନିଶି ଘୋଷୁଥିବୁଂ ଆମ୍ଭର ଚରଣ ।

ମନ ବିଚଳିତ କଲେ ଅକାରଣ ହେବୁ

ଦୁଇ କୂଳ ମଧ୍ୟରେ ଅଲଗା ଭାସୁଥିବୁ ।

ଗୋବିନ୍ଦଚନ୍ଦ୍ର ବୋଇଲେ ଯେ ତୁମ୍ଭର ଆଗ୍ୟାଂ

ତୁମ୍ଭ ଶ୍ରୀଚରଣ ବିନୁ ନାହିଂ ମୋ ପ୍ରତିଗ୍ୟାଂ ।

ମୁହିଂ ମନେ ମନେ ମନଦୃଢ଼ କରୁଥିବି

ବିଚଳିତ ହୋଇଲେ ଅନଳେ ଦହିହେବି ।

ୟେହା ଶୁଣି ହାଡ଼ିପା ଯେ ଅନ୍ତରୀକ୍ଷେ ଗଲେ

ରମ୍ଭାକନ୍ୟା ଘରେ ଯେ ଗୋବିନ୍ଦଚନ୍ଦ୍ର ଥିଲେ ।

ରମ୍ଭାକନ୍ୟା ଭିକ୍ଷା ତାଙ୍କୁ ଖଟିଗଲା ଜାଣି

ମଉନେ ବସିଣ ରାଜା ନକହଇ ବାଣୀ |

ବେଢ଼ାୟେ ଲେଖାୟେଂ ଲାଉ ପଥରେ ଘୋରଇ

ଦିନକୁ ଦିନ ତାହାର ଆହାର ତୁଟଇ ।

ୟେହିମତି ଷୋଳଘଡ଼ି ନିଶିଶେଷ ହେଲା

ଉଜାଗର ହୋଇ ରାଜା ନିଶ୍ଚିନ୍ତେ ବସିଲା ।

ସୂର୍ଯ୍ୟର ଜ୍ୟୋତି ପରାୟେ ବିରାଜଇ ଦେହ

ଦେଖୁଣ କାମେନୀମାନେ ହୋଇଲେକ ମୋହ ।
ନଥାଇ ଶକତି ଶୂଳ ପାଦରେ କଠାଉ

ଭଇରବ ନାଦ ସେ ବାଏ ଯାଉଂ ଯାଉଂ ।

ଆହାକି ସୁନ୍ଦର ଭାଷା ସୁନ୍ଦର ମୂରତି

ସ୍ୱର୍ଗ ବିଦ୍ୟାଧର ପ୍ରାୟେ ଦିଶଇ ତା’ର ଜ୍ୟୋତି ।

କେ ୟେହାକୁ ଯୋଗୀ ବୋଲି ପାରିବ ସଂସାରେ

କେବଣ ଶାପରୁ ୟେ ବୁଲନ୍ତି ଦ୍ୱାରେ ଦ୍ୱାରେ ।

ପଚାରନ୍ତି ଦ୍ୱାରୀ ହେ ଶୁଣିମା ଯୋଗବାସୀ

କେଉଂ ରାଜ୍ୟୁଂ ମଠ କରିଅଛ ୟେଥେ ଆସି ।

ମୁଖ ଟେକି କାହାକୁ ହୋ ନକହତ କଥା

ମହାମନ୍ତ୍ର ବୋଲୁଅଛ ହୋଇ ହେଠମଥା ।

ତିନିଦଣ୍ଡ ବୁଲି ରାଜା ଶୀଘ୍ରେ ଲେଉଟିଲା

ଆସନ ଉପରେ ଯାଇ ତୁରିତେ ବସିଲା |

ରାଜାମୂର୍ତ୍ତି ଚାହିଂ ବେଶ୍ୟ ହୋଇଲା ତବତ

ଚାଲନ୍ତେ ଦେଖିଲା ତା’ର ନ ଶୁଭଇ ପାଦ ।

ଉଠିଯାଇ ଭୂମିକି ଯେ ଚାହିଂଲା ନିରେଖ

ବେନି ତଳିପାରୁ ତାଙ୍କ ପଦ୍ମ ଜନ୍ମୁ ଅଛି ।

ରମ୍ଭା ବିଚାରଇ ଏତ ସାମାନ୍ୟ ନୁହଇ

ଚାରୁ ସୁକେଶ ତାହାର ଭୂମିରେ ଲୋଟଇ ।

ବେନି ବାହୁଦଣ୍ଡ ଆଣ୍ଠୁ ତଳକୁ ଲମ୍ବଇ

ଅଙ୍କୁଶ କୁଣ୍ଡଳ କରତଳେ ଶୋଭାପାଇ ।

ଲଲାଟେ ତ୍ରିଶାଖା ଶିରେ ବିରାଜଇ ଯାର

ପାଦତଳେ ପଦ୍ମଚିହ୍ନ ଦିଶୁଛି ଭୂମିର ।

ବଡ଼ଲୋକ ହୋଇ କିମ୍ବା ଯୋଗାନ୍ତ ସାଧିଲା

ସୁକୁମାର ଶରୀରକୁ ଯେତେ କଷ୍ଟ ଦେଲା ।

ୟେହା ଶୁଣି କହେ ରାଜା ଶୁଣସି ଗୋ ମାତ

ନୁହଇ ମୁଂ ବଡ଼ଲୋକ ସାନ କୁଳେ ଜାତ ।

ଅପାଣ୍ଡୁକ ପଣେ ମୁଂ କୁଟୁମ୍ବ ନ ପୋଷିଲି

ଉଦର ନିମନ୍ତେ କର୍ଣ ମୁଦୁର ଭରିଲି ।

କନ୍ୟା ବୋଲେ ନାଥ ତବ ଗୁରୁନାମ କିସ

ସ୍ଵରୂପ କହିବା ତୁମ୍ଭ ଘର କେଉଂ ଦେଶ ।
ରାଜନ ବୋଇଲା ଗୁରୁ ହାଡ଼ିପା ମୋହର

ମୋହର ନାମ ଗୋବିନ୍ଦ ବଙ୍ଗଦେଶ ଘର ।

ରମ୍ଭାକନ୍ୟା ପରତେ ନଗଲା ତାର ହୃଦେ

ରାଜପୁତ୍ରେ ନୋହିଲେ କି ପଦ୍ମଅଛି ପାଦେ ।

ୟେତେ ବୋଲି ସୁନ୍ଦରୀ ମଦନ ରସିଭରେ

ଗୋବିନ୍ଦଚନ୍ଦ୍ରକୁ ଚାହଂ ମନେ ଲୋଭକରେ ।

ମନେ ବିଚାରିଲା ମୁଂ ତ ଗଣିକା କାମେନୀ

ବହୁତ ପୁରୁଷ ଭୋଗ କରୁଅଛି ପୁଣି ।

ୟେମନ୍ତ ଲକ୍ଷଣବନ୍ତ ଦେଖିଲାତ ନାହିଂ

ପ୍ରୀତି ବଢ଼ାଇ ୟେହାକୁ ନିଶ୍ଚେ ନେବି ମୋହି ।

ଦଇବର ଯୋଗେ ସିନା ପୁରୁଷକୁ ଭେଟି

ୟେତେ ଦିନେ ଦଶା ମୋର ପାଲଟିଲା ସେଟି ।

ଜୀବନ ସଫଳ ମୋର ମାତା ପିତା ଧନି

ୟେତେ ବୋଲି ମନେ ମନେ ଆନନ୍ଦ ତରୁଣୀ ।

ଗୋବିନ୍ଦଚନ୍ଦ୍ରକୁ ଚାହିଂ ବୋଲଇ ସୁନ୍ଦରୀ

ଶୁଣ ନାଥ ନିରାଧାର ବଚନ ମୋହରି ।

ଗୁରୁ ଯେ ତୁମ୍ଭଙ୍କୁ ଛାଡ଼ିଗଲେ ମୋର ଠାଇଂ

କେଉଂଣି ଆଡ଼କୁ ତୁମେ ଫେରିଯିବ ନାହିଂ ।

କାକର କୁହୁଡ଼ି ଖରା ଦୁଃଖ ନ ପାଇବ

ଗମ୍ଭିରୀ ଭିତରେ ତୁମ୍ଭେ ସୁଖେ ବସିଥିବ ।

ବେନିବେଳ ଭିକ୍ଷା ଯେ କରିବ ଦୁଧଭାତ

ପିଠା କ୍ଷୀରୀସା ଯେ ନାନା ସୁପକ୍ୱ ପଦାର୍ଥ ।

ଯେତେବେଳେ ଯାହା ଇଚ୍ଛା କରିବ ଭୋଜନ

ମୋହ ଘରେ ଅପୂର୍ବ ଯେ ନାହିଂ ଦ୍ରବ୍ୟମାନ ।

ପଲଙ୍କ ସୁପାତି ଶେଯେ ଶୟନ କରିବା

ଯେତେବେଳେ ଯାହା ଇଚ୍ଛା ମୋ ଆଗେ କହିବ ।

ଶୁଣସି ଗୋ ମାତ ବୋଲି ବୋଇଲେ ରାଜନ

ମୁହିଂ କିସ କରିବି ସୁପକ୍ୱ ଦ୍ରବ୍ୟମାନ ।
ପଞ୍ଚୁକୋଳି ଅନ୍ନ ଯେଉଂ ଯୋଗୀ ମାଗି ଖାଇ

ତାହାକୁ ଭୁଲାଇ ଲୋକ ମହାପାପ ପାଇ ।

ଗମ୍ଭିରୀ ଭିତରେ ମୁଂ କିପାଇଂ ବସିଥିବି

ପଲଙ୍କ ସୁପାତି ଶେଯ କିସ ମୁଂ କରିବି ।

ବାହାର ମେଲାରେ ଆମ୍ଭେ ଧୁନି ଲଗାଇବୁ

କାକର କୁହୁଡ଼ି ଖରା ଦେହେ ମେଣ୍ଟାଇବୁ ।

କର୍ମରେ ମିଳଇ ଯାହା କରିବୁ ଭୋଜନ

ଅନୁକ୍ଷଣେ ଧ୍ୟାଉଥବୁ ଶ୍ରୀଗୁରୁ ଚରଣ ।

ବୋଲଇ ସୁନ୍ଦରୀ ତୁମ୍ଭେ ଶୁଣସି ହୋ ନାଥେ

ଶରୀର ବହିଣ କିମ୍ପା ଅନ୍ୟ କହ ମୋତେ ।

ସନତ ସନକାଦି ୟେଲୋଭ ନ ଛାଡ଼ନ୍ତି

ସୁଖଭୋଗ ଲାଳସାରେ ଗ୍ରାମରେ ରହନ୍ତି ।

ୟେ ଦେହ ଘେନିଣ ଭୋଗ ଯେହୁ ନ କରଇ

ମଲେ କି ଖାଇବ ବୋଲି ସତେ ନ ଜାଣଇ ।

ବଦନକୁ ଚାହିଂ ମୁଂ ଯେ ହୋଇଲଇଂ ବଶ

ତୁମ୍ଭେ ନିରପେକ୍ଷ ଦେହୀ କହିଲ ନିରାଶ ।

ମନରେ ଗୋବିନ୍ଦଚନ୍ଦ୍ର ବିଚାର କରଇ

ମୋତେ ଭୁଲାଇଂଛୁ ରମ୍ଭା ରମିବାର ପାଇଂ ।

ମୁହିଂ ଯେବେ ସୁଖଭୋଗ ବିଚାର କରନ୍ତି

ବଙ୍ଗଦେଶ ରାଜପଣ କିମ୍ପାଇ ଛାଡ଼ନ୍ତି ।

ମୋତେ କି ଅପୂର୍ବ ହୋଇଲା ଯେ ମେଦିନୀର

ନବଲକ୍ଷ ବଙ୍ଗଦେଶ ଛାଡ଼ିଲି ନିକର ।

ଅନେଶ୍ୱତ ମହାଦେଈ ରୋଦମା ପୋଦମା

ୟେହାଙ୍କୁ ଛାଡ଼ିଲି ମୁଂ ଯେ ମାତାଙ୍କ ବଚନା ।

ୟେଡ଼େ ବଡ଼ ସମ୍ପଦ ଛାଡ଼ିଲି ହେଲି ଯୋଗୀ

ୟେବେ କିମ୍ପା ପଦାର୍ଥ ମୁଂ ହୋଇବଇଂ ଭୋଗୀ ।

ଗୁରୁ ଯହୁଂ ମହାମନ୍ତ୍ର କହିଲେ କର୍ଣ୍ଣର

ଯମର ଉପରେ ଯେ ବୋଲାୟେ ଯମେଶ୍ଵର ।

ଯୋଗ ସାଧି ଅଜାମ୍ରର କରିବା ଶରୀର

ୟେହି କଥା ମନରେ ଯେ ହୁଅଇ ମୋହର ।
ଶୁଣସି ଗୋ ମାତ ବୋଲି ରାଜନ ବୋଇଲେ

ଆବରବେଳେ ୟେକଥା ନ କହ ତୁ ମୋରେ ।

ବାହାରେ ମୁଠାଏ ମୋତେ ଦେଉଥିବୁ ଭିକ୍ଷା

ନୋହିଲେ ମେଲାଣି ଦିଅ ଯେ ତୋହର ଇଚ୍ଛା ।

ରମ୍ଭା ବୋଲେ ନାଥ ୟେ ମହୀରେ ଜାତ ହୋଇ

ୟେଡେକ ପ୍ରତିଗ୍ୟାଂ ନାଥ କହ କାହିଂ ପାଇଂ ।

ଗୁରୁ ତୁମ୍ଭଙ୍କୁ ଛାଡ଼ିଲେ ମୋହର ପାରୁଶ

ମୋହର ମନେ ତୁମ୍ଭଙ୍କୁ ନାହିଂ ଅବିଶ୍ୱାସ ।

ଉପକାରୀ ପ୍ରାଣୀକି ଯେ ନ ମାରି ବାଟରେ

ଯାଚିଲେ ମାଣିକ ଭେଣ୍ଡି ବୋଲନ୍ତି ସଂସାରେ ।

ଦିବା ନିଶି ତୁମ୍ଭ ପାଦେ କରୁଥିବି ସେବା

ଯାଚିଲାର ଦ୍ରବ୍ୟ କେହୁ ଆନକରେ ଅବା ।

ଭିବ ଆଲିଙ୍ଗନେ ମୁଂ ଯେ ବଞ୍ଚିବଇଂ ଦିନ

କେଳି କୁତୂହଳେ ମୋର ପୁହାଇବି ଦିନ ।

ମୁହିଂ ଯେ ସୁନ୍ଦରୀ ତୁମ୍ଭେ ସେହିମତି ଶୋଭା

ତୁମ୍ଭେ ଯେ ସୁବୁଦ୍ଧି ଅଟ ମୁହିଂ ନବଯୁବା ।

ମୋତେ ଦେଖୁ ପୁରୁଷେ ହୁଅନ୍ତି ଅସମ୍ଭାଳ

କେହୁ ମୁରୁଛି ପାରିବ ମାନବଶରୀର ।

ୟେତେ ବୋଲି ସଜହୋଇ ବସିଲା ତରୁଣୀ

ବକ୍ରଭାବେ ଅନାଇଲା କୁରଙ୍ଗ ନୟନୀ ।

ମରମ ବଚନ ସେ ଯେ କହିଲା ରାଜାରେ

କହୁ କହୁ ଉଲଗ୍ନ ହୋଇଲା ଧାତିକାରେ ।

ପ୍ରେମ କୁତୂହଳେ ବାଳୀ ଉଲସି ଉଠିଲା

ଗୋବିନ୍ଦ ସୁମରି ରାଜା ନୟନ ବୁଜିଲା ।

ପଡ଼ିଲା ମହାସଙ୍କଟ ଉଦ୍ଧାରିବା ହରି

ବାଘୁଣୀ ମୁଖରୁ ମୋତେ ନେବାକ ଉଦ୍ଧରି ।

ଗୁରୁକୁ ସୁମରି ରାଜା ଉଠିଲାକ ଯହୁଂ

ବେନି ଭୁଜେ କୋଳାଗ୍ରତ କଲା ବାଳୀ ତହୁଂ ।
ପେଲି ପକାଇଲା ରାଜା ପଡ଼ିଲା ସୁନ୍ଦରୀ

ଘଡ଼ିକେ ଉଠିଲା ବାଳୀ ଦେହ ତା ସମ୍ଭାଳି ।

ମହା ଲାଜଭର ହୋଇ ବିରହିତ ବାଳୀ

ବିରହ ପଞ୍ଚମ ଶରେ ଦେହ ଅସମ୍ଭାଳ ।

ଚନ୍ଦନ ବୃକ୍ଷ ପ୍ରାୟେକ ମଣି ଆଶ୍ରେ କଲି

ନିଶ୍ଚୟେ ଶିମୁଳି ବୃକ୍ଷ ପରାୟେ ମଣିଲି ।

କାଠ ହେଲେ ପଲ୍ଲବନ୍ତା ପଥର ଝଡନ୍ତା

ପଶୁ ହେଲେ ହସି ମୋତେ ଉତ୍ତର ଦିଅନ୍ତା ।

ୟେହା ସେ କର୍ମରେ ମୋର ଲିହିଲାକ ଆଜ

ଚାତକ ଚାହାଣୀ ଚାହିଂ ଲଘିବଇଂ କାର୍ଯ୍ୟ ।

ତୁମ୍ଭେ ନାଥ ଯୋଗ ସାଧ ଯେ ତୁମ୍ଭର ଇଚ୍ଛା

ଉଦେ ଅସ୍ତେ ଦୁଇବେଳ କରୁଥିବ ଭିକ୍ଷା ।

ନିରାଶରେ ସୁନ୍ଦରୀ ରହିଲା ତୁନିହୋଇ

ୟେମନ୍ତେ ବହୁତ ଦିନ ଗଲା ଶେଷହୋଇ ।

ୟେଥୁ ଅନନ୍ତରେ କଥା ଶୁଣ ସ୍ୱର୍ଗବାସୀ

କପିଳାସ ତେଜି ଗୁରୁ ବିଜେ କଲେ ଆସି ।

ଦେଖି ଆସନ ତେଜିଲେ ବଙ୍ଗଦେଶ ସାଇଂ

ଗୋବିନ୍ଦଚନ୍ଦ୍ର ସନ୍ନିଧେ ବିଜେ କଲେ ଯାଇଂ ।

ଗୁରୁଙ୍କ ଚରଣତଳେ ପ୍ରଣମିତ କଲେ

ସିଦ୍ଧ ହୁଅ ଗୋବିନ୍ଦ ବୈକୁଣ୍ଠେ ବସ ଭଲେ ।

ରମ୍ଭା କନ୍ୟା ବାହାର ହୋଇଲା ଧାତିକାରେ

ଗୃହର ଚେରେଷ୍ଟା ଛାଡ଼ି ହୋଇଲା ଛାମୁରେ ।

ଗୁରୁଙ୍କ ଦର୍ଶନ ଆସି କଲା ରମ୍ଭାବାଳୀ

କୁଶଳ ପଚାରି ଗୁରୁ କଲ୍ୟାଣ ଯେ କରି ।

ଆମ୍ଭର ଚେଲାକୁ ତୋହଠାରେ ଛାଡିଗଲୁଂ

ଯତସତ କଥା ତାର କେମନ୍ତେ ବୁଝିଲୁ ।

ରମ୍ଭା ବେଲେ ଅବଧାନେ ଶୁଣିମା ଗୋସାଇଂ

ଭଲା ମହାମନ୍ତ୍ର ତୁମ୍ଭେ କର୍ଣ୍ଣେ ଅଛି କହି ।

ସାଧୁୟେ ତୁମ୍ଭର ଚେଲା ଅଳପ ବୟସ

ନୁହଇ ଚଞ୍ଚଳ ବୁଦ୍ଧି ଧୀର ତାର ଚିତ୍ତ ।
କାହାର କୁମର ୟେ ମାନବ ଜନ୍ମ ହୋଇ

ଅନ୍ୟାୟ ଅନୀତି ୟେହା ଦେଖିଲାତ ନାହିଂ ।

ଗୁରୁ ମନେ ବିଚାରିଲା କାରଣ ହୋଇଲା

ଭଲା ହିଆ ଗୋବିନ୍ଦର ଧଉର୍ଯ୍ୟ ଧଇଲା ।

ୟେତେ ବୋଲି ରମ୍ଭାକୁ କହିଲେ ହାଡ଼ିପାୟେ

ଚେଲାଗୋଟି ଘେନି ଆମ୍ଭେ ଯିବୁଂ ମଠ ଯାୟେ ।

ହାଡ଼ିପା ବୋଇଲେ ଆସ ହୋ ଗୋବିନ୍ଦଚନ୍ଦ୍ର

ୟେତେ ବୋଲି ବାହାର ହୋଇଲେ ବେଗେ ରୁଦ୍ର ।

ମାଳବେଣୀ ନଗ୍ରରେ ସେ ପ୍ରବେଶ ହୋଇଲେ

ସେ ନଗ୍ରରେ ଭଲମନ୍ଦ ସମସ୍ତ ଦେଖିଲେ |

ଧନା ଶୁଣ୍ଢି ଦ୍ଵାରେ ଯାଇଂ ହେଲେ ପରବେଶ

ୟେକାନ୍ତ କରିଣ ତାକୁ ହକାରିଲେ ପାଶ ।

ଆହେ ଧନେଶ୍ୱର ସାହୁ କହିବୁ କଥାୟେ

ବାଟକୁ ସମ୍ବଳ ନାହିଂ ଯିବୁ ମଠ ଯାୟେ ।

ୟେହି ଚେଲା ଗୋଟି ରଖି ଯାଉଅଛୁ ଆମ୍ଭେ

ଟଙ୍କା ଗୋଟାଚାରି ବନ୍ଧା ଦେଇଥାଅ ତୁମ୍ଭେ ।

ଧନାଢ଼୍ୟ ବୋଇଲେ ଯେତେ ଇଚ୍ଛା ଟଙ୍କା ନିଅ

ରାଜାକୁ ବୋଇଲା ବାବୁ ଦିନାକେତେ ରହ ।

ଅନ୍ୟାୟ କଥାକୁ ମନ କେବେହେଂ ନଦେବୁ

ସବୁଥରେ ଗୋବିନ୍ଦରେ ସାବଧାନ ହେବୁ ।

ପରସ୍ତିରୀ ମାତା ପରପୁରୁଷଟି ପିତା

ପର ଧନ ନ ହରିବୁ ପରରେ ଅହନ୍ତା ।

ଚାରି ଟଙ୍କା ଘେନି ଗୁରୁ ଗଲେ ଦୂରଦେଶ

ରହିଲେ ଗୋବିନ୍ଦଚନ୍ଦ୍ର ଧନା ଶୁଣ୍ଢି ପାଶ ।

ଶୁଣ୍ଢି ଘରେ ନିତ୍ୟେହେଂ ମଦିରା ଉପୁଜଇ

ଗୋବିନ୍ଦଚନ୍ଦ୍ର ରାଜନ ବସି ବିକୁଥାଇ ।

ଧନିଆ ବୋଇଲା ନାଥ ତୁମ୍ଭେ ମହାଯୋଗୀ

ଦେହକୁ ଚଞ୍ଚଳ ଯାହା ହେଉଥାଅ ଭୋଗୀ ।
ଗୋବିନ୍ଦଚନ୍ଦ୍ର ବୋଇଲେ ନରୁଚଇ ତାହା

ମନ ଯେ ବଢ଼ିଲେ କାହୁଂ ବଢ଼ିବ ମୋ ହିଆ ।

ଧନା ଶୁଣ୍ଢି ଭରିଯା ଯେ ଷୋଡଶ ସଂମ୍ପୂର୍ଣ୍ଣ

ରାଜାକୁ ଦେଖିଣ ତା’ର ଚିତ୍ତ ଛନଛନ ।

ନ ପଶଇ ଘରେ ବାଳୀ ନକରଇ କିଛି

ଭୋଜନକୁ ମନ ନାହିଂ ନିଦ୍ରାହିଂ ମୁରୁଛି ।

ଉଜାଗର ହୋଇ ବାଳୀ ଘରେ ବସିଥାଇ

ଚାରି ପହର ନିଶିରେ ଚାରି ବେଶ ହୋଇ ।

ବିଚାରିଲେ ବଙ୍ଗରାୟେ ମୁଂ ପଡ଼ିଲି କାହିଂ

ୟେହାର ଦାଢ଼ରୁ ମୁହିଂ କେହ୍ନେ ବଞ୍ଚିବଇଂ ।

ରମ୍ଭା ତହୁଂ ଶତେ ଗୁଣେ କଟାଳିଲା ମୋତେ

ୟେ କଷଣୁ ରକ୍ଷାକରି ମୋତେ ଜଗନ୍ନାଥେ ।

ୟେହିରୂପେ ଚିନ୍ତାକଲା ମନେ ଦଣ୍ଡଧାରୀ

ୟେକ ଦିନକରେ ନିଶି ଅମାସ୍ୟା ଅନ୍ଧାରି ।

ନିଦ୍ରାର ସମୟ ଆସି ହୋଇଲାକ ଯହୁଂ

ମଠରେ ଗୋବିନ୍ଦଚନ୍ଦ୍ର ଜାଗିଲାକ ତହୁଂ ।

ଶୁଣ୍ଢିଆଣୀ ଉଭାହେଲା ଆସନ ଉପର

ଆହେ ନାଥ ତୁମ୍ଭ ରୂପେ ମନ ଗଲା ମୋର ।

ଆଜ ଆମ୍ଭେ କେଳିରସ କରିବା ଗୋସାଇଂ

ଅଥୟ କରୁଛି ଦେହ ତୁମ୍ଭ ମୁଖ ଚାହିଂ ।

ଯତସତ ଘେନି ଯେତେ ଲୋକ ଛନ୍ତି ରହି

ଜନମ ହୋଇଲେ ସୁଖ କେବା ନଇଚ୍ଛଇ ।

କନ୍ୟାର ବଚନେ ରାଜା ମହା କୋପ କଲା

ତୁ ରେ ପାମରୀ ରାଢେଣୀ ଅଟୁ ଯେ ଅବଳା ।

ମୁହିଂ ମହାଯୋଗୀ ଦେଶାନ୍ତର କରିଥାଏ ।

ତପ ଭଗ୍ନକରୁ ଆସି ନାହିଂ ତୋର ଭୟ ।

ଶାପ ଦେଲେ ମରିବୁ ଆସନୁ ଘୁଞ୍ଚିଯାଅ

ନାସିକା କର୍ଣ୍ଣ ଛେଦିବି ବେଗେହେଂ ପଳାଅ ।

ତୁ ମୋହର ଦାତା ଯେଣୁ ଦେଉଅଛି ଅନ୍ନ

ତେଣୁ ଦୋଷ ଉପେକ୍ଷିଲି ଛାର ସ୍ତିରୀଜନ ।
ପତିପୁତ୍ରମାନେ ତୋତେ କି ବୋଲି ବୋଲିବେ

ଜଗତ ମୁଖରେ ତୋତେ ଅପଖ୍ୟାତି ଦେବେ ।

ମନରେ ଗୁରୁଙ୍କୁ ଚିନ୍ତା କଲା ନୃପମଣି

ବିଳମ୍ବ ନକରି ବାଳୀ ଉଠିଲା ବହନି ।

ରାଜାର ଉପରେ ଯାଇ ଉଠିଲା ବହନ

ଗୁରୁଙ୍କୁ ସୁମରି ରାଜା ବୁଜିଲା ନୟନ ।

ବିବସନ କଲା ବାଳୀ ନୃପତିର ଅଙ୍ଗ

ନିରାଶେ ଉପସ୍ଥ ଗୋପ୍ୟ ନାହିଁ ଉପବେଗ ।

ଲଜ୍ୟାରେ ଅବଳା ଫେରିଗଲା ନିଜ ସ୍ଥାନେ

ଶ୍ରୀଗୁରୁ ସୁମରି ରାଜ୍ୟ ରହିଲେ ମଉନେ ।

ବେନି ବେଳ ଭିକ୍ଷା ଆଣି ଖଟେ ମନଜାଣି

ଚାରି ବରଷରେ ଗୁରୁ ବିଜେ କଲେ ପୁଣି ।

ପାଞ୍ଚ ଟଙ୍କା ଲେଉଟାଇ ଦେଲେ ଧାତିକାର

ଶୁଣ୍ଢିକି ବୋଇଲେ ଆମ୍ଭେ ଯିବୁଂ ଖଣ୍ଡେଦୂର ।

ଶୁଣ୍ଢିଆଣୀ ବୋଇଲା ଗୁରୁଙ୍କ ମୁଖ ଚାହିଁ

ଧନ୍ୟ ଧନ୍ୟ ପୁରୁଷ ତା ପିତାମାତା ଦୁଇ ।

ୟେତେକ ନିଷ୍ଣୁର ଦେହ ତୁମ୍ଭ ଚେଲାଗୋଟି ।

ମୋ ତହୁଂ ବଳିଲା ମୋର ବଶ ନୋହିଲାଟି ।

ଅକ୍ଷୟ ଅମର ହୋଇ ବଞ୍ଚୁ ଚିରକାଳ

ପ୍ରତକ୍ଷେ ଜାଣିଲି ୟେତ ଅନାଦି ଈଶ୍ୱର ।

ହାଡ଼ିପା ବୋଇଲେ ଆମ୍ଭ ବଚନ ପ୍ରମାଣ

ଯୋଗେଶ୍ୱରୀ ତାର ମାତା କେ କରିବ ଆନ ।

ସିଦ୍ଧହୁଅ ଶୀଘ୍ରରେ ଗୋବିନ୍ଦଚନ୍ଦ୍ର ଯୋଗୀ

ମୁକ୍ତହୋଇ ସ୍ଵର୍ଗେ ବସ ଚିର ସୁଖ ସେବି ।

ୟେତେ ବୋଲି ଗୁରୁ ଚେଲା ତହୁଂ ବାହାରିଲେ

ଗୁର୍ଜ୍ଜର ଦେଶରେ ଯାଇ ପ୍ରବେଶ ହୋଇଲେ ।

କନ୍ୟା ନାମେ ରାଢ଼ିଆଣୀ ଦୁଆରେ ମିଳିଲେ

ଜଗିଲାରେ ମାତା ବୋଲି ଉଚ୍ଚସ୍ୱର କଲେ ।
ରାଢ଼ିଆଣୀ ପୁଛାକଲା ଶୁଣିମା ଗୋସାଇଂ

କେବଣ ଦେଶରେ ମଠ କହ ମୋହଠାଇଂ ।

ବିଦ୍ୟାଧରଙ୍କର ପ୍ରାୟେ ଦିଶୁଛ ଗୋସାଇଂ

ଚାତୁର୍ମାସ୍ୟା ଯାଏ ଭିକ୍ଷା ଖଟିବି କି ମୁହିଂ ।

ହାଡ଼ିପା ବୋଇଲେ ମାତ ଶୁଣସି ଗୋ ତୁହି

ଘରବାସ ଲୋକ ସିନା ଘର କରୁଥାଇ ।

ପରବାସୀ ଲୋକଙ୍କର ନାହିଁ ଘରଦ୍ଵାର

ଯେଉଂଠାରେ ବିଜେକଲୁ ସେହିଠାରେ ଘର ।

ଚଉଦିଗେ ବୁଲି ବୁଲି କୋଟିତୀର୍ଥ କରୁଂ

କପିଳାସବାସୀ ଆମ୍ଭେ ଆସିଅଛୁଂ ଦୂରୁଂ ।

ତୁ ବଡ଼ ଦାତୃକ ବୋଲି ଶୁଣିଲୁ କର୍ଣ୍ଣର

ତେଣୁ କରି ପ୍ରବେଶିଲୁ ତୋହର ଦୁଆର ।

ବୋଲୁଅଛି ରାଢ଼ିଆଣୀ ମୁହିଂ ବଡ଼ପାପୀ

ତୁମ୍ଭ ପାଦରଜ ନିଶ୍ଚେ ପଡ଼ିଲା ଅଦ୍ୟାପି ।

ଯେତେଦିନ ଥିବ ରହି ମୋହର ମନ୍ଦିର

ଜୀବଥିବା ଯାୟେ ଭିକ୍ଷା ଖଟିବି ତୁମ୍ଭର ।

ମୁହିଂ ଅପୁତ୍ରିକ ନାରୀ ଅରଜିଛି ଧନ

ମୁହିଂ ମଲେ ଘେନିଯିବେ ରାଜାପାତ୍ର ଗଣ ।

ଧର୍ମ କରିଥିଲେ ମୋର ବାଟକୁ ସମ୍ବଳ

ପଶୁଆ ସଞ୍ଚଇ ଧନ ଗ୍ୟାଂନୀମାନେ ଦାନେଶ୍ଵର ।

ଆହୁରି ପାଞ୍ଚ ମୂରତି ସଙ୍ଗେ ଘେନି ଆସ

ଅମୃତମଣୋହି ଖଟିଥିବି ଅନ୍ନରସ ।

ହାଡ଼ିପା ବୋଇଲେ ଧର୍ମଥିଲା ପ୍ରାଣୀମାନେ

ଆଗହୁଂ କହନ୍ତି ସତ୍ୟ ସତ୍ୟହଂ ବଚନେ ।

ତୁହି ଯେ ବୋଇଲୁ ମାତା ଅନ୍ନ ଦେବି ମୁହିଂ

କହନ୍ତେ ଜାଣିଲି ତୋର ଅକଳଙ୍କ ଦେହୀ ।

ଯେବେ ତୋର ମନେ ଅଛି ୟେଡେକ ବିଶ୍ୱାସ ।

ରହିବୁଂ ତୋହର ବାସେ ପୂରୁ ତୋର ଆଶ ।

ୟେକା ଆମେ ଚଳିଯିବୁଂ ଖଣ୍ଡିୟେକ ଦୂର

ଚେଲାଟିକୁ ଛାଡ଼ିଯିବୁଂ ତୋହର ମନ୍ଦିର ।
ୟେହାକୁ ଖଟିବୁ ଭିକ୍ଷା ଥିବ ଯେତେ ଦିନ

ଆମେ ଆସି ଘେନିଯିବୁଂ ଇଚ୍ଛା ସମୟେଣ ।

ପାଞ୍ଚମୂର୍ତ୍ତି ଭିକ୍ଷାଦେଲେ ଯେ ହୋଇବ ଧର୍ମ

ତହୁଂ ଶତଗୁଣେ ତୋତେ ହୋଇବ କାରଣ ।

କନ୍ୟା ବୋଇଲାକ ନାଥ ଯେ ତୁମ୍ଭର ଇଚ୍ଛା

ୟେବେ ଦୁଇଜଣ ତୁମ୍ଭେ କର ଫଳଭିକ୍ଷା ।

ଦଇବେ ହାଡ଼ିପା ଗୁରୁ ଅନ୍ନ ନଭକ୍ଷନ୍ତି

ପବନ ଅପ୍ୟାନେ ତାଙ୍କ ମନ ହୁଏ ଶାନ୍ତି ।

ବୋଲନ୍ତି ହାଡ଼ିପା ଆମ୍ଭେ ଅନ୍ନତ୍ୟାଗ କଲୁଂ

ଗୋବିନ୍ଦଚନ୍ଦ୍ରକୁ ତୁମ୍ଭ ମନ୍ଦିରେ ଛାଡ଼ିଲୁଂ ।

ତୋହର ବଚନ ପ୍ରତିପାଳିଥିବ ୟେହି

ତୁ ଯହିଂକି ପେଷିବୁ ତା ନକରିବ ନାହିଂ ।

ରାଜାଙ୍କୁ ଅନାଇ ଗୁରୁ ବୋଲନ୍ତି ବଚନ

କନ୍ୟାର ଉତ୍ତର କେବେ ନକରିବୁ ଆନ ।

ମେରୁ ପ୍ରଦକ୍ଷିଣ କରି ଆମ୍ଭେ ବୁଲିଆସି

ତୁମ୍ଭଙ୍କୁ ଯେ ଘେନିଯିବୁ ହୋଇ ମନତୋଷି ।

ଆଗ୍ୟାଂ ନିରାଧାର କରି ଶରଧାରେ ଘେନ

ଶିଷ୍ୟଙ୍କୁ କହିଣ ଗୁରୁ ଚଳିଲେ ବହନ ।

ରାଢ଼ିଆଣୀ ବୋଇଲା ଉଚ୍ଛୁର ହେଲାବେଳ

ତୁମ୍ଭେ ହୋ ଗୋବିନ୍ଦନାଥ ଭିକ୍ଷା ବେଗକର ।

ଅନ୍ନ ପରଷିଲା ଆଣି କଇବ୍ରତ ନାରୀ

ଭିକ୍ଷାସାରି ଆନନ୍ଦ ହୋଇଲେ ଦଣ୍ଡଧାରୀ ।

ୟେମନ୍ତେ ରହିଲେ ରାଜା କଇବ୍ରତୀ ଘର

ଦିନ ଶେଷ ରୟଣୀ ହୋଇଲା ଅନ୍ଧକାର ।

ନିତ୍ୟେ ସେ ଭାଜଇ ଲିଆ ରାଢ଼ିଆଣୀ ନାରୀ

ପାଗ ସଂଯୋଗ କରିଣ ଅଗ୍ନିଦେଲା ଜାଳି ।

ଭାଜଇ ହାଣ୍ଡିରେ ଲିଆ ଛଡ଼ାଏ କୁଲାର

ବିକଇ ପସରା ନିତି ମାପଇ ଅଢ଼ାର ।
ରାତ୍ର ଅର୍ଦ୍ଧଭାଗେ ସେ ରାନ୍ଧଣା କରେ ଭାତ

ଖାଇ ସାରି ଦୁଇଦଣ୍ଡ ଶୁଅଇ ନିଅତ ।

ରାତ୍ର ପାଞ୍ଚଘଡ଼ିଠାରୁ ଉଜାଗର ହୋଇ

ଚୁଲି ଲଗାଇଣ ସେହୁ ଧାନ ଖରଡ଼ାଇ ।

ସେହିମତି କରି ବିକା କିଣା କରୁଥାଇ

ତିସରା ପହର ହେଲେ ଲୁଗା ପାଲଟଇ ।

ବସିବାକୁ କ୍ଷଣେ ତାକୁ ନାହିଂ ଅବସର

ଧେନୁମାନେ ଛନ୍ତି ତାର ଦୁହାଂଳ ଅପର ।

ଅଜା ଯେ ତିନି ସହସ୍ର ପୋଷିଛି ସେ ଘରେ

ଷାଠିଏ ଭରଣ ଧାନ ପଡ଼ିଅଛି ଦ୍ୱାରେ ।

କଇରି ମରାଇ ଘରେ ଅଛି ଘଞ୍ଚ ହୋଇ

ତିନିଶ ଭରଣ ଧାନ ଋଣ ଦେଇଥାଇ ।

ସବୁବେଳେ ମନ ତାର ଚଞ୍ଚଳ ପ୍ରକାର

ୟେକା ଜଣେ ସିନା ତାକୁ ନ ଥାଇ ଅସର ।

ଦଣ୍ଡେ ନ ବସିଣ ବିକା କିଣା କରୁଥାଇ

ଦିବସେ ନ ଥାଇ ଭୋକ ରାତ୍ରେ ନିଦ୍ରା ନାହିଂ ।

ଦେଖିଣ ଚକିତ ହେଲେ ଶ୍ରୀ ଗୋବିନ୍ଦଚନ୍ଦ୍ର

କଇବ୍ରତୀ ବୋଲେ ନାଥେ ଶୁଣ ମୋ ଉତ୍ତର ।

ମୁହିଂ ଖଇ ଭାଜି ଦେଉଥିବି ତୁମ୍ଭ ଆଗେ

ଅଢ଼ାରେ କୁଞ୍ଚାରେ ମାପି ଦେଉଥିବ ଯୋଗେ ।

ଗରାଖ ଅଇଲେ ଧାନ ମାପିବ ଅଢ଼ାରେ

ଭଲକରି ଦେଉଥିବ ଦ୍ୱିଗୁଣ ପ୍ରକାରେ ।

ପାଇଟି ଉଶ୍ୱାସ ମୋତେ ହୋଇବ ଗୋସାଇଂ

ମୋ ବୋଲ କରିବ ତୁମ୍ଭ ଗୁରୁଛନ୍ତି କହି ।

ନୃପତି ବୋଇଲେ ମାତା ଧନ୍ୟ ଲୋଭ ତୋର

ଅଚଳାଚଳ ସମ୍ପତ୍ତି ପୂରିଛି ତୋ ଘର ।

ପୁତ୍ର ପତି ନାହିଁ ୟେକା ଜଣେ ବୋଲି କହୁ

ବସି ଭୋଗକରି କିମ୍ବା କଦର୍ଥନା ପାଉ ।

ମୃତ୍ୟୁ ପରିଯନ୍ତେ ତୋତେ ଗୋଡ଼ାଇବ ଅନ୍ନ

ତୋହ ମଲେ ଘେନିଯିବେ ରାଜାପାତ୍ର ମାନ ।
କଇବ୍ରତୀ ବୋଇଲା କାହାର ଲୋଭ ନାହିଂ

ଜୀବ ଯିବା ଯାୟେ ଧନ ମୂରୁଛି ନୁହଇ ।

ନୃପତି ବୋଇଲେ ଗ୍ୟାଂନ ପାଇଲା ରମଣୀ

ଲୋଭ ମୋହ କିଞ୍ଚିତେ ସେ ନ ଛାଡ଼େ ଅବନୀ ।

ବଙ୍ଗଦେଶେ ଥିଲା ଯେ ଗୋବିନ୍ଦଚନ୍ଦ୍ର ରାଜା

ନବଲକ୍ଷ ବଙ୍ଗଦେଶ ଶତେକ ଭାରିଯା ।

ସହସ୍ରେକ ତୁରଙ୍ଗମ ସହସ୍ରେକ ହସ୍ତୀ

ଗୁରୁ ଆଗ୍ୟାଂରେ ଛାଡ଼ିଲା ୟେଡେକ ସମ୍ପତ୍ତି ।

ଦଣ୍ଡ ସିଂହାସନ ଛାଡ଼ି ଯୋଗୀ ହୋଇଗଲା

ତାହାଙ୍କୁ ସେହି ସମ୍ପତ୍ତି ବଡ଼ କି ହୋଇଲା ।

କଇବ୍ରତୀ ବୋଇଲା ଯେ ସୁଗ୍ୟାଂନ ଗୋଚରୀ

ଗୃହ କରିବାକୁ କେହି ନୁହେଂ ତାଙ୍କ ସରି ।

ମୋହତୁଂ ଗୋବିନ୍ଦଚନ୍ଦ୍ର ହୋଇବ କି ତପୀ

ବୁଲି ବୁଲି ଦେହ କ୍ଷୀନ ହୋଇଲା ଅଦ୍ୟାପି ।

ପର ପ୍ରତି ଆଶା ଭିକ୍ଷା ଦେବ କେ ନଦେବ

କୁଟୁମ୍ବ ନିଃଶ୍ୱାସ ତାର ଉପରେ ପଡ଼ିବ ।

ମୁହିଂ ବହୁ ଦୁଃଖପଡ଼ି ଅରଜୁଛି ଧନ

ଯିଏ ମାଗେ ତାହାକୁ ହିଂ ଦିୟେ ଅନ୍ନଦାନ ।

ଦେବା ଯେ ମାଗିବା ଦୁଇ କଥା ସମକର

ଦେବା ଲୋକ ଦେହ ଅନ୍ତେ ବସେ ସ୍ଵର୍ଗପୁର ।

ପୃଥୀ ବୁଲି ରାଜା ନ ପାଇବ ଫଳ ଯେତେ

ଗୃହକର୍ମରେ କାରଣ ଲଭିବି ମୁଂ ତେତେ ।

କାମ କ୍ରୋଧ ନିଦ୍ରା ତିନି ଯୋଗକୁ ଧାରଣ

ଦିନକୁ କଳପକରି ବଞ୍ଚଇ ମୁଁ ଦିନ ।

ଖଇ ଭାଜିବାକୁ ମୋର ନଅଣ୍ଟଇ ଦିନ

ତେଣୁ କରି ନିଦ୍ରା ମୋର ନମାଡ଼େ ନୟନ ।

ଦିନେକ ଭୋଜନ ମୁଂ ଯେ କରେ ୟେକାବେଳେ

ବେଭାରେ ପୁରୁଷ ଗ୍ୟାଂନ ନାହିଂନା ମୋହରେ ।
ତିନିଶ ଅଶୀ ବରଷ ଯେହିମତି ଗଲା

ଦିନେ ହେଂ ଅଙ୍ଗକୁ ମୋର ଅଳସ ନୋହିଲା ।

କଇବ୍ରତୀ କଥା ଶୁଣି ଗୋବିନ୍ଦ ରାଜନ

କଥାରେ ଜିଣି ନ ପାରି ହୋଇଲା ମଉନ ।

ମନେ ବିଚାରିଲା ଗୁରୁ କହିଗଲେ ମୋତେ

କଇବ୍ରତୀ ବୋଲି ମୁଂ ଯେ ଭାଙ୍ଗିବି କେମନ୍ତେ ।

ୟେତେ ବୋଲି ଖଇ ବିକି ବସିଲା ରାଜନ

ବାଛି ନ ଜାଣି ରାଜନ ଅଧେ ଥାଇ ଧନ ।

ସାନ ଅଢ଼ା ବଡ଼ ଅଢ଼ା ବାରଣ ନ ଯାଇ

ସାନରେ ମାପିଣ ପୁଣି ବଡ଼ରେ ଦିଅଇ ।

କଇବ୍ରତୀ ବୋଲେ ନାଥ ଶୁଣ ମୋ ଉତ୍ତର

ଅଢ଼ା ଚିହ୍ନି ନ ପାରିଲେ ଅତି ଗର୍ବେଶ୍ଵର ।

ବିସ୍ତାରି କହିଲା ତାଙ୍କୁ ରାଢ଼ଆଣୀ ନାରୀ

ଜାଣିଲେ ଗୋବିନ୍ଦଚନ୍ଦ୍ର ସାନ ବଡ଼ ବୋଲି ।

ବିକିଲେ ଅସର କ୍ଷଣେ ନ ଥାଇ ତାହାକୁ

ୟେକାବେଳେ ଭିକ୍ଷାଯାଇ ଲଗାଇ ନିଶାକୁ ।

ୟେମନ୍ତେ ଚାରିବରଷ ଦିନ ବହିଗଲା

କଇବ୍ରତୀ ମୁଖକୁ ନୃପତି ନ ଚାହିଂଲା ।

ଅବିଛନ୍ନେ ହେଠମାଥ ହୋଇ ବସିଥାଇ

ତାହାଦେଖି ରାଢ଼ିଆଣୀ ବିଚାର କରଇ ।

ଦିନେହେଂ ମୁଖ ନାଥ ଟେକି ନ ଚାହିଲା

ଜାଣିମା ସନ୍ଦେଶ ବୋଲି କତିରେ ବସିଲା ।

ଦେଖିଲା ଚରଣ ତଳେ ପଦ୍ମପାଦ ଚିହ୍ନ

ମନେ ବିଚାରିଲା ୟେତ ବଡ଼କୁଳେ ଜନ୍ମ ।

ଆଜିଠାରୁ ଖଇ ତୁମ୍ଭେ ନବିକିବ ନାଥେ

ବସିକରି ଯୋଗ ତୁମ୍ଭେ ସାଧୁଥିବ ସୁଖେ ।

ଗୋବିନ୍ଦଚନ୍ଦ୍ର ଚିନ୍ତିଲେ ୟେ ମୋତେ ଚିହ୍ନିଲା

ସେହିଦିନୁ ଆସନ ବାହାରେ ସଜାଡ଼ିଲା ।

ୟେମନ୍ତେ ଚାରିବରଷ ହୋଇଲା ସମ୍ପୂର୍ଣ୍ଣ

ହାଡ଼ିପା ବିଜୟେ କଲେ ଚେଲା ସନ୍ନିଧାନ ।
ଗୁରୁ ଦେଖି ରାଜନ ଆସନ ଉପେକ୍ଷିଲା

ଆଦେଶ ଆଦେଶ ବୋଲି ଚରଣେ ପଡ଼ିଲା ।

କଲ୍ୟାଣ ବାଞ୍ଛିଲେ ତାଙ୍କୁ ମହତ ପୁରୁଷ

ସିଦ୍ଧହୁଅ ଗୋବିନ୍ଦ ରେ ବଇକୁଣ୍ଠେ ବସ ।

ତହୁଂ ରାଢ଼ିଆଣୀକି ଭେଟିଲେ ହାଡ଼ିପାୟେ

ଖଣ୍ଡେ ଦୂରୁଂ ରାଢ଼ିଆଣୀ ଲୋଟିଲାକ ପାୟେ ।

ଗୁରୁ ଆଗ୍ୟାଂଦେଲେ ମାଗୋ ଚେଲାଗୋଟି ନେଲୁ

ଅନ୍ୟାଚାର କଥା ୟାର କିରୂପେ ବୁଝିଲୁ ।

ରାଢ଼ିଆଣୀ ବୋଲୁଅଛି ଶୁଣିମା ଗୋସାଇଂ

ଚାରିବରଷ ହୋଇଲା ଅଛି ମୋର ଠାଇଂ ।

ପଚାରିବା କଥାକୁ ଉତ୍ତର ଦେଉଥାଇ

ମୁଖଟେକି ଦିନେ ମୋତେ ଚାହିଁବାକୁ ନାହିଁ ।

ମୋହ ଘରଠାରୁ ଦିନେ କେଣିକି ନ ଯାଇ

ନୁହଇ ଚଞ୍ଚଳ ବୁଦ୍ଧି ଥୁଲା ତାର ଦେହୀ ।

କାୟା ସିଦ୍ଧ ହୋଇଲା ହାଡିପା ବିଚାରିଲେ

ଗୋବିନ୍ଦଚନ୍ଦ୍ରକୁ ଚାହିଁ ମନେ ବିଚାରିଲେ ।

ବାଟରେ ଯେ ପଚାରନ୍ତି ହାଡ଼ିପା ଗୋସାଇଂ

ନିଜ ରାଜ୍ୟ ଦେଖିବୁକି ରାଜା ଗୋବିନ୍ଦାଇ ।

ନୃପତି ବୋଇଲେ ମୋର ତହିଂ କିସ କାର୍ଯ୍ୟ

ମୁହିଂ କିସ କରିବଇଂ ମୋର କିସ ରାଜ୍ୟ ।

ହାଡ଼ିପା ବୋଇଲେ ତୋର ଗର୍ଭଧାରୀ ଅଛି

ନେଇ ଭେଟାଇବା ତତେ ମୁକୁତା ଦେଈକି ।

ୟେତେ ବୋଲି ଗମନ କରନ୍ତି ଗୁରୁଶିଷ୍ୟ

ନିଶାକାଳେ ପ୍ରବେଶ ହୋଇଲେ ବଙ୍ଗଦେଶ ।

ନଗର ପାରୁଶେ ସିଂହଦ୍ୱାରେ ହେଲେ ଯାଇ

ନିଦ୍ରାଗତ ସମସ୍ତେ ଚହଳ ନଶୁଭଇ ।

ହାଡ଼ିପା ବୋଇଲେ ବାବୁ ନବରକୁ ଯାଅ

ଅନ୍ତପୁରେ ଯାଇ ମାତା ପୁତ୍ର ଭେଟ ହୁଅ ।
ରାଣୀ ମହାଦେଈ ଜେମା ମୁଦୁସୁଲୀମାନେ

କାହାକୁ ନଦେଖା ଦେଇ ପଶିବୁ ଗୋପନେ ।

ନୃପତି ବୋଲଇ ସ୍ୱାମୀ କବାଟ କିଳିଣୀ

କି ରୂପେ ଫିଟିବ ଦ୍ଵାର କହ ତତ୍ତ୍ୱବାଣୀ ।

ହାଡ଼ିପାୟେ କବାଟରେ ଲଗାଇଲେ କର

ଫିଟିଲା ଯନ୍ତ୍ର କିଳିଣୀ ବାହାର ଭିତର ।

ସିଂହଦ୍ୱାର ମାଡ଼ିଣ ବସିଲେ ଗୁରୁଦେବ

ଭିତରେ ପଶିଲା ରାଜା ଗତିକରି ବେଗ |

ଯେଉଂଠାରେ ଅଛନ୍ତି ମୁକୁତା ମହାଦେଈ

ସେସ୍ଥାନରେ ପ୍ରବେଶ ହୋଇଲେ ଗୋବିନ୍ଦାଇ ।

ଦେଖିଲା କଟକ ତାର ସବୁଅଛି ପୁରି

ଜାଗିଲାରେ ମାତା ବୋଲି ମୁଖରେ ଉଚାରି ।

ଗଜ ପଲଙ୍କରେ ମାତା ନିଦ୍ରା ଯାଇଛନ୍ତି

ଜାଗିଲା ଜାଗିଲା ପଦ କର୍ଣ୍ଣରେ ଶୁଣନ୍ତି ।

ଧାତିକାରେ ନିଦ୍ରା ତେଜି ଉଠିଲେ ବହନ

ପ୍ରବେଶ ହୋଇଲେ ଯାଇ କୁମର ସନ୍ନିଧାନ ।

ଲୟେ ଅନୁସରିଲେ ମୁକୁତା ମହାଦେଈ

ତୁହିକି ମୋହର ପୁତ୍ର ରାଜା ଗୋବିନ୍ଦାଇ ।

ମାତାଙ୍କ ଚରଣତଳେ କୁମର ଲୋଟିଲା ।

ସିଦ୍ଧଲୋକେ ବସ ବୋଲି ମାତା ପ୍ରକାଶିଲା ।

ଗୁରୁ କାହିଂଛନ୍ତି ବାବୁ କହ ମୋ ଆଗର ।

କୁମର ବୋଇଲା ଗୁରୁ ଛନ୍ତି ସିଂହଦ୍ଵାର ।

ବସରେ କୁମର ବୋଲି ମାତା ଆଗ୍ୟାଂ ଦେଲେ

ଆପଣେ ଭିତରୁ ଆଣି ଅନ୍ନ ପରଶିଲେ ।

ଭୁଞ୍ଜରେ କୁମର ବୋଲି ମାତା ଆଗ୍ୟାଂ ଦେଲେ

ଲବଣ ଗୋଟିୟେ ଦିଅ କୁମର ବୋଇଲେ ।

ଜନନୀ ବୋଇଲେ ବାବୁ କି ଯୋଗ ସାଧିଲୁ

ବାର ବରଷରେ ତୁ ତ ଲୁଣ ନ ଛାଡ଼ିଲୁ ।

ମାୟାଚାରୀ ସଙ୍ଗେ ହୋଇଲୁକି ବାଇ

ଭଲା ସେ ଗୁରୁ ଗୋସାଇଂ ଗ୍ୟାନ ଦେଲେ କହି ।
ୟେତେ ବୋଲି ଲୁଣ ଆଣିଦେଲେ ମହାସତୀ

ଭୁଞ୍ଜରେ ଗୋବିନ୍ଦଚନ୍ଦ୍ର ବିରସ ତା ମତି ।

ୟେବେ ତୁ କୁମରମଣି ଦିଗ ଫେରିଯିବୁ

ଅନ୍ନ ଯେବେ ଛାଡ଼ିବୁ ମୋ ବଦନ ଚାହିଂବୁ ।

ୟେତେ ବୋଲି ପୁତ୍ରକୁ ଘେନିଣ ମହାଦେଈ

ସିଂହଦ୍ୱାରେ ପ୍ରବେଶିଲେ ହାଡ଼ିପାଙ୍କ ତହିଂ ।

ଆଦେଶ ଆଦେଶ ବୋଲି ଶିର ନୁଆଇଲେ

ହାଡ଼ିପାକୁ ଚାହିଂ ମୁକ୍ତା ବଚନ ବୋଇଲେ ।

ତୁମ୍ଭେ ଯେ ପୁତ୍ରକୁ ଘେନି ଦେଶାନ୍ତର ଗଲ

ବାର ବରଷରେ କିଛି କାରଣ ନକଲ ।

ଅନ୍ନଭିକ୍ଷା ପରଶନ୍ତେ ମାଗିଲା ଲବଣ

ଲବଣ ଭୁଞ୍ଜିଲେ କାହୁଂ ପାଇବ କାରଣ ।

ଲବଣ ସକାଶୁଂ ଦେହୁଂ ମାଉଂସ ମିଳାଇ

ସର୍ବ ସ୍ୱାଦ କରେ କେହୁ ଛାଡ଼ି ନ ପାରଇ ।

ୟେବେ ୟେହିକ୍ଷଣି ୟେ ପୁତ୍ରକୁ ଘେନିଯିବ

ଲବଣ କାଟନ୍ତେ ସିନା ଅନ୍ନହିଂ ଛାଡ଼ିବ ।

ଅନ୍ନ ଭୋଗ କଲା ଯାଉଅଛି ନାଶ ।

ପବନ ଆହାର କଲେ ସିଦ୍ଧ ଅଙ୍ଗ ଦେଶ ।

ହାଡ଼ିପା ବୋଇଲେ ଶୁଣ ମୁକୁତା ଗୋ ମାତା

ଆଡ଼େ ଆଡ଼େ କରି ସିନା ମାୟାକୁ ଛାଡ଼ନ୍ତା ।

ତୋତେ ଭେଟାଇବା ପାଇଂ ଆଣିଲୁ କର୍ମରେ

ପ୍ରତ୍ୟକ୍ଷେ ଜାଣିବ ଆର ଲେଉଟାଣି ବେଳେ ।

ୟେହା ଶୁଣି ମହାଦେଈ ଭିତରକୁ ଗଲେ

ଗୋବିନ୍ଦଚନ୍ଦ୍ର ଘେନି ହାଡ଼ିପା ବିଜେ କଲେ ।

ୟେମନ୍ତ ସମୟେ ଯେ ରୟଣୀ ପାହିଗଲା

ରୋଦମାର ଆଗେ ଯାଇ ପୋଦମା କହିଲା ।

ଶୁଣ ସପତଣୀ ସଖୁ ଦେଖିଲଇଂ ଯାହା

ସ୍ୱପନ ଦେଖିଲି ଆଜ ଆସିଥିଲେ ନାହା ।
କଥାଭାଷା ହେଉଥିଲେ ମାତାଙ୍କ ପାଶରେ

ତେତେବେଳୁ ମୁହିଂ ଥିଲି ଅଚେତ ନିଦ୍ରାରେ ।

ରୋଦମା ବଚନ ଶୁଣି ପୋଦମା ବୋଲଇ

ମୁହିଂ ଆଜ ସ୍ୱପନ ଦେଖିଲି ପ୍ରାଣସହୀ ।

ପଲକେ ପହୁଡ଼ିଛନ୍ତି ମୋତେ କୋଳେ ଘେନି

ଆପାର ଚାଟୁ ବଚନ କହୁଥିଲେ ପୁଣି ।

ମୁଖକୁ ମୁଖ ଲଗାଇ ଦେଲେ ଚୁମ୍ବଦାନ

କାମରସେ ତ୍ରିପୁତି ହୋଇଲା ମୋର ମନ ।

ସତ ପ୍ରାୟ ମଣିଥିଲି ସ୍ୱପନ ରହସ୍ୟ

କାଳେ ମିଛ ହୋଇଲା ଗୋ ଶୁଣ ତୁ ବିଶ୍ଵାସ ।

ପ୍ରଭୁ ମୁଖ ସୁମରି ରୋଦନ କଲେ ବାଳୀ

ଅନେଶ୍ୱତ ରାଣୀ ଶୋକ କଲେ ଅସମ୍ଭାଳି ।

ନଗରେ ଚହଳ ଶବ୍ଦ ଶୁଭିଲାକୁ ଯେଣୁ

ଧାଇଂ ଆସି ମୁକୁତା ଯେ ମିଳିଲେକ ତେଣୁ ।

ଅନିମିରେ କିମ୍ପାଇଂ ଗୋ ପାଡୁଛ ବୋବାଳି

ଆଉ ଅଳପ ଦିନେ ଆସିବେ ଦଣ୍ଡଧାରୀ ।

ରାଣୀ ବୋଲେ ଚାରିମାସ କରିଥିଲେ କଣ୍ଟ

ବାରବରଷରେ ସ୍ୱାମୀ ନ ପାଇଲୁ ଭେଟ ।

ପ୍ରବୋଧି କହନ୍ତେ ସର୍ବେ ହୋଇଗଲେ ତୁନି

ଭିତରକୁ ବିଜେ କଲେ ମୁକୁତା ଜନନୀ ।

ୟେଥୁ ଅନନ୍ତରେ କଥା ଶୁଣ ଆନ ବାଣୀ

ବଙ୍ଗ ଦେଶୁଂ ବାହାର ହାଡ଼ିପା ଚେଲା ଘେନି ।

ହାଡ଼ିପା ବୋଇଲେ ତୋତେ ମହାମନ୍ତ୍ର ଦେଲୁ

ବାରବରଷରେ ତୋତେ ରାଜ୍ୟକୁ ଆଣିଲୁ ।

ତୋ ମାତା ମୁକୁତାଦେଈ ବାଛିଲା ସିଦ୍ଧାନ୍ତ

ତୁହିତ ଶୁଣିଲୁ ଗିରେ ପୁଣି ତଦଗତ ।

ଗୁରୁ ସିନା କହଇ ସଂସାର ଅନୁଭବ

ସାଧୁଲେ ହୁଅଇ ସାଧ୍ୟ ଆଉ ମାନ ସର୍ବ ।

ଅନ୍ନ ତୁ ଛାଡ଼ିଣ କର ପବନ ଆହାର

ଫିଟିଣ ଯାଉ ଅଛିକି ବାହାର ଭିତର ।
ସିଦ୍ଧ ମୂଳ ଚିହ୍ନାଇଲେ ଶ୍ରୀଗୁରୁ ଗୋସାଇଂ

ୟେହା ଖାଅ ଅମର ହୋଇବ ତୋର ଦେହୀ |

ଯୋଗାସନ ମନ୍ତ୍ର କହି କରିଲେ କାରେଣୀ

ଅଧରୁ ଯାଉଛି ଉଡ଼ି ପବନ ଉଜାଣି ।

ବୋଲନ୍ତି ଗୋବିନ୍ଦଚନ୍ଦ୍ର ତୋର ପରସନ୍ତି

ଘୋରୁ ଘୋରୁ ଲାଉଟି ତୁଟିଲା କିଛିଦିନେ ।

ଆବର ଅନ୍ନକୁ ଠାବ ନାହିଂ ଯେ ଗୋସାଇଂ

ତଳଚକି ଅଛି ୟେକ ଟଙ୍କା ପ୍ରାୟ ହୋଇ ।

ଜଳ ଭିତରକୁ ତାହା ଫିଙ୍ଗିଲେ ବହନ

ୟେତେ କହି ଗୁରୁ ଶିଷ୍ୟେ କରନ୍ତି ଗମନ ।

ଡାହାଣ ବ୍ରତେକ କରି ହାଡ଼ିପା କାଢ଼ନ୍ତି

ଅରଣ୍ୟ ଡିଙ୍ଗର ପଥେ ଗମନ କରନ୍ତି ।

ଦିବସେ ବୁଲନ୍ତି ରାଜ୍ୟେ ବନେ ରାତ୍ରେ ଫେରି

ସେହି ଦିନୁ ଅନ୍ନତ୍ୟାଗ କଲେ ଦଣ୍ଡଧାରୀ ।

ଅଷ୍ଟଦିନେ ଗୋଗୋଷ୍ଠରୁ ପାନ କରି ଦୁଧ

ଛ’ମାସରେ ତଥାକଥା କଲାକ ନିରୋଧ ।

ନଗର ତ୍ୟଜି ସମୁଦ୍ର କୂଳେ ଯାଇ ରହି

କୋମଳ ପଲ୍ଲବ ତହିଂ ଫଳମୂଳ ଖାଇ ।

ଗୁରୁଙ୍କୁ ପୁଛିଲା ସ୍ୱାମୀ ଶୁଣ ମୋ ଉତ୍ତର

ଯେଉଂ ଦିନ ବଙ୍ଗେ ହୋଇଥିଲି ନୃପବର ।

ସୁଗ୍ୟାନୀ ବ୍ରାହ୍ମଣମାନେ କହୁଥାନ୍ତି ମୋତେ

ସାତସିନ୍ଧୁ ସାତଦ୍ୱୀପ ଅଛି ମହୀଗତେ ।

କର୍ଣ ଶୁଣିଥିଲି ମୋ ନଦେଖି ଥିଲା ଚକ୍ଷୁ

ଚର୍ମିନୟନେ ଦେଖିଲି ମଣିବି ପ୍ରତ୍ୟକ୍ଷୁ ।

ମହିମା ସମୁଦ୍ର ନାଥ ଦେଖିବି କେମନ୍ତେ

ୟେତେ ବୋଲି ଚରଣେ ଲୋଟିଲେ ମହୀପତେ ।

ହାଡ଼ିପା ବୋଇଲେ ଯେବେ ଇଚ୍ଛାକଲୁ ମନ

ଦେଖାଇବା ସପ୍ତସିନ୍ଧୁ ସପ୍ତଦ୍ୱୀପମାନ |

କେମନ୍ତେ ବୁଲିବୁ ବାବୁ ଅଗାଧ ଜଳର

ଚୌରାଶୀ କାଠି ଗଭୀର ନାହିଂ ଥଳକୂଳ ।

ଆସ ଆସ ପୁତ୍ର ତୋତେ ସନ୍ଦେଶ କହିବା

ପାଦୁକା ମନ୍ତ୍ର କହିଲେ ଗୁରୁ ମହାଦେବା ।

ୟେ ମନ୍ତ୍ର ପଢ଼ି ବାବୁ ପଥକୁ ଚାହିଂଲେ

ଯେଣେ ବାଞ୍ଛା କରିବୁ ଗମିବୁ ତେଣେ ଭଲେ ।

ଆବର ଅଞ୍ଜନ ମନ୍ତ ଶୁଣରେ କୁମର

ନିଶାରେ ଶତେ ଯୋଜନ ଦିଶିବ ନିର୍ମଳ ।

ପୁଣିହେଁ ସନ୍ନ୍ୟାସ ମନ୍ତ୍ର ଦେଲେ ତପୀବର

ୟେ ମନ୍ତ୍ର ପଢ଼ିଲେ ଉଡିଯିବୁ ସ୍ଵର୍ଗପୁର ।

କୁହୁକ ମନ୍ତ୍ର ବିଧାନ କହିଲେ ଗୋସାଇଂ

ଆସୁ ଯାଉଥିଲେ ତୋତେ ନ ଦେବେ କେହି ।

ସଭା ମଧ୍ୟରେ ଅସଂଖ୍ୟ ଲୋକ ବସିଥିବେ ।

ତୁ ତାଙ୍କ ସଙ୍ଗତେ ଥିବୁ କେହି ନ ଦେବେ ।

ଆବରୁ ମନ୍ତ୍ରର କଥା ଶୁଣ ମହୀଦେବ

ହାଣିଲେ ଖଡ଼ଗ ଗଦା ଉପୁଡ଼ି ପଡ଼ିବ ।

ଆବର କଥାୟେ ଅଛି ଅନ୍ନପୂର୍ଣ୍ଣା ମନ୍ତ୍ର

ଆପଣେ ଥୋଇବୁଂ ନେଇ ତୀର୍ଥଜଳ ପାତ୍ର ।

ୟେକ ଗୋଟି ତଣ୍ଡୁଳ ଜଳରେ ପକାଇବୁ

ଚୁଲିରେ ବସାଇ ନିଆଂ ଚୁଲିରେ ଜାଳିବୁ ।

ଫୁଟିବ ତଣ୍ଡୁଳ ଗୋଟି ହୋଇବ ନରମ

ଲକ୍ଷେ ଲୋକ ଖାଇଲେଣ ବୋହିବ ନିତ୍ତନ ।

ୟେମନ୍ତେ ଅନେକ ମନ୍ତ୍ର ହାଡ଼ିପା କହିଲେ

ଶୁଣିଣ ଗୋବିନ୍ଦଚନ୍ଦ୍ର ହରଷ ହୋଇଲେ ।

କୃଷ୍ଣାଜିନ ପକାଇଲେ ସିନ୍ଧୁଜଳେ ପଶି

ଦୁଇ ଆସନରେ ଗୁରୁ ଶିଷ୍ୟ ଯାଇ ବସି ।

ଚଞ୍ଚଳ ବିଜୁଳି ଯହ୍ନେ ଅନ୍ତରୀକ୍ଷେ ହୋଇ

କହୁଂ କହୁଂ ପ୍ରବେଶ କାଞ୍ଚନ ଦ୍ୱୀପେ ଯାଇଂ ।

ଛାଲରୁ ଉତୁରି କୂଳେ ହେଲେ ପରିବେଶ

ୟେ କାଞ୍ଚନ ଦ୍ୱୀପ ବାବୁ ଶୁଣରେ ସନ୍ଦେଶ ।
ବେନିଶତ ଯୋଜନ ୟେ ମର୍ତ୍ତ୍ୟକୁ ଦୁର୍ଲଭ

କହିଣ ନୁହଇ ୟେ ଯେ ଅପୂର୍ବ ସୁଲଭ ।

କ୍ରୋଶ ଦୁଇ ବୋଲିଣ ଆସନେ ବିଜେକଲେ

ତହୁଂ ଅନ୍ତରୀଣେ କୁଶଦ୍ୱୀପରେ ମିଳିଲେ ।

ଚାରି କ୍ରୋଶ କୁଶସ୍ଥଳୀ ଅଛି ଦ୍ୱୀପ ଲାଗି

ରତ୍ନଦ୍ୱୀପେ ପ୍ରବେଶ ହୋଇଲେ ଆସି ବେଗି ।

ହୀରା ନୀଳା ପୋହଳା ଯେ ଅଷ୍ଟ ରତ୍ନମାନ

ଗଢିଛନ୍ତି କୁଢ଼ କୁଢ଼ ପର୍ବତ ସମାନ ।

ଗୋବିନ୍ଦଚନ୍ଦ୍ର ବୋଇଲେ ୟେ ଦ୍ରବ୍ୟ କାହାର

କୁବେର ନୃପତିର ୟେ ଅଟଇ ଭଣ୍ଡାର ।

ତହୁଂ ଅନ୍ତରୀକ୍ଷେ ଚଳି ଶାକଳ ଦ୍ୱୀପରେ

ବେଗେଣ ଗୋବିନ୍ଦ ବୀର ପରବେଶ ହେଲେ ।

କୁହୁକ ମନ୍ତ୍ର ବଳେ ବେଗେ ଚଳିଗଲେ

ରମ୍ୟକ ଦ୍ୱୀପରେ ଯାଇଂ ପ୍ରବେଶ ହୋଇଲେ ।

ଦଧି ଘୃତ ସୁରା ପୁଣି ଇକ୍ଷୁ ଦୁଗ୍ଧ ମଧୁ ।

ଲବଣ ସହିତ ହୋଇ ୟେ ଯେ ସପ୍ତସିନ୍ଧୁ ।

ସାତ ସିନ୍ଧୁ ସାତଦ୍ବୀପ ଇଚ୍ଛାରେ ବୁଲିଲେ

ବାହୁଡ଼ି ସମୁଦ୍ରକୂଳେ ପ୍ରବେଶ ହୋଇଲେ ।

ଗୋବିନ୍ଦଚନ୍ଦ୍ର ବୋଇଲେ ନିସ୍ତାରିଲି ମୁହିଂ

ଛାଡ଼ିଲେ ମନରୁ ଚିନ୍ତା ଭୟ କ୍ରାନ୍ତି ନାହିଂ ।

ମନ ପବନରୁ ଯେ ବଳିଲା ମୋର ଗାତ୍ର ।

ୟେ ଦେହେ ଦେଖିଲି ଦ୍ୱୀପ ସମୁଦ୍ର ସପତ ।

ଧନ୍ୟରେ ମୁକୁତା ଦେଈ ଜନନୀ ମୋହର

ସେହି ମତି ବୁଦ୍ଧି ଦେଲୁ କରମ ସୁଫଳ ।

ବୋଇଲେ ଗୋବିନ୍ଦଚନ୍ଦ୍ର ଶୁଣ ଗୁରୁଦେବ

ଦଣ୍ଡ ସିଂହାସନ ଦେଶ କିସ ମୋର ହେବ ।

କି କରିବି ହସ୍ତୀ ଘୋଡ଼ା କି କରିବି ବଳ

କି କରିବି ରୋଦମା ପୋଦମା ବେନି ମୋର ।

ସମୟରେ କାୟା ମୋର ହୁଅନ୍ତୁ ବିନାଶ

ସୁବେଳେ ପାଇଲି ଗୁରୁ ନାଶିଲି ସନ୍ଦେଶ ।

ଅସାଧକୁ ସାଧ୍ୟ କଲି ମନକୁ ପାଇଲି

ମନ ପବନକୁ ଆଣି ଜଗୁଆଳ କଲି ।

ହାଡିପା ବୋଇଲେ ବାବୁ ପାଇଲୁ କାରଣ

ୟେବେ ଦିଗବିଜେ କରିଯିବାକ ବହନ ।

ସିନ୍ଧୁ କୂଳ ବୁଲି ଯାଉଛନ୍ତି ଗୁରୁ ଚେଲା

ଯୋଗାନ୍ତି ସଙ୍ଗରେ ରାଜା ହୋଇଛନ୍ତି ମେଳା ।

ଗଣ୍ଡୁକୀ ଗୋମତୀ ଯେ କେଦାର ଗଉତମୀ

କେଦାର ସଙ୍ଗମ ଚିତ୍ରୋତ୍ପଳା ବୈତରଣୀ ।

ଗଙ୍ଗାସାଗର ସଙ୍ଗମ ଗୟା କୁଶଭଦ୍ରା

ଉତ୍ତରବାହିନୀ ସରସ୍ୱତୀ ଯେ ନରମଦା ।

କପିଳାସ ଗୋହାଟ କାବେରୀ ଗଙ୍ଗା ସ୍ଥାନ

ୟେପରି କୋଟିୟେ ତୀର୍ଥେ କଲେକ ଯେ ସ୍ନାନ }

କ୍ଷଣେହେଂ ନାହିଂ ବିଶ୍ରାମ ବୁଲୁଂ ନାନା ଦେଶ

ଶେଷ ହେଲା ଜମ୍ବୁଦ୍ୱୀପ ଦ୍ୱାଦଶ ବରଷ ।

ଗୋବିନ୍ଦଚନ୍ଦ୍ରକୁ ଗୁରୁ ପଚାରନ୍ତି ବାଣୀ

ମାତା ବୋଲ ହୃଦଗତେ ଅଛୁଟିକି ଘେନି ।

ଦ୍ୱାଦଶ ବରଷ ଆସି ହୋଇଲାକ ଦିନ

ବଙ୍ଗ ଦେଶ ଦେଖିବାକୁ ଅଛିଟିକି ମନ ।

ଗୋବିନ୍ଦଚନ୍ଦ୍ର ବୋଇଲେ ମୋର ଇଚ୍ଛା ନାହିଂ

ତୁମ୍ଭ ଅନୁଗ୍ରହ ହେଲେ ଯିବି ଶୀଘ୍ର ହୋଇ ।

ତୁମ୍ଭେ ଯିବ ଯେଣେ ମୁହିଂ ଯିବି ସେଇ ବାଟେ

ଆଗ୍ୟାଂ ଶିରାଗ୍ରତ କରି ଅଛଇ ଲଲାଟେ ।

ୟେତେ ବୋଲୁଂ ହୀଡ଼ିପାୟେ ଲେଉଟାଣି ବିଜେ

ପ୍ରବେଶ ହୋଇଲେ ଯାଇଂ ବଙ୍ଗଦେଶ ରାଜ୍ୟ ।

ନଗ୍ରର ବାହାରେ ଭଙ୍ଗା ଦେଉଳ ଦେଖିଲେ

ନିଶା ସମୟକୁ ଯାଇଂ ତହିଁ ବିଶ୍ରାମିଲେ ।

ଦେଖୁଲେ କଟକ ହୋଇଅଛି ନାରଖାର

ଘରମାନ ଭାଜିବାରୁ ବନସ୍ତ ଆକାର ।
ମୃଗ ଯେ ସମ୍ବର ଗଣ୍ଡା ବହୁତ ଅଛନ୍ତି

କୂପ ବାମ୍ଫୀ ପୁଷ୍କରିଣୀ ସବୁ ଅସରନ୍ତି ।

ଗୁରୁ ଆଗ୍ୟାଂ ଦେଲେ ବାବୁ କଟକ ତୋହର

କୋଶେ ଆୟତନ ଯେ ଗୋଟିୟେ ନାହିଂ ଘର ।

ଯାଅ ତୁ ନଗର ବୁଲି ଦେଖ ଦଣ୍ଡଧାରୀ

ଜନଜନ୍ତୁୟେ ଅଛନ୍ତି ଆସ ଠାବକରି ।

କଟକ ବୁଲି ରାଜନ ନବରେ ପଶିବୁ

ମାତାଙ୍କୁ ଦ୍ରଶନ କରି ସନ୍ଦେଶ ବୁଝିବୁ ।

ଗୁରୁଙ୍କ ବଚନ ପାଇ ରାଜା ଗୋବିନ୍ଦାଇ

ଶୂନ୍ୟ ପଥେ ନଗରକୁ ଗମନ କରଇ ।

ଦେଖିଲା କଟକ ତାର ନାରଖାର ଦିଶି

ପାଚେରୀ ଅଟାଳି ମେଢ଼ ଭାଜି ଯାଇଅଛି ।

ସିଂହଦ୍ଵାର ପାରୁଶରେ ରାଢିଆଣୀ ଘର

ଜାଗିଲା ରେ ବୋଲି ମାତା ଡାକି ଦୁଇଥର ।

ଘରେ ଥାଇ ସୁମନ୍ତିକା କରେ ଶୁଣିଲା

ହସ୍ତରେ ଭିକ୍ଷା ଧରିଣ ବାହାର ହୋଇଲା ।

ଦେଖୁଲା ଅନ୍ଧାର ରାତି ସମୟେ ଯୁଗତ

ନିରେଖୁ ଚାହିଂଲା ବାଳୀ ନୃପତିର ମୁଖ ।

ତୁମ୍ଭେ ହୋ ଯୋଗାନ୍ତ ନାଥେ କେଉଂ ଦେଶେ ଥିଲ

ୟେତେ ରାତ୍ରକାଳେ କିମ୍ପା ଭିକ୍ଷା ଜଗାଇଲ ।

କିବା ତୁମ୍ଭ ମନୋରଥ କହ କିନା ମୋତେ

କୁଶଳ ବାରତା ଗୋଟା ପୁଛିଲା ଯୁଗତେ ।

ୟେହି କଟକରେ ଯେ ଗୋବିନ୍ଦଚନ୍ଦ୍ର ଥିଲା

ନବଲକ୍ଷ ବଳ ଛାଡ଼ି ଯୋଗୀ ହୋଇଗଲା ।

ଚବିଶ ବରଷ ଆସ୍ତେ ଅନ୍ଧୁ ଦିନ ଗଣି

ମାତା ତାର ୟେଥି ଅଛି ଅନେଶ୍ୱତ ରାଣୀ ।

ସୁମନ୍ତ ବଚନେ ରାଜା ସମାସ୍ୟା ନ ଦେଇ

ସତ କହ ତୁମ୍ଭେ କି ରାଜନ ଗୋବିନ୍ଦାଇ ।

ସୁମନ୍ତ ବନେ ରାଜା ସମସ୍ୟା ନ ଦେଲା

କହୁଂ କହୁଂ ମନ୍ତ୍ରୋଚ୍ଚାରି ଅନ୍ତର୍ଦ୍ଧାନ ହେଲା ।

ସୁମନ୍ତ ବିଚାରେ ୟେତ ରାଜା ଗୋବିନ୍ଦାଇ

କହୁଂ କହୁଂ କେଣେ ଗଲା ଦେଖିବାକୁ ନାହିଂ ।

ତୁରିତେ ପଶିଲା ଯାଇ ନବର ଭିତର

ଜାଗିଲାରେ ମାତ ଦେଖା ଦିଅରେ ମୋହର ।

ଗଜ ପଲଙ୍କରେ ମାତା ନିଦ୍ରାଛନ୍ତି ଯାଇ

ଶବଦ ବାରିଲେ ଯେ ମୁକୁତା ମହଦେଈ ।

ବାର ବରଷରେ ମୋ ଅଇଲା ଗୋବିନ୍ଦାଇ

ୟେତେ ବୋଲି ମାତା ପୁତ୍ରକୁହିଂ ଦେଲା ଚାହିଂ ।

ପୁତ୍ରର ବଟନ ଶୁଣି ଶୋକେ ଅସମ୍ଭାଳ

ନୟନରୁ ଲୋତକ ବହଇ ଅନର୍ଗଳ ।

ମେରୁହାଡ଼ ଭିତରେ ପଶିଅଛି ଲାଭି

କୁମ୍ଭନାଦ ପ୍ରାୟେକ ବଚନ ତାର ଶୁଭି ।

ଖନ୍ଦାଶାଳୁଂ ଅନ୍ନ ଆଣି ପରଷିଲେ ମାୟେ

କି କରିବି ଅନ୍ନ ମାୟେ ସିଦ୍ଧ ମୋର କାୟେ ।

ଜନନୀ ବୋଇଲେ ବାବୁ କ୍ଷୀର ପାନକର

ନୃପତି ବୋଇଲେ ମାତା ତାହିଂ କଲି ଦୂର ।

ହରଷ ହୋଇଲେ ମାୟେ କୁମର ବଚନେ

ୟେବେ ସେ ତରିଲୁ ବାବୁ ମୋହର ନନ୍ଦନେ ।

ମୁଖରେ ଚୁମ୍ବନ ଦେଇ ହରଷ ହୋଇଲେ

ଗୁରୁ କାହିଂଛନ୍ତି ବାବୁ ବୋଲିଣ ବୋଇଲେ ।

ତକ୍ଷଣେ ମୁକୁତା ଦେଈ ବାହାର ହୋଇଲେ

ଭଙ୍ଗା ଦେଉଳେ ଯାଇଣ ଗୁରୁଙ୍କୁ ଦେଖିଲେ ।

ଆଦେଶ ଆଦେଶ ବୋଲି ଦୂରୁଂ କଲେ ସେବା

ମୁକୁତା ଦେଈଙ୍କୁ ଚାହିଂ ଆଗ୍ୟାଂ ଦେଲେ ଗୁରୁଦେବା ।

ପୁତ୍ର ତୋର ସିଦ୍ଧେଶ୍ଵର ହୋଇଲାକ ୟେବେ

ରାଜ୍ୟ କରୁଥାଅ ମାତା ପୁତ୍ର ୟେକା ଠାବେ ।

ବୋଲନ୍ତି ମୁକୁତାଦେଈ ଗୋବିନ୍ଦଚନ୍ଦ୍ରକୁ

ବୃକ୍ଷ ନଟୀକାଳ କାହିଂ ଆସିବ ହସ୍ତକୁ ।

ତକ୍ଷଣେ ଗୋବିନ୍ଦଚନ୍ଦ୍ର ବୃକ୍ଷକୁ ରାଇଲେ

ଆକାଶୁଂ ପଇଡ଼ ଆସି ହସ୍ତରେ ଲାଗିଲେ ।

ଯାଅ ବୋଲୁଂ ନିଜ ସ୍ଥାନେ ବସିଲାକ ଯାଇଂ

ବଚନ କାଟିଲା ଯେ ବୋଇଲେ ମହାଦେଈ ।

ମୃର୍ତ୍ତିକା ମୁଠାୟେ ଘେନି ପାଞ୍ଚିଲେ ମନର

ବୋଇଲା ସିଦ୍ଧ ବିଭୂତି ଦେଖିଲା ଚକ୍ଷୁର ।

ପଥର ଘେନି ବୋଇଲେ ହୁଅ ତୁ ସୁବର୍ଣ୍ଣ

ଆଗ୍ୟାଂ ପ୍ରମାଣେ ହୋଇଲା ଯେ ଅଷ୍ଟରତନ ।

ମର ବୋଇଲେ ଯାହାକୁ ସେଇ ସେ ମରଇ

ଉଠସିରେ ପୁତା ବୋଲି ବୋଇଲେ ଉଠଇ ।

ପରତେ ପାଇଲେ ମାୟେ ମନରେ ହରଷ

ଚାରିଯୁଗେ ଗଲେ ବାବୁ ବଇକୁଣ୍ଠେ ବସ ।

ହାଡ଼ିପାୟେ ବୋଇଲେ ଗୋବିନ୍ଦଚନ୍ଦ୍ର ଚାହିଂ

ପୋତିଲାର ସିଦ୍ଧ ଅନ୍ନ କାଢ଼ସିରେ ଯାଇ ।

ଖଣତି ଘେନିଣ ମାଟି ଖୋଳିଲା ରାଜନ

ଢାଙ୍କୁଣୀ କାଢ଼ିଲା ଯହୁଂ ଦିଶିଲା ତିଉଣ ।

ଆସ ଆସ ଗୋସାଇଂ ହାଣ୍ଡିକି ତଲେକର

ମନେ ବିଚାରିଲେ ଦେଖ ପୋକ ସଲସଲ ।

ଅମ୍ବିଳ ବାସୁଛି ଅନ୍ନ ଭଲ ଦିଶୁଅଛି

ଆଗ୍ୟାଂ ହେଉଛନ୍ତି ହାଡ଼ିପାୟେ ଜାଗ ବାଛି ।

ବାବୁ ସିଦ୍ଧି କି ଅସିଦ୍ଧି ପଦ ହେତୁକର

ପଚିବା ଅସାଧ୍ୟ ଅନ୍ନ ସାଧିବା ଆବର ।

କ୍ଷୀର ଅନ୍ନ ଭୋଗ କଲେ ଦେହସିଦ୍ଧି ହୋଇ

ତିଉଣ ଲୁଣ ଖାଇଲେ ବହନ ମରଇ ।

ୟେହା ଯେ ଜାଣଇ ସେ ବଞ୍ଚଇ ଚିରଦିନ

ୟେବେ ସିଦ୍ଧ ଅନ୍ତି ବାବୁ ଭୁଞ୍ଜିବା ବହନ ।

ୟେତେ ବୋଲି ଗୁରୁଚେଲା ମୁକୁତା ଜନନୀ

ତିନିହେଂ ଘେନିଲେ ଅନ୍ନ ସରିସମ ଘେନି ।
ଚବିଶ ବରଷ ପୋତା ହୋଇଥିଲା ଅନ୍ନ

ଭୁଞ୍ଜିଲା ବେଳକୁ ହେଲା ଅଗ୍ନିର ସମାନ ।

ହାଡ଼ିପା ବୋଇଲେ ବାବୁ ହୋଇଲୁ ଅମର

ୟେବେ ମାୟେ ପୋୟେ ତୁମେ ଥାଅ ୟେକଠାର ।

ଆମ୍ଭେ ଯାଉଅଛୁ କପିଳାସ କନ୍ଦରକୁ

ୟେତେ ବୋଲି ସୁମରିଲେ ପାଦୁକା ଦ୍ୱୟକୁ ।

ମନ ପବନ କଠାଉ ମିଳିଲାକ ଆସି

ତକ୍ଷଣେ ମାଡ଼ିଲେ ହାଡ଼ିପାୟେ ଯୋଗବାସୀ ।

କହୁଂ କହୁଂ ଅନ୍ତରୀକ୍ଷେ ଗଲେ ଶୂନ୍ୟମାର୍ଗେ

କପିଳାସ ପୁରେ ଯାଇଂ ମିଳିଲେକ ବେଗେ ।

ମାତା ପୁତ୍ର ଦୁହେଂ ଯେ ରହିଲେ ସିଂହଦ୍ଵାର

ଜନନୀ ବୋଇଲେ ବାବୁ ଶୁଣରେ କୁମର ।

କୁହୁକ ଲଗାଇ ୟେହି ମଣ୍ଡପରେ ଥିବୁ

ଚାତୁର୍ମାସ୍ୟା ପାହିଲେଣ ତୀର୍ଥ କରିଯିବୁ ।

କୁମର ବୋଇଲେ ମାତା ନ କୁହ ୟେମନ୍ତ

ମାୟାକୁ ଲଗାଇ ମୋତେ ଚିହ୍ନିବେ ସମସ୍ତ ।

ନଗ୍ର ନାରୀମାନେ ଚିହ୍ନିବେ ସକଳ

ମାୟାଚାରୀ ସର୍ବେ କାହିଂ ବସିବେ ସଭାର ।

ତୁମ୍ଭେ ମୁକୁତା ଦେଈ ୟେହି ନଗ୍ରେ ଥାଅ ରହି

ୟେକାନ୍ତେ କୋଟିୟେ ତୀର୍ଥ କରିବଇଂ ମୁହିଂ ।

ସପ୍ତଦ୍ୱୀପ ସପ୍ତସିନ୍ଧୁ ଆଦି ଯେଉଂମାନ

ଅମର ପୁର ସହିତେ ଲଙ୍କା ଆଦିସ୍ଥାନ ।

ଯାଅବୋଲି ଜନନୀ ପୁତ୍ରକୁ ଆଗ୍ୟାଂ ଦେଲେ

ପିଠିଦେଇ ନଗର ଭିତରେ ସମ୍ବାଇଲେ ।

ଚଳିଲେ ଗୋବିନ୍ଦଚନ୍ଦ୍ର ଉତ୍ତର ମୂରତି

ରୋଗ ଶୋକ ଚିନ୍ତା ତାଙ୍କ ନାହିଂ ଭୟଭ୍ରାନ୍ତି ।

ଗୁରୁ ଦେଇଥିଲେ ଯେ ପାଦୁକା ମନ୍ତ୍ର ଗୋଟି

ତାହା ଚଢ଼ି ଗମନ କରଇ ଶୀଘ୍ରଗତି ।

ଦିବାରାତ୍ର ଗମିଲେ ପୃଥିବୀ ଲକ୍ଷେ ଯୁଣ

କୋଟିୟେ ତୀର୍ଥରେ ପଶି କଲେକ ସ୍ନାହାନ ।
ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦେଖିଲେ

ଜଳଧିପୁରକୁ ଯାଇ ମନ ବଳାଇଲେ ।

କୃଷ୍ଣାଜିନ ଛାଲ ପକାଇଲେ ସିନ୍ଧୁଜଳେ

ଗୁରୁଙ୍କୁ ସୁମରି ଯାଇ ବସିଲେକ ଛାଲେ ।

ପବନ ଆପଦେ ମନ୍ତ୍ର କଲେ ସୁମରଣ

ଅନ୍ତରୀକ୍ଷେ ଚଳିଲେ ସେ ପବନୁଂ ବହନ ।

ସାତସିନ୍ଧୁ ସାତଦ୍ୱୀପ ବୁଲି ଯାଉ ଯାଉ

ଲଙ୍କାଦ୍ୱୀପେ ପରବେଶ ହୋଇଲେକ ତହୁଂ ।

ଚବିଶ ଅଙ୍କୁଶ ଅଛି ୟେକାଗ୍ର ନଗର

ମେଘଦଣ୍ଡ ପାଚେରୀ ଲାଗିଛି ଆକାଶର ।

ସବୁ ହୀରାମୟ ଯେ ସବୁହିଂ ବିତପନ

ସେହି ଠାବରୁ ରାଜନ ଚଳିଲା ବହନ ।

ଲେଉଟିଲା ମହାରାଜା ଜଳାର୍ଦ୍ଧପୁରକୁ

ଦାଣ୍ଡେ ଯାଉଂ ଦେଖିଲା ବରୁଣ ଦେବତାଙ୍କୁ ।

ରତ୍ନାକର ଦେଖିଣ ଚିହ୍ନିଲା ବଙ୍ଗଦେଶୀ

ତୁମ୍ଭେତ ଗୋବିନ୍ଦଚନ୍ଦ୍ର ୟେଥେ ଅଛ ଆସି ।

ଦେହତ ତୋହର ସିଦ୍ଧ ଗୁରୁସେବା କରି

ଜଳାର୍ଦ୍ଧ ପୁରକୁ ତ ଅଇଲୁ ଭିକ୍ଷାକରି ।

ମାନବ ଶରୀର ହୋଇ ଯୋଗାନ୍ତ ସାଧିଲୁ

ଜଳସ୍ଥଳ ଅନଳ ସବୁହିଂ ୟେକେ କଲୁ ।

ଦେବଙ୍କର ସଙ୍ଗେ ସଙ୍ଗ ହୋଇଲୁ ରାଜନ

ରହ ଚତୁର୍ମାସ୍ୟା ମୋର ଜଳାର୍ଦ୍ଦଗ ଭୁବନ ।

ଗୋବିନ୍ଦଚନ୍ଦ୍ର ବୋଇଲେ ଲେଉଟାଣି ବେଳେ

ଅବଶ୍ୟ ରହିବି ମୁହିଂ ତୁମ୍ଭ କଟକରେ ।

ସେଠାରୁ ଗୋବିନ୍ଦଚନ୍ଦ୍ର ହୋଇଲେ ବାହାର

ଶୂନ୍ୟାସନ ମନ୍ତ୍ର ଯେ ପଢ଼ିଲେ ଧାତିକାର ।

ଅଳକା ଭୁବନେ ଯାଇ ପ୍ରବେଶ ହୋଇଲା

ନଗର ପଶ୍ଚିମେ ଭାଗେ ମଣ୍ଡପେ ଦେଖୁଲା ।
ଶ୍ରୀକର୍ପୂର ଅକ୍ଷୟ ଭଣ୍ଡାର ତହିଂ ଅଛି

ସେହି ଅଷ୍ଟରତ୍ନ ପୁର ଆନ ନାହିଂ କିଛି ।

ଦ୍ଵାଦଶ ମାସ ସେଠାରେ ରହିଲା ରାଜନ

କେହି ନ ଦେଖିଲା କେହି ନ କହେ ବଚନ ।

ନଗର ବାହାର ହୋଇ କୁବେର ଦେଖିଲା

ତୁମ୍ଭେ ତ ଗୋବିନ୍ଦଚନ୍ଦ୍ର ବୁଲୁଛ ବୋଇଲା ।

ଦେଖିଲୁ ଜନ୍ମ ମରଣ ସିଦ୍ଧ କଲୁ କାୟେ

ମନଇଚ୍ଛା ଥିଲେ ରହ ଚାତୁର୍ମାସ୍ୟା ଯାୟେ ।

ଗୋବିନ୍ଦଚନ୍ଦ୍ର ବୋଇଲେ ଦିନାକେତେ ଯାଉ

ଦେଖଇ ଅମରପୁର ତପ ସିଦ୍ଧ ହେଉ ।

ୟେତେ କହି ଅଳକା ଭୁବନୁ ଚଳିଗଲା

ବୈଶ୍ୱାନର ପୁରେ ଯାଇଂ ପ୍ରବେଶ ହୋଇଲା ।

ବେନିମାସ ବିଶ୍ରାମିଲା ନ ଦେଖିଲେ କେହି

ଅମରାଦି ପୁରେ ଯାଇ ତୁରିତେ ସମ୍ଭାଇ ।

ଅମର ସଭାରେ ଯାଇ ମିଳିଲେ ରାଜନ

ଦେଖଇ ଗୋବିନ୍ଦଚନ୍ଦ୍ର ରାଜାଗଣମାନ ।

ଇନ୍ଦ୍ର ପଚାରିଲେ ଆସ ବଙ୍ଗଦେଶ ସାଇଂ

ଅମର ଭୁବନକୁ ଅଇଲୁ କିସ ପାଇଂ ।

ଗୋବିନ୍ଦଚନ୍ଦ୍ର ବୋଇଲେ ଗୁରୁସେବା କଲି

ମହାମନ୍ତ୍ର ପ୍ରସନ୍ନରୁ ଅମର ହୋଇଲି ।

ସୁସିଦ୍ଧ ହୋଇବା ପାଇଂ ଅଇଲି ଯେଥକୁ

ପାଇଲି କାରଣ ଯେବେ ଯିବଇଂ ମଞ୍ଚକୁ ।

ଇନ୍ଦ୍ର ବୋଲେ ଧନ୍ୟ ତୋର ମୁକୁତା ଜନନୀ

ସଦବୁଦ୍ଧି ଦେଲା ଯହୁଂ ହୋଇଇ ସୁଗ୍ୟାଂନୀ ।

ଦେବପୁର ଦେଖିବାକୁ ହୋଇଲୁ ଭାର୍ଜନ

ସିଦ୍ଧଜନଙ୍କ ସଙ୍ଗତେ ହୋଇଲୁଂ ସମାନ ।

ପ୍ରଶଂସା ପାଇଣ ରାଜା ଉଠିଲା ବହନ

ଅମର ଭୁବନରେ ଦେଖୁଲା ପୁର ମାନ ।

ପଞ୍ଚରାତ୍ର ରହି ତହିଂ ବାହାର ହୁଅଇ ।

ସଂଯିବନୀ ପୁରେ ଯାଇ ତୁରିତେ ମିଳଇ ।
ଜନ୍ତୁପତି ଦେଖିଣ ଆସ୍ଥାନ ତ୍ୟାଗ କଲା

ମାନବ ଶରୀରେ ରାଜା ମହାତପ କଲା ।

ମମ କାଳପାଶରୁ ଯେ ରହିଲୁ ଉବୁରି

ନିଶ୍ଚୟ ଦେଖିଲି ୟେତ ସିଦ୍ଧ ସଙ୍ଗେ ସରି ।

ବସ ବୋଲି ଠାବଦେଲା ସଭାର ମଧ୍ୟର

ବେନି ଦଣ୍ଡ ରହି ତହୁଂ ହୋଇଲା ବାହାର ।

ଯମ ରାଜାକୁ ଚାହିଂଣ ବୋଲନ୍ତି ବଚନ

ମୃତ୍ୟୁ ମଣ୍ଡଳକୁ ଯିବୁ ଶୁଣ ହୋ ରାଜନ ।

ଜନ୍ତୁପତି ବୋଇଲା ବିଜୟ କର ଯାଇଂ

ଖଣ୍ଡେ ଦୂର ପାଛୋଟି ଅଇଲା ଜନ୍ତୁସାଇଂ ।

ମେଲାଣି ପାଇଣ ଯମ ଆସ୍ଥାନକୁ ଗଲା

ଶୂନ୍ୟେଣ ଗମଇଂ ଯେ ମୁକୁତା ଦେଈ ବଳା ।

କହନ୍ତି ଦୁର୍ବାସା ବଳା ଶୁଣ ସିଦ୍ଧ ହିଆ

ୟେଥୁ ଅନନ୍ତରେ ପୁଣି ଉପୁଜିଲା ଯାହା ।

ଚାହିଂଲେ ଗୋବିନ୍ଦଚନ୍ଦ୍ର ପଥ ଅନୁସରି

ତନ୍ତୀପାୟେ ଆସୁଛନ୍ତି ଶୂନ୍ୟେ ବିଜେକରି ।

ଲାଗିଛନ୍ତି ଶୂନ୍ୟେ ତନ୍ତ ବୁଣୁଛନ୍ତି ଲୁଗା

ପୂର୍ବେଣ ଗୋରଖନାଥ ବାଉଛନ୍ତି ଫୁଙ୍କା ।

ଦୁଇଲୋକଙ୍କର ଶୂନ୍ୟେ ହୋଇଲାକ ଭେଟ

ଚାହିଂଲେ ଗୋବିନ୍ଦଚନ୍ଦ୍ର ତନ୍ତୀପାଙ୍କ ମୁଖ ।

ଶୂନ୍ୟରେ ବୁଣନ୍ତି ଲୁଗା ପବନହୁଂ ଖର

ଛିଡ଼ ବୋଲି ବୋଇଲେ ଗୋରେଖ ତପୀବର ।

ଆଗ୍ୟାଂ ପ୍ରମାଣରେ ତନ୍ତ ମଧ୍ୟରୁ ଛିଡ଼ିଲା

ଦେଖିଣ ତନ୍ତୀପା ମନେ ତାପ ଉପୁଜିଲା ।

ଲାଗିଲା ଲାଗିଲା ବୋଳି ଡାକ ଦେଲେ ଯହୁଂ

ତତକ୍ଷଣେ ତନ୍ତସୂତା ଲାଗିଲାକ ତହୁଂ ।

ପୁଣିହିଂ ଗୋରେଖ ବୋଲେ ଛିଡ଼ିଲାକ ପୁଣ

ଦୁଇ ଖଣ୍ଡ ହୋଇ ତନ୍ତ ଛିଡ଼ିଲା ପ୍ରମାଣ ।

ତନ୍ତୀପା ବୋଇଲା ବେଗେ ଲାଗସିରେ ସୂତା

ଲେଉଟି ଲାଗିଣ ସୂତା ହୋଇଲା ଜଡ଼ିତା ।

ଗୋରେଖ ବୋଇଲେ ପୁଣି ଛିଡ଼ିଲା ପ୍ରମାଣ

ଦୁଇଖଣ୍ଡ ହୋଇତନ୍ତ ଛିଡ଼ିଗଲା ପୁଣ ।

ତନ୍ତୀପା ବୋଲରେ ତନ୍ତ ନୋହିଲା ଯୋଡ଼ିଣ

ଜାଣିମାନା ଆଜ କେ ହୋଇ ବଡ଼ଜଣ ।

ଦୁଇ ଲୋକ ଉଚ୍ଚବାଚେ ହୋଇଲୋକ କଳି

ଦେଖନ୍ତି ଗୋବିନ୍ଦଚନ୍ଦ୍ର ଦୂରେ ଥାଇକରି ।

ବୋଇଲେ ହୋ ତନ୍ତୀପାୟେ ହୋଇଲୁକି ବାଇ

ମୋହ ଆଗରେ ତୋର ପହିଜ କାହିଂ ପାଇଂ ।

ଦିଗବିଜେ କରୁଅଛଂ ବୋଲିକି ନଜାଣୁ

ତନ୍ତ ଖଣ୍ଡେ ସଙ୍ଗେ ଘେନି ପହିଜ ବଖାଣୁ ।

ମୋହ ବଳେ ପ୍ରତିଗ୍ୟାଂଯେ ସହି ନ ପାରଇ

ୟେବେ ଶୂନ୍ୟ ପଥରୁ ତୁ ଯାଅ ଆଡ଼େ ହୋଇ ।

ତନ୍ତୀପା ବୋଇଲେ ନାଥେ ନ କହ ବଢ଼ାଇ

ତୁମ୍ଭ ଶଙ୍ଖଧ୍ୱନି ଶୁଣି ହିଆ ଚମକଇ ।

ମୁହିଂ ଯେ ତନ୍ତୀପା ଚାରିଯୁଗେ ଅଜାମର

ଦେବତାଙ୍କୁ ମଣେ ମୁହିଂ ଚରଣ ଆକାର ।

ଚଉଷଠି ସିଦ୍ଧରେ ମୁଂ ବରଣ ଅଟଇ

ମୋହ ତହୁଂ ଅଧିକ ଯେ ଜଣେ କେହି ନାହିଁ ।

ମନେ ଯାହା ବସେ ମୁହିଂ ଧରେ ସେହି ରୂପ

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସ୍ୱରୂପ ।

ପୁଣି ପ୍ରତ୍ୟୁତ୍ତର ଦେଲେ ମତ୍ସ୍ୟୋଦର ଟେଲା

କେହ୍ନେ ମୋତେ ପାରିବୁ ଦେଖିବ ବେନିତୋଳା ।

ଶୂନ୍ୟୁ ଖସି ପଡ଼ିଲେ ତନ୍ତୀପା ମହାଯୋଗୀ

ମଞ୍ଚରେ ବଳଦରୂପ ହୋଇଲେକ ବେଗି ।

ଗୋରେଖ ବୋଇଲେ ଆଜ ରହ ରହ ବାବୁ

ୟେମନ୍ତ ହୋଇଲେ ନିକି ବଡ଼ ବୋଲାଇବୁ ।

ତନ୍ତୀପା ବୋଇଲେ ତୁମ୍ଭେ ପଛ ଦୃଷ୍ଟିକର

କେମନ୍ତ କରିବି ଠାବ ଜାଣିମା ୟେବେଳ ।
ମହାଯତି ଗୋରେଖ ପଛକୁ ଦେଲେ ଦୃଷ୍ଟି

ତନ୍ତୀପା ହୋଇଲେ ବୃକ୍ଷେ ଆମ୍ବଫଳ ଗୋଟି ।

ଲେଉଟି ଗୋରେଖ ଗଲେ ଆମ୍ବଗଛ ଠାକୁ

ଆମ୍ବ ଛିଣ୍ଡାଇ ବୋଇଲେ କ୍ଷେପିବ ଗର୍ଭକୁ ।

ଲାଜପାଇ ତନ୍ତୀପା ହୋଇଲେ ପକ୍ଷୀଜନ୍ମ

ଚଢୈୟା ହୋଇଲେ ଯେ ଗୋରେଖ ତପୋଧନ ।

ଜଳରେ ମୀନ ଗୋଟିଏ ହୋଇଲେ ତନ୍ତୀପା

ଜାଇ ପାତିଣ ଗୋରେଖ ଜଳେ କଲା କ୍ଷେପା ।

ଜାଣିଲେ ତନ୍ତୀପା ୟେହା ହୋଇଲେ ବାହାର

ଅନ୍ତରୀକ୍ଷେ ମେଘରୂପ ଆଚ୍ଛାଦି ଅମ୍ବର ।

ସଂସାର ଅନ୍ଧାର ହେଲା ନ ଦିଶିଲା ଦିଗ

ପବନ ହୋଇ ବହିଲେ ସେ ଗୋରେଖ ବେଗ ।

ବାୟେଣ ଉଡ଼ିଲେ ମେଘ ଚଉଦିଗ ଦିଶି

ସେଠାରୁ ଗୋରେଖନାଥ କର କର ହସି ।

ଶ୍ରମପାଇ ତନ୍ତୀପା କୁହୁଡ଼ି ବରଷିଲେ

ଗୋରେଖ ଫୁଙ୍କିଲେ ଦୂରୁଂ କୁହୁଡ଼ି ଫାଟିଲେ ।

ଜଳ ଭିତରେ ସେ ଗେଣ୍ଡା ଗୋଟିୟେ ହୋଇଲେ

ଗୁପତ ପରାୟେ ସେହୁ ଗାତରେ ରହିଲେ ।

ଦେଖିଲେ ତନ୍ତୀପା ଲୁଚି ଅଛଇ ଗାତର

ଖାଡୁଆ ହୋଇଲେ ଯେ ଗୋରେଖ ତପଧର ।

ଥଣ୍ଟରେ ଗିଳିବେ ବୋଲି ଆକ୍ରୋଶିଲେ ଯହୁଂ

ଗର୍ଭରୁ ତନ୍ତୀପା ଯେ ବାହାର ହେଲେ ତହୁଂ ।

ଗୋରେଖ ବୋଇଲେ ଆଉ କି ରୂପ ଧରିବୁ

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ତୁ ଦୁଃସହ ନୋହିବୁ ।

ମୋତେ ଦେଖିପାରୁ କି କିମିଆ କରିଥାଅ

ତନ୍ତୀପା ବୋଇଲେ ତୁମ୍ଭେ ଯାହା ଇଚ୍ଛାହୁଅ ।

ବସାଇ ଗୋରେଖନାଥ ରହିଲେ ଜଳରେ

ପାଣି ସଙ୍ଗେ ପାଣିହୋଇ ମିଶିଲେ ତହିଂରେ ।

ତନ୍ତୀପା ଖୋଜନ୍ତି ଖିଅ ଦେଇ ଜଳେ ପଶି

ଲୋଡ଼ି ନ ପାଇଲେ ଯେ ଜଳର କେଉଂ ପାଶି ।

ଥାଳି ଘେନି ଛାଣିଣ ମାଇଲା ଗେଣ୍ଡାମାନ

ମହୀ ବିଦାରଇ ନ ଦେଖଇ ସିଦ୍ଧପଣ ।

ତନ୍ତୀପା ବୋଇଲେ ରେ ଗୋରେଖ କେଣେ ଗଲା

କି ରୂପ ଧରିଲା ଯାଇଂ କାହିଂ ସମ୍ଭାଇଲା ।

ମନରେ ବିରସ ଯେ ବହୃତ ହୁଏ ତନ୍ତୀ

ଆଗେ ଉଭା ହୋଇଲେ ଗୋରେଖ ମହାଯତି ।

ହେଠ ମାଥ ହୋଇଣ ତନ୍ତୀପୀ ମହାଯତି

ସଧୀରେ ଗୋରେଖନାଥ ବାଣୀ ପଚାରନ୍ତି ।

ତୁତ ବଡ଼ ମହାତପା ଅଟୁରେ ତନ୍ତୀପା

କେ ସାନ କରିବ ତୋତେ ମନେ ତାପ କିମ୍ପା ।

ତନ୍ତୀପା ବୋଇଲେ ତୁମ୍ଭେ ସୁସିଦ୍ଧ ଗୋସାଇଂ

ସିଦ୍ଧଗଣ ସଙ୍ଗେ ତୁମ୍ଭେ ଆଗ ଲେଖା ହୋଇ ।

ମତ୍ସଇନ୍ଦ୍ର ଆଦିନାଥଙ୍କର ତୁମ୍ଭେ ନାତି

ତୁମ୍ଭେ ସବୁ କରିପାର ଶୟଳେ ବିଖ୍ୟାତି ।

ଆଉ ମାନେ ଯତି ତୁମ୍ଭେ ମହାଯତି ଭଣି

ତୁମ୍ଭଙ୍କୁ ଭେଟିଣ ମୁଁ ଯେ ପାଇଲି କାରେଣୀ ।

ତନ୍ତୀପା ବୋଇଲେ ତୁମ୍ଭେ ବିଜେକରି ଯିବା

ମୁହିଂ ଯିବି ସ୍ୱର୍ଗପୁର ମୋତେ ଆଗ୍ୟାଂ ଦେବା ।

ୟେ ବଚନ ଶୁଣି ଗୋବିନ୍ଦଚନ୍ଦ୍ର ରାଣ

ବେନି ଜନଙ୍କର ପାଦେ କଲା ଯେ ପ୍ରଣାମ ।

ତନ୍ତୀପା ବୋଇଲେ ୟେ ରିପୁଚନ୍ଦ୍ର ବଳା

ଗୋରେଖ ବୋଇଲେ ୟେ ଗୁରୁ ସେବାକଲା ।

ହାଡ଼ିପା ଯେ ଦେଲେ ଗ୍ୟାଂନ ମାତା ଦେଲେ ବୁଦ୍ଧି

ଚବିଶ ବରଷେ ସର୍ବ ହୋଇଲାକ ସିଦ୍ଧି ।

ଆଦେଶ ଆଦେଶ କଲା ବଙ୍ଗଦେଶ ସାଇଂ

ଗୋରେଖ ବୋଇଲେ ରାଜା କାହିଂଥିଲୁ ରହି ।

ଗୋବିନ୍ଦ ଚନ୍ଦ୍ର ବୋଇଲେ ଦିଗ ଫେରୁଅଛି

କର୍ମଫଳେ ଆଜ ଭେଟ ହେଲି ମହାଯତି ।

ପାଇଲି କାରଣ ମୋର ପାପ କ୍ଷୟଗଲା

ଦ୍ୱିତୀୟ ଗୁରୁ ହାଡ଼ିପା ଦେଖି ବେନି ଡୋଳା ।

ମାନ୍ୟ କରି କହିଲାକ ବଙ୍ଗଦେଶ ପତି
ଗୋରେଖ ବୋଲନ୍ତି ତୁମ୍ଭେ ଅଟ ଆମ୍ଭ ନାତି ।

ତୋ ମାତା ମୁକୁତା ଦେଈ ଆମ୍ଭର ନନ୍ଦିନୀ

ଆମ୍ଭକୁ ସେବା କରିଣ ହୋଇଲା ସେ ଗ୍ୟାଂନୀ ।

ଘେନ ସିଦ୍ଧି ବିଭୂତି ବୋଇଲେ ମହାଯତି

ତନ୍ତୀପା ଗୋବିନ୍ଦଚନ୍ଦ୍ର ଦୁହେଂ ହାତ ପାତି ।

ବ୍ରହ୍ମା କପାଳରେ ନେଇ ଘଷିଲେ ବହନ

ବଜ୍ରାଙ୍ଗ ଶରୀରେ ହେଲେ ଗୋବିନ୍ଦରାଜନ ।

ତନ୍ତୀପାଙ୍କ ତନ୍ତୁ ସୂତା ଛିଡ଼ି ଯାଇଥିଲା

ବିଭୂତି ଲାଗନ୍ତେ ସୂତା ଯୋଡ଼ିଣ ହୋଇଲା ।

ଯାଅରେ ଭୂପତି ତୋତେ ହେଉ କଇଲାଣ

ୟେତେ ବୋଲି ଗୋରେଖ ଯେ ହେଲେ ଅନ୍ତର୍ଦ୍ଧାନ ।

ତନ୍ତୀପା ବୋଇଲେ ରାଜା ନାମ ଆଶ୍ରେକର

ମାୟା ମୋହ ଛାଡ଼ି ଯୋଗପଥରେ ବିହର ।

ଭଲ ଇଚ୍ଛାକଲୁ ଅଜ୍ରାମର କଲୁ କାୟେ

ଯା ଯା ଦିଗେ ବୋଲିଣ ବୋଇଲେ ତନ୍ତୀପାୟେ ।

ଗୋବିନ୍ଦଚନ୍ଦ୍ର ରହିଲା ମଞ୍ଚ ମଣ୍ଡଳରେ

ଏକା ଏକା ତପକଲା ଗଣ୍ଡୁକୀ ନଦୀରେ ।

ସପତ ବରଷ ଯାୟେ ହୋଇଲା ମଉନ

ଆଗହୁଂ ପାଞ୍ଚ ବରଷ ବଳିଥୁଲା ପୁଣ ।

ୟେମନ୍ତେ ବାରବରଷ ସମ୍ପୂର୍ଣ୍ଣ ହୋଇଲା

ଆପଣା ରାଜ୍ୟରେ ଯାଇ ତୁରିତେ ମିଳିଲା ।

ମାତାଙ୍କୁ ଦର୍ଶନ କରି କହିଲା ବିନୋୟି

ଦେଖୁଲି ସପତ ସିନ୍ଧୁ ସପ୍ତଦ୍ୱୀପ ମହୀ ।

ଜଳଧି ଅଳକାପୁର ସଞ୍ଜିବନୀ ପୁର ।

ବୈଶାନର ଭୁବନ ଦେଖିଲି ସ୍ଵର୍ଗପୁର ।

ଶୂନ୍ୟେ ଆସୁ ଆସୁ ମୁଁ ଯେ ତନ୍ତୀପା ଦେଖୁଲି

ଗୋରେଖଙ୍କୁ ଦେଖି ବହୁ ପରଶଂସା କଲି ।

କହିଲେ ୟେବେ ଗୋ ମାତା ମୋତେ ସଦ୍ବୁଦ୍ଧି

ବୋଇଲେ ମୁକୁତା ଦେଈ ହୋଇଲାକ ସିଦ୍ଧି ।
ନୃପତି ବୋଇଲେ ମୁଂ ଯେ ଯିବି କପିଳାସ

ଗୁରୁଙ୍କୁ ଦ୍ରଶନ ନାହିଂ ଦ୍ୱାଦଶ ବରଷ ।

କହିଣ ଗୋବିନ୍ଦଚନ୍ଦ୍ର ହୋଇଲେ ବାହାର

ରହିଲେ ମୁକୁତା ଦେଈ ଆପଣା ରାଜ୍ୟର ।

କପିଳାସ ପୁରେ ଯାଇ ପ୍ରବେଶ ହୋଇଲେ

ଗୁରୁଙ୍କୁ ଦର୍ଶନ କରି ନିଶ୍ଚିନ୍ତେ ରହିଲେ ।

ନମସ୍ତେ ହାଡ଼ିପା ସାଧ୍ୟକଲ ମୋର କାୟେ

ଚାରିଯୁଗ ଗଲେ ତାଙ୍କୁ ଦିବସ ପରାୟେ ।

ତୁମ୍ଭର ଚରଣ ତଳେ ମମ ଶିର ଲୋଟୁ

କିଞ୍ଚିତେ ପ୍ରସନ୍ନ ହୁଅ ଭ୍ରାନ୍ତି ମୋର ଫିଟୁ ।

ନମସ୍ତେ ତନ୍ତୀପା ମୋତେ ହୁଅ ସୁପ୍ରସନ୍ନ

ମାୟା ମୋହେ ପଡ଼ି ମୁହିଂ ଯେ ହେଲି ହିନିମାନ ।

ମତ୍ସଇନ୍ଦ୍ର ଚଉରଙ୍ଗୀ ଆଦି ମୀନ ବୁଦ୍ଧ

ତୁମ୍ଭର ଆଗ୍ୟାଂରେ ମୋର ପିଣ୍ଡ ହେଉ ସିଦ୍ଧ ।

ନମସ୍ତେ ଗୋରେଖନାଥ ଯତିଙ୍କ ଠାକୁର

ଚଉଷଠି ସିଦ୍ଧଙ୍କ ଉପରେ ଅଧିକାର |

ଭବ ଜଳଧିରୁ ପାରିକର ମହାଯତି

ତୁମ୍ଭର ପ୍ରସନ୍ନେ ମୋର ହୋଇବ ମୁକତି ।

ନମସ୍ତେ ଗୋବିନ୍ଦଚନ୍ଦ୍ର ରିପୁଚନ୍ଦ୍ର ବଛ

କିଞ୍ଚିତେ ପ୍ରସନ୍ନ ହୋଇ ମୋର ପ୍ରାଣରଖ ।

ତୁ ଯେ ଯମରାଜ ଦଣ୍ଡ ନିବାରିଲୁ କାଳେ

ନିଜ ଦେହ ଘେନିଅଛୁ ଯୁଗଯୁଗାନ୍ତରେ ।

ମୁହିଂତ ମୁରୁଖ କି ଜାଣିବି ତୁମ୍ଭ ମନ

ଲୋଡ଼ି ନ ପାରିଲି ମୁଂ ଯେ ତୁମ୍ଭର ଚରଣ ।

ନ ଜାଣଇ ପାଠଶାଠ ଯତି ସନ୍ଥଗଣ

ଚରଣାରବିନ୍ଦେ ଯେ ବଳିଲା ମୋର ମନ ।

ଶୁଣ ହେ ସୁଜନ ଜନେ କଳିଯୁଗ ବାଣୀ

ବଙ୍ଗଦେଶ ପତି ଆପେ ଯୋଗୀ ହେଲେ ପୁଣି ।

ଗୋବିନ୍ଦଚନ୍ଦ୍ରଙ୍କ ପାଦେ ରହ ମୋର ଆଶ

ଶରଣ ମାଗଇ ନିତ୍ୟ ଯଶୋବନ୍ତ ଦାସ ।